କବି: ଶ୍ରୀଯୁକ୍ତ ରମାକାନ୍ତ ମିଶ୍ରଶର୍ମ୍ମା
ଗାୟକ ବିଦ୍ୟାଭୂଷଣ ସଂସ୍କୃତ ଶିକ୍ଷକ
ଜଟଣୀ, ଖୋର୍ଦ୍ଧା
ଆରେ ବାଉଳାରେ,
ଚାହୁଁ ଚାହୁଁ ଗଲା କାଳ ।
ଦିନେ ନ ଧରିଲୁ ମୁଖେ ରାମକୃଷ୍ଣ
ନାମ ଗୋଟି କରି ମୂଳ ।।୦।।
ପତ୍ନୀ ପୁତ୍ର ଘେନି ହୋଇ ଅଭିମାନୀ
ଲଗାଇ ଅଛୁ ଜଞ୍ଜାଳ ।
ଜଳ ଜଳ ଚାହୁଁଥିବୁ ଘେନିଯିବ
ଦିବସପତି ଦୁଲ୍ଲାଳ ।୧।
ରତ୍ନ ଅଳଙ୍କାରେ ହୋଇ ବିଭୂଷିତ
ଦିଶୁଛୁ କେଡେ ସୁଢଳ ।
ମଲାବେଳେ ପାଶେ ବେଢ଼ି ସବୁ କାଢି
ନେବେ ତୋର ଜ୍ଞାତି କୁଳ ।୨।
ନ ଯିବେ ତୋ ସଙ୍ଗେ ଧନସମ୍ପତ୍ତି ତୋ
ନ ଯିବେଟି ପଶୁକୁଳ ।
ପତ୍ନୀ ପୁତ୍ର ତୋର ସଙ୍ଗରେ ନ ଯିବେ
ଯିବ ତୋ କର୍ମ କେବଳ ।୩।
ଚିତ୍ରଗୁପ୍ର ତହିଁ ପଞ୍ଜିକା ଫିଟାଇ
ଦେଖିବ ତୋ ଧର୍ମ ବଳ।
ରମାକାନ୍ତ କହେ ଥରୁଟାଏ କୃଷ୍ଣ
ନାମକୁ କର ସମ୍ବଳ ।୪।
------------------
ଆରେ ମୂଢଚେତା,
ଦୃଢକର ହୃଦେ ହରିକଥା। ।୦।।
ରାଧା ମାନଗଞ୍ଜା କଞ୍ଜାନନ,
ସଞ୍ଜ ସକାଳରେ କର ଧ୍ୟାନ ।
ଖଞ୍ଜାଇଦେ ତାହା ସେବାରେ ତୋତନୁ
ଗଞ୍ଜାଇଦେ ତୋର ମୋର ଜ୍ଞାନ ।୧।
ବୃନ୍ଦାରକ ବୃନ୍ଦ କନ୍ଦପରି,
ନନ୍ଦନନ୍ଦନ କଥାକୁ ସ୍ମରି ।
ଆନନ୍ଦରେ ମକରନ୍ଦ ବିନ୍ଦୁ ଛନ୍ଦା-
ଚରଣୁ ପିଅନ୍ତି ସୁଧା ସରି ।୨।
ରଙ୍ଗାଧରେ ରଙ୍ଗେ ବେଣୁ ବାଇ,
ରଙ୍ଗାଇ ଅନଙ୍ଗ ଭାବେ ଗୋଈ ।
ଉଗ୍ରସେନ ଉଗ୍ରସୂନୁକୁ ବିନାଶି
ସେବକୀ ଦେବକୀ କଲେ ତ୍ରାହି ।୩।
ଶଙ୍କାଯିବ ଭଜ ବାଙ୍କଚୂଳ,
ପଙ୍କଜ ପଦକୁ କରମୂଳ ।
ରମାକାନ୍ତ ନିତ୍ୟ କିଙ୍କର ସେ ପଦେ
ରଙ୍କ ପରି କାଟୁ ଅଛି କାଳ ।୪।
---------
ନାରାୟଣ ନାମ ରଟୁଥାରେ, ରସନା
ବାରେ ନୋହି ବିମନା ।
ନାଶଯିବ ପାପ ତାପ
ନୋହିବ ଯମ ଯାତନା ।୦।
ନାନା ମଧୁର ପଦାର୍ଥ ଚାଖିଛୁ ସିନା
ନାହିଁ ତାହା ସମ ସ୍ଵାଦ
ଚାଖି ତୁ କର ତୁଳନା ।୧।
ନାରଖାର ନୁହଁ କରି ମିଛ ଭାବନା
ନାବିକ ଏକା ସେ ଭବ
ସାଗର ପାରକୁ ସିନା ।୨।
ନାରଦାଦି ଋଷି ଯାରେ କରିଭାବନା
ନାଚନ୍ତି ନିଶି ଦିବସ
ନରଖି ଆନ କାମନା ।୩।
ନାକେ ନାଗେ ନରେ ସାର
ତାର ଯେଉଁ ନାଁ
ନାହିଁ ଆନଗତି ରମା-
କାନ୍ତ କହେ ତାହା ବିନା ।୪।
----------------------
ମଲ୍ଲୀଫୁଲ ଲୋ,
କଲି ଭାଙ୍ଗୁଛୁ କେତେ ।
ନବନାଗରୀଲୋ, ନାଗର ଭେଟିଲେ
ଛାଡ଼ିଯିବ ଛଇ ଛଟକ ଯେତେ ।୦।
ରାହୁପରି ବଢ଼ାଇ ବାହୁ,
ଭିଡିନେବ ତୁ ଚାହୁଁ ଚାହୁଁ ।
ଉହୁଁ ଉହୁଁ ତୋର ଶୁଣିବ ନାହିଁ ସେ
ବାହୁବନ୍ଧନରେ ବାନ୍ଧିବ ତୋତେ ।୧।
ଚଉଷଠି ବନ୍ଧେ ଖେଳିବ,
ବଳେ ତାକୁ କିଏ ବଳିବ ।
ଦଳିବ ଉରଜ ରଜେ ମିଶାଇବ
ଛଳି ନପାରିବୁ ଛଇଳି ସତେ ।୨।
ଦେଖୁଥିବେ ଦେଖଣାହାରୀ,
ଚାଖି ତୋତେ ଦେବଲୋ ସାରି ।
ରୋଧିବାକୁ କାର ନଥିବ ଶକତି
ଗେଲ ଛାଡ଼ିଯିବ କର ପରତେ ।୩।
ବେଶଭୂଷା ଫେସନ ଛାଡ,
ସେ ନାଗର ନିହାତି ରାଢ଼ ।
ବେଣୀ ଧରି ଟାଣି ଛଡାଇବ ଠାଣି
ରାଣୀବେଶ ଶେଷହେବ ନିୟତେ ।୪।
ପଶୁପଣ ଦିଅ ବରଜି,
ମଣିଷ ପଣକୁ ଅରଜି ।
ହରିନାମେ ଧର୍ମେ ମତି ରଖିଥାଅ
ରମାକାନ୍ତ ସେହି ପାଦକୁ ଚିନ୍ତେ ।୫।