ସାତ ବାର ମାଳିକା
କବି: ଗାୟକ ବିଦ୍ୟାଭୂଷଣ ଶ୍ରୀଯୁକ୍ତ ରମାକାନ୍ତ ମିଶ୍ରଶର୍ମ୍ମା
ଜଟଣୀ, ଖୋର୍ଦ୍ଧା
(ଚକାଡୋଳା ମୋ ଦୁଃଖ କାଟିପକା ହେ)
ଵୃତ୍ତେ
ନାରାୟଣ ପାଦକୁ କର ବନ୍ଦନ
ନର୍କ ଦଣ୍ଡ ନଦେବ ରବିନନ୍ଦନ,
ସୋମରସ ପାତେ ଯଥା ନଳିନ ବନ
ମଙ୍ଗଳ ଲଭିବୁ ନାଶି ଘନ ବୃଜିନ ।
ବୁଧେ ଚିନ୍ତି ସେ ପାଦ,
ଖଣ୍ଡି ଘୋର ପ୍ରମାଦ ।
ବିନାଶି ଅବସାଦ,
ହୃଦେ ବହନ୍ତି ମୋଦ ।
ତିନି ତାପ ନାଶନେ ନାମ ଚନ୍ଦନ ।୧।
ଗୁରୁପଣେ ଶୁକ୍ର ଦିନେ ବିବାଦ କଲା
ଶଙ୍ଖେଥିଲା କୁଶଘାତେ ନୟନ ଗଲା,
ଦେବଅଶନିଧାରୀ,
ଯା ପଦରେ ଜୁହାରି ।
ଶିବ ବିରଞ୍ଚି ଅର୍ଚ୍ଚି,
ରଚିଥାନ୍ତି ଗୁହାରି ।
ରମାକାନ୍ତର ନାଶ ଭବ ବନ୍ଧନ ।୨।
------------
କେତେକ ଶବ୍ଦର ଅର୍ଥ:-
ରବିନନ୍ଦନ- ଯମ ।
ସୋମରସ- କାକର ।
ବୃଜିନ- ପାପ ।
ବୁଧେ- ପଣ୍ଡିତେ ।
ପ୍ରମାଦ- ସଙ୍କଟ, ଭୟ ।
ମୋଦ- ଆନନ୍ଦ ।
ଦେବଅଶନିଧାରୀ- ଇନ୍ଦ୍ରଦେବ ।
+++++
ବିଶେଷ ଦ୍ରଷ୍ଟବ୍ୟ:-
୧ ମ ପଦରେ-
ରବି, ସୋମ, ମଙ୍ଗଳ, ବୁଧ ।।
୨ ୟ ପଦରେ-
ଗୁରୁ, ଶୁକ୍ର, ଶନି ।।