ରଚନା-ଲକ୍ଷ୍ମୀଧର ପଣ୍ଡାଶର୍ମା
କରଡାପଲ୍ଲୀ, ବାଣିଆ, କଳାପଥର
କଟକ,୭୫୪୦୦୯
ନୀରଜନୟନା ରେ, ବାରେ ବରଜ ମାନ
କରଜରେ ଭୂମି ନଚୀର ସଜ୍ଜନୀ
ଦରଜ ଦେଲାଣି ପାପୀ ମଦନ ।୦।
ସରଜ ସୁହାସ ଭାଷ ରେ ନବୀନା
କରଜ ଦେଇତୋ ପୀରତି ଧନ
ଅରଜ କୀରତି ଛତିକି ଜଗତେ
ଖାରଜ ନକର ମୋର ବଚନ ।୧।
ସୁରଜ ଚନ୍ଦନ ରଞି ଅପଘନ
ଗରଜ ନଭାଙ୍ଗ ପରାଣ ଧନ
ଜରଜର କାମଶର ଗରଜନ
ତରଜମା କର ରଖ ଜୀବନ ।୨।
ଉରଜରେ ଚାରୁଚିତ୍ର ଆଙ୍କିଦେବି
ତୋର ଜନଠାରେ କର ଯତନ
ସାରଜନ୍ମ ମୋର ଭାଷେ ଲକ୍ଷ୍ମୀଧର
ଧରିବି କୋଳରେ ରଙ୍କ ରତନ ।୩।
ମାନଭଞ୍ଜନ
ବିଶ୍ରାମାନ୍ତାନୁପ୍ରାସ
ଦରପକ ଦରପ ହାରୀ,
ଖରାପ ବିଚାର ନକର ଚିତ୍ତେ
ସୁରପତି ଭୂତି ତୋର ପଦକତି
ବରପଣ କ୍ଷିତି ସୁଷମା ବିତ୍ତେ ।୦।
ହରପର ଶରନିକର
ସରପ ଗର ପରକାର
ଉରପର କର ପଙ୍କଜ ନୟନା
ଦରପଣ ଯିବ ମନୁ କିଞ୍ଚିତେ ।୧।
ସରପରି ବଚନ ଭାଷ
ଦରପଣ ବଦନା ଆସ
ଅରପଣକର ଅଧରପୀୟୂଷ
କରପଦେ କିଣା ଦାସ ଉଚିତେ ।୨।
ନିରପତ୍ରପ ମନେ ହେଜ
ପରପଞ୍ଚ ନାଗରୀ ରାଜ
ପରମ୍ପରା ନୀତି ଧୀରପରା ମତି
କର ପରିଜନେ କୃପା ସଞ୍ଚିତେ ।୩।
ନରପତି ପଦବୀ ହୀନ
ତୋର ପତିପଦ ଭାଜନ
କରପତ୍ର ଯୋଡି ଲକ୍ଷ୍ମୀଧର ପଢି
ହର ପରତାପ ପ୍ରୀତି ସଙ୍ଗୀତେ ।୪।