କବି- ଲକ୍ଷ୍ମୀଧର ପଣ୍ଡାଶର୍ମା
ସା-କରଡାପଲ୍ଲୀ, ପୋ-ବାଣିଆ, ଭା-କଳାପଥର, ଜିଲ୍ଲା-କଟକ
ଫୋନ-9937222583
7381884756
ମନଃଶିକ୍ଷା
ରସନା ହରିରସରେ, ରସରେ ଆନେ ରସନା
ବାସନା ତେଜ ବିଷୟା, ବିଷକୁ ଆଉ ଗ୍ରାସନା ।୦।
ହସଇ ଅଦୃଷ୍ଟେ କାଳ, ନାଶ ବିଷୟ ଜଞ୍ଜାଳ
ଖସାଇ ନେବ ସେ କେବେ, ମାୟା ମୋହରେ ପଶନା ।୧।
ଦାସଦାସୀ ସୁତ ବିତ୍ତ, ତୋଷ ହେଉ ଦେଖି ଚିତ୍ତ
ଅସମୟେ ସାହା ଏକା କେଶବ ମିଛେ ହସନା ।୨।
ବସ ସାଧୁସଙ୍ଗେ ନିତି,ବୀଶପତି ପଦେ ମତି
ପୋଷ ଦୋଷ ଲକ୍ଷିଆର, ନାଶ କରେ ଉପାସନା ।୩।
ମନଃଶିକ୍ଷା
(ଗୋମୂତ୍ରିକା ଛନ୍ଦ)
ରସରେ ଚିତ୍ତ ସାରସ
ରସ ନା ବିତ୍ତ ବି ରସ ।
ତୁଳନା କର ବିଭବ
ଲଳନା ବର ସମ୍ଭବ
ସାହସ ତୁଛ ସର୍ବସ୍ବ
ରଭସ ମିଛ ନ ବଶ ।୧।
ସଂପଦ ମଦ ବିଭ୍ରମ
ବିପଦ ପଦ ସଂଭ୍ରମ
ନୟନ ଜାୟାରେ ବଶ
ଶୟନ ମାୟାରେ ତୋଷ ।୨।
ସକଳ ସୁଖ ସରିବ
ବିକଳ ଦୁଃଖ ପୂରିବ
ଲକ୍ଷିଆ ପାତ୍ର ସରସ
ସାକ୍ଷିଆ ନେତ୍ର ସାରସ ।୩।
ମନଶିକ୍ଷା
ବାୟା ମନରେ, କାୟା ନୁହଁଇ ଥୟ
ଜାୟା ସୁଖଶିରୀ କେ ନୁହେଁ ତୋହରି
ବେଳେ ଦେବତୋର ଚିତ୍ତରେ ଭୟ ।୦।
ଛାୟାପତି ତନୟ ଡୋର
ବାନ୍ଧିବରେ ମୂଢ ପାମର
ଆୟାସ ନୁହଇ ସେ ଗ୍ରନ୍ଥି ଭେଦନ
ନରକ କୁଣ୍ଡରେ ପଡିବା ଥୟ ।୧।
କ୍ରିୟା କର୍ମ ଦେଲୁ ପାଶୋରି
ପ୍ରିୟା ପ୍ରେମ ପସରା ଧରି
ପ୍ରୟାଣ କାଳେ ସେ ସଙ୍ଗରେ ନଥିବେ
ସୁତ ବିତ୍ତ ଦାସ ବିଷ ବିଷୟ ।୨।
ଭୟାନକ ନରକ କୁଣ୍ଡ
ଅହଂକାର କରିବ ଗୁଣ୍ଡ
ବୟାଶି ଦୁଇରୁ ମୁକତି ନାହିଁରେ
ନୟାନ୍ତ କରିବ କରୁଷ ଚୟ।୩।
ଦୟାନିଧି ପଦସାରସ
ମାୟା କାଟି ଶରଣ ପଶ
ଶୟାନ ନୀଳାଦ୍ରି ରତ୍ନ ସିଂହାସନେ
ଦୀନ ଲକ୍ଷ୍ମୀଧର କରିଛି ଲୟ ।୪।
ମନଶିକ୍ଷା
ରାମ ରସେ ଦିଅ ଧ୍ୟାନରେ ମନୁଆ
ରାମବିନା ନାହିଁ ଆନ ରେ
ପାମର ଯମର ଦାଢେନପଡିବୁ
ନାମ କଲେ ତୁଣ୍ଡେ ଗାନରେ ।
ଉମର ବିତିଲା କାମରସେ ମାତି
ଧର୍ମ କଥା ନାହିଁ କାନରେ
କମରବାନ୍ଧି ସମର କରୁଖାଲି
ଅମାର ପୂରଣ ଜ୍ଞାନରେ ।୧।
ଅମରଧାମର କତିକି ଗତିକି
ଚିନ୍ତି ଖୋଜ ଧର୍ମ ଯାନରେ
ମରମରେ ଭକ୍ତି ସତ୍ୟ ଅନୁରକ୍ତି
କରମରେ ବଡ ଦାନରେ ।୨।
ଆମର ତୁମର ନଥିବରେ କିଛି
ଗଲାବେଳେ ଶମସାନରେ
ସୁମର ମରଣ ଦଶାବଶ ଦେହ
କେତେହେବ ହିନିମାନରେ ।୩।
ଭ୍ରମର ସାଜତୁ ରାମର ଚରଣ
ତାମରସ ମଧୁପାନରେ
ଚାମର ସେବକ ଲକ୍ଷ୍ମୀଧର ବାକ୍ୟ
ସୁମର ନରସି ଆନରେ ।୪।
ମନଶିକ୍ଷା
ହରିନାମ ରସନା ତୁ ଥରେହେଲେ କହକହ
ହଟିଯିବ ବାସନା ତୋ ହରିପାଦେ ରହରହ ।
ହରବର ହେଉକେତେ ପଡିଏ ମାୟା ଜଗତେ
ହକାରି ଟାକିଛି କାଳ ହସୁଛିରେ ଟହଟହ ।
ହଳାହଳ ବିଷପରି ବିଷୟା ହେବ ଭଗାରି
ହନ୍ତକ ହେବ ଅନ୍ତକ କେହିପରା ତୋରନୁହଁ ।
ହଟଛାଡି ରଟଥରେ ବଟପୁଟବାସୀଙ୍କୁରେ
ହରେରାମ କୃଷ୍ଣ ଗାଇ ଛାଡୁ ଏ ଲକ୍ଷିଆ ଦେହ। ।
ମାୟା
ତୁମେ ପରା ବିଶ୍ବବନ୍ଦନୀୟା
ତୁମ ଲାଗି ଜଗତ ଆଲୋକ
ତୁମ ଲାଗି ପ୍ରାଣପୁଲକିତ
ଅଭାବରେ ମୁକ ଏ ମୁଲକ।
ତୁମଲାଗି ଶୀତଳ ସବୁଜ
ଧରଣୀର ବକ୍ଷ ଶ୍ୟାମଳିମା
ସାଗରରେ ଉଠଇ ଜୁଆର
ମରୀଚିକା, ଭ୍ରମର ନୀଳିମା ।
ଓଷ୍ଠ ଫାଙ୍କେ ଛୁଟିଗଲେ ହସ
ବର୍ଷିଯାଏ ସ୍ବର୍ଗ ପାରିଜାତ
ନାଚୁଥାଏ ଇଙ୍ଗିତରେ ବିଶ୍ବ
ତୁମଲାଗି ଜନ୍ତୁ ଆତଯାତ।
ସ୍ନେହସ୍ନିଗ୍ଧ ମଧୁର ଭାଷାରେ
ପୁଲକିତ ହୁଏ ମରୂଦ୍ୟାନ
ପାଷାଣର ବୁକେ ତୁମ ଛବି
କୌଶଳୀର କଳା ଉପାଦାନ।
ବିରହୀର ହୃଦୟ କେଦାରେ
ସୁର ତୋଳେ ବର୍ଷାଭୁ ମହ୍ଲାର
ଗଗନର କୌମୁଦୀ ବିତାନେ
ଗୁନ୍ଥି ଯାଅ ପାରିଜାତ ହାର।
ତୁମବୁକେ ସୃଜିଛି ବିଧାତା
ହିମାଦ୍ରିର ତରଙ୍ଗିତ ବନ୍ୟା
ଛପିଯାଅ ଶୀତଳ ଋତୁରେ
ତୁମେ ସେହି ମାୟାବତୀ କନ୍ୟା ।
ଦେଖାଦେଇ ବିବିଧ ଭଙ୍ଗୀରେ
ରଙ୍ଗ ବୋଳି ନୟନେ ନୟନେ
ବରିନିଅ ମରଣ ଫାନ୍ଦରେ
ଜାଗ୍ରତ ବା ସ୍ବପନ ଶୟନେ।
ଦେବୀତୁମେ ଦେଖାଦିଅ ମୋତେ
ମାତୃ ସ୍ନେହେ ବାନ୍ଧ ଏ ଧରଣୀ
ଦିଗନ୍ତକୁ କର ଆଲୋକିତ
ଜାଗତିକ ନୂତନ ସରଣୀ। ।