ରଚନା- ଲକ୍ଷ୍ମୀଧର ପଣ୍ଡାଶର୍ମା
କରଡାପଲ୍ଲୀ, କଳାପଥର, ବାଙ୍କୀ,କଟକ
ରାଜସ୍ଥାନ ପ୍ରଦେଶର ଜଣେ ଅନନ୍ୟା ନାରୀ ଭକ୍ତଙ୍କର ଜୀବନୀ ଉପରେ ଆଧାରିତ ଏକ କ୍ଷୁଦ୍ର କାବ୍ୟ "କର୍ମବତୀ"
ପ୍ରଥମ ସର୍ଗ
ରାଗ (ବଙ୍ଗଳାଶ୍ରୀ)
କଳି କାଳ ବିଷ ନାଶନେ ପୀୟୂଷ
ରସପାନେ ହୁଅ ତୋଷ
କୃଷ୍ଣାନନ୍ଦ ପ୍ରେମ ତୃଷ୍ଣାରେ ନିଷ୍କାମ
କ୍ଷମାଦେବ ଯମ ରୋଷ ।
ଭାରତେ ବିରାଜେ ରାଜ୍ୟ ରାଜସ୍ଥାନ
ଶିଖାବତୀ ପୁଣ୍ୟକ୍ଷେତ୍ର
ଦୁଷ୍କର ପୁଷ୍କର ଯହିଁରେ ପୁଷ୍କର
ପବିତ୍ର କରଇ ନେତ୍ର ।
ଏକଦା ନିଦାଘ ମଧ୍ୟାହ୍ନ ରେ ମେଘ
କାଳ ବୈଶାଖୀ ରୂପରେ
ଗ୍ରାସିଲା ଆକାଶ ଧୂଳି ଝଡ ବାତ୍ୟା
ଘଡଘଡି ପ୍ରକୋପରେ ।
ଚପଳା ଚମକ ଚଡଚଡ ଡାକ
ଭୂ ଧର ଫାଟିଲା ପରି
ଖସିଲା କରକା ଖଣ୍ଡ ସହିତରେ
ଜଳଧାର ପଡେ ଝରି ।
ହରିବଂଶ ଦାସ ନାମେ ହରିଦାସ
ଶାସ୍ତ୍ରଚକ୍ଷୁ ଭୁରି କୀର୍ତ୍ତି
ଆସୁଥିଲେ ଆଶୁ ଆଶ୍ରମ ବାସକୁ
ଲେଶମାତ୍ର ନାହିଁ ଭୀତି ।
କ୍ଷିପ୍ରବେଗେ ବିପ୍ର ଗତିକରୁ ଅପ୍ର-
ତିଭ ନୟନ ପତିତ
ଅପ୍ରମିତ ଦୁଃଖ ପ୍ରତୀକ ପ୍ରତିମା
ସଂପ୍ରତି ହେଲା ପ୍ରତୀତ ।
ବାତ୍ୟା ବ୍ୟାକୁଳିତା ଲତା ପରି ଭୀତା
ବର୍ଷା ତିନ୍ତା କ୍ଷୀଣ ଅଙ୍ଗ
ବୃକ୍ଷମୂଳେ ଦୁଃଖ ପୀଡିତା ନିରେଖ
ବସିଛି ହୋଇ ନିଃସଙ୍ଗ ।
ପ୍ରାତଃ ନଳୀନ କି ମଳିନ ଭଜିଛି
ଶୈବାଳ ଛାଦନ ଧରି
ବପ୍ରକ୍ରୀଡା ପ୍ରାନ୍ତେ ଗଜ ପଦାଘାତେ
ମଥିତ ବଲ୍ମୀକ ପରି ।
ତୂର୍ଣେ ସ୍ନେହ ପୂର୍ଣ୍ଣ କର ସଞ୍ଚାଳନେ
ଶୀର୍ଣ୍ଣ ତନୁ ଶିର ପରେ
ସୂକ୍ଷ୍ମ ପକ୍ଷ୍ମ ଟେକି ଚାହିଁଲା ଭୃଙ୍ଗାକ୍ଷୀ
କର୍ଣ୍ଣ ସୁଖ ମଧୁସ୍ବରେ ।
ମୂର୍ତ୍ତିମନ୍ତ ସାଧୁ ବୃତ୍ତିରେ କୃତିତ୍ବ
ଯତି ସ୍ବରୂପ ଦର୍ଶନ
ବ୍ୟଥିତ ମତିରେ କଲା ଅତିତ୍ବରେ
ପଦ ଯୁଗଳ ସ୍ପର୍ଶନ ।
୨ୟ ସର୍ଗ
ରାଗ- କୁମ୍ଭ କାମୋଦୀ
ତୋ ମୁଖ ଚନ୍ଦ୍ରମା ପାଇଁ ଅମା ଜମା କେକଲା କହ ମା
ପରମା ତୁଳସୀ ଅରମା ବିଚାରେ ଯେପରି ସରମା ।।
ଅଶ୍ରୁ ଶ୍ରାବଣ ସ୍ରବିଲା ଘନଘନ ଆଶ୍ବାସ ବାଣୀରେ
ବିଶ୍ବାସ ପାଇ ନିଃଶ୍ବାସକେ ବଖାଣେ ଉଶ୍ୱାସ ଠାଣିରେ ।।
ଅରକ୍ଷିତା ନିରିମାଖି ମୁଁ ଦୁଃଖିନୀ ଜ୍ଞାତି ପରିତ୍ୟକ୍ତା
ଆହା କହିବାକୁ ନାହାଁନ୍ତି ଜଗତେ ସାହା କେ ଯୋଗ୍ୟତା ।।
ଜାତକରି ମାତ ପ୍ରେତ ପୁରଗତ ଗତେ ବର୍ଷ ସାତ
ଚିନ୍ତାକ୍ରାନ୍ତ ତାତ ମୃତ୍ୟୁ ହେଲେ ପ୍ରାପ୍ତ ମାତ୍ର ଅକସ୍ମାତ ।।
ଭୀକ୍ଷାପାତ୍ର ମାତ୍ର ସମ୍ବଳ ମୋ ଗୋତ୍ର ସତ୍ତ୍ର ସୂତ୍ର ଧର
କାଳ ଆବର୍ତ୍ତନେ ବର୍ତ୍ତିବାକୁ ମର୍ତ୍ତ୍ୟେ ଆର୍ତ୍ତ ଗୁରୁତର ।।
କି ମର୍ମରେ କର୍ମବତୀ ନାମ ମମ ବିହିଲେ ଧର୍ମଜ୍ଞ
ଶର୍ମ ଲାଗେ ନର୍ମ ବିଧାତାର କର୍ମ ଅବିବେକ ସଂଜ୍ଞ ।।
କୌଳିକ ମୌଳିକ ପ୍ରଥାରେ ମୋମଥା ସିନ୍ଦୁର ମଣ୍ଡିଲା
ବିବାହ ଦ୍ବିତୀୟ ପ୍ରଭାତେ ସୌଭାଗ୍ୟ ସମ୍ପର୍କ ଛିଣ୍ଡିଲା ।।
କାଳବ୍ୟାଳ ଆସି ବରକୁ ମୋ ଦଂଶି ନାଶିଲା ଜୀବନ
ଅମଙ୍ଗଳି କାଳି ବୋଳି ଦେଲା ଜାଳି ଯଉବନ ବନ ।।
କାନ୍ଥାଡ୍ୟା ବ୍ରାହ୍ମଣ ଶ୍ରୀ ପୁରୁଷୋତ୍ତମ ଶାସ୍ତ୍ରୀ ମୋ ପିଅର
କର୍ମହୀନା କର୍ମବତୀ ଅନାଥିନୀ 'ବାଗର'ରେ ଘର ।।
ଜଗତେ ପ୍ରଖ୍ୟାତି ରହିଛି ଯୁବତୀ ହେଲେ ଅରକ୍ଷିତା
କେତେ ପାପ ଆଖି ରହନ୍ତି ନିରେଖି ସେଥିପାଇଁ ଚିନ୍ତା ।।
-----------------------------------–-------
ଶବ୍ଦ ଟୀକା-ସରମା-କୁକୁର, ଶର୍ମ-ହସ,ନର୍ମ-ପରିହାସ,
ଗୋତ୍ର-ଜନ୍ମ ପରମ୍ପରା, ସତ୍ତ୍ର ସୂତ୍ର-ଯଜ୍ଞୋପବୀତ।
ରାଜସ୍ଥାନର ଶିଖାବତୀ ବା ଆଧୁନିକ ଶେଖାୱତ୍ ର ବାଗର ନାମକ ଗ୍ରାମରେ କାନ୍ଥାଡ୍ୟା ବ୍ରାହ୍ମଣ ଶ୍ରୀ ପୁରୁଷୋତ୍ତମ ଶାସ୍ତ୍ରୀ ଙ୍କ କନ୍ୟା କର୍ମଠି ବା କର୍ମବତୀ ।
୩ୟ ସର୍ଗ
ରାଗ-ରାମକେରୀ
ହରିବଂଶ ଚନ୍ଦ୍ର ସ୍ତାବକ ହରିବଂଶ ଦୁଃଖରେ
ଶ୍ମଶ୍ରୁଳ ବଦନ ଅଶ୍ରୁଳ ନେତ୍ରେ ଭାଷିଲେ ଖରେ ।
ଡରନା ମା ଚିନ୍ତା କରନା ଆସ ଆଶ୍ରମେ ମୋର
ପ୍ରଗତି ଆଣିବୁ ଜଗତି କାଟି ଦୁର୍ଗତି ଡୋର ।
ପ୍ରବୋଧନରୁ ସମ୍ବୋଧନ ପିତା ଶବ୍ଦ ଉଚ୍ଚାରେ
ସନ୍ତରେ ସନ୍ତୋଷ ସ୍ରୋତରେ ମନମୀନ ବିଚାରେ ।
ଯତ୍ନରେ ସେ କନ୍ୟା ରତ୍ନରେ ଯତି କଲେ ପାଳନ
ଭକ୍ତି ଅନୁରକ୍ତି ଶକ୍ତି କି ବିଶ୍ବେ କାହିଁ ତୁଳନ ।
ଶ୍ରଧାର ଲୋତକ ଦ୍ବି ଧାର ଝରେ ଭରେ ନୟନେ
ସଂଧ୍ୟାରେ ଗୋବିନ୍ଦ ରାଧାରେ ବନ୍ଦେ ଆନନ୍ଦ ମନେ ।
ସାଧିକା ପ୍ରେମ ରସାଧିକା କୃଷ୍ଣ ତଦ୍ ଗତ ପ୍ରାଣ
ଆରତି ହୋଇବେ ଭାରତୀ ଭାଙ୍ଗି ପାଣ୍ଡିତ୍ୟ ଟାଣ ।
ଲାଳିତ୍ୟ କଣ୍ଠରେ ବାଳି ତ ଗାଏ ହରି ଭଜନ
ମଜ୍ଜନ ଭକ୍ତିରେ ସଜ୍ଜନ ଦୁଃଖ କରି ଭଞ୍ଜନ ।
ସଂସ୍କାର କରି ଆବିଷ୍କାର ପରିସ୍କାର ଚିତ୍ତରେ
ଗୁଢତତ୍ତ୍ବ ମୂଢତରଙ୍କୁ ପ୍ରତି ନିତ୍ୟ ବିତରେ ।
ଚିନ୍ମୟ ଘନରେ ତନ୍ମୟ ଭାବ ଦେଖି ସନ୍ନ୍ୟାସୀ
ଯବରେ ସେ ଚିନ୍ତା ନାବରେ ଭାବ ସ୍ରୋତରେ ଭାସି ।
ବିବାହ କାର୍ଯ୍ୟକୁ ନିର୍ବାହ ପାଇଁ ଚିନ୍ତି ଚିତ୍ତରେ
ଖୋଜିଲେ ସୁପାତ୍ର ମଜ୍ଜିଲେ ମାତ୍ର ସୁତା ହିତରେ ।
୪ର୍ଥ ସର୍ଗ
ରାଗ- କଳହଂସ କେଦାର
ପାଶେ ବସାଇ ହାସେ ମଣ୍ଡି ଅଧର
ଭାଷିଲେ ଦୁହିତାକୁ ଋଷି ପ୍ରବର
ଭାବିଛି ବିଭାଦେବି ଦେବୀ ଗୋ ଶୁଣ
ହେବି ମୁଁ କନ୍ୟା ଦାତା ଲଭିବି ପୁଣ୍ୟ ।
ଚମକି ଚଞ୍ଚଳାକ୍ଷ ଚାଳିଲା ବାଳି
ବିଧବା ବିପ୍ର କନ୍ୟା କୁଳକୁ କାଳି
କିପରି କୁହ ତାତ ଏ ପାପ ବାଣୀ
ଶାସ୍ତ୍ରଜ୍ଞ ହୋଇ ଏହା ନପାର ଜାଣି ।
ଭୋଜନ, ଚର୍ଯ୍ୟା, ଅଙ୍ଗ ଭୂଷଣମାନ
ଚଳଣି ଅଛି ଯାହା ଶାସ୍ତ୍ର ବିଧାନ
ଶୁଣିଛି ତବମୁଖୁ ପ୍ରବଚନରେ
ନିନ୍ଦିତ କଥା ଶୁଣି ହସିବେ ନରେ ।
କିଭାଗ୍ୟେ ବିଧି ସୁଧା ଭାଣ୍ଡ ଧରାଇ
ଭୋଗିବା ପୂର୍ବୁ ବାଗେ ନେଲା ଚୋରାଇ
ମାୟାରେ ମରୀଚିକା ଛାୟା ପଛରେ
ଇଛା ମୋ ନାହିଁ ଧାଇଁବାକୁ ମିଛରେ ।
ଶର୍କରା ଭାବି ଲୁଣେ କରିଲେ ପଣା
ତୈଳ ଲୋଭରେ ଚଣା ପେଷିଲେ ଘଣା
ଦୁଗ୍ଧ ଧଉତ ଦଗ୍ଧ ଅଙ୍ଗାର ରଙ୍ଗ
ସାର ହେବ ଲଲାଟ ଗାରକୁ ବ୍ୟଙ୍ଗ ।
ବୋଇଲେ ସାଧୁ ଉପଦେଶ ଛଳରେ
ଧନ୍ୟ ନାରୀ ଜୀବନ ଧରା ତଳରେ
ମାତୃତ୍ବ ପାତିବ୍ରତ୍ୟ ସତୀ ଧରମ
ସେବା ସହିଷ୍ଣୁ ତ୍ୟାଗ ପୂତ କରମ ।
ଖରା ବରଷା ଶୀତ ସନ୍ତାପ ସହି
ସକଳ ଦେଖ ବକ୍ଷେ ବହିଛି ମହୀ
ବିତରେ ଫୁଲ ଫଳ ଛାୟା ଶୀତଳ
ବନୀ ବଲ୍ଲରୀ ନିଜ ଧର୍ମେ ଅଟଳ ।
ହେବୁ ମା ପୁତ୍ରବତୀ ପତି ସୁହାଗୀ
ବିବାହ ସାର ବର୍ମ୍ମ ଯୁବତୀ ଲାଗି
ବାଲ୍ୟେ ଜନକ ଯଉବନେ ଭରତା
ବାର୍ଦ୍ଧକ୍ୟେ ପୁତ୍ର ନାରୀ ରକ୍ଷା କରତା ।
ବୋଇଲା ସୁକୁମାରୀ, ନନ୍ଦନନ୍ଦନ
ମୋ ପିତା, ପତି,ପୁତ୍ର ହୃଦ ଚନ୍ଦନ
ସମର୍ପିଛି ଶ୍ରୀ ପଦେ ମନ,ଜୀବନ
ପୂଜିବି ଯିବି ପିତଃ ଶ୍ରୀବୃନ୍ଦାବନ ।
କର୍ମବତୀର ମର୍ମ ବାସନା ଜାଣି
ଧର୍ମଜ୍ଞ ହରିବଂଶ ଭାଷିଲେ ବାଣୀ
କଞ୍ଜ ଲୋଚନ ପଦ ପିଞ୍ଜରାବଦ୍ଧ
ଜଞ୍ଜାଳ ଜାଲେ ସେ କି କିରାତେ ବଧ ।
ସହିତ ଘେନି ଦୁହିତାକୁ ସହର୍ଷ
ପହଞ୍ଚି ହରିକ୍ଷେତ୍ରେ ଶ୍ରୀହରିବଂଶ
ଯମୁନା ତଟେ ରଚି ଆଶ୍ରମ କୁଟୀ
ସାଧୁ ସଙ୍ଗମେ ପ୍ରେମ ଭାବ ଉକୁଟି।
୫ମ ସର୍ଗ
ରାଗ- ଚୋଖି
ମରତେ ଅମର ଧାମ ସାର ବୃନ୍ଦାବନ ନାମ
ବାରବନେ ଶ୍ରେଷ୍ଠତମ ବୈକୁଣ୍ଠ ସମ
ରାଧାଶ୍ୟାମ ନିତ୍ୟପ୍ରେମ ଲୀଳା ସୁଧାରସୋପମ
ଅଲଭ୍ୟ ଯହିଁରେ ଭୀମ ଯାତନା ଯମ
ଚିନ୍ତାମଣି କଳପଦ୍ରୁମ
କାମଧେନୁ ସମ ବର୍ଷେ କାମ କୁସୁମ ।
ଯମୁନା ତଟିନୀ ତଟେ କୁଟ୍ଟିମ ଶୋଭା ପ୍ରକଟେ
କର୍ମବତୀ ତହିଁ ରଟେ ଯଶୋଦା ଚାଟେ
ସାଧୁପାଦ ସେବା ଖଟେ ନିତିପ୍ରତି ସୂତାକାଟେ
ଲୀଳାମୟ ଇଛା ବାଟେ ସମୟ କାଟେ
କଷ ଯେ କଷଟି-ସଙ୍କଟେ
ବସାପାଏ ପୀତପଟଙ୍କର ନିକଟେ ।
ମୁଗ୍ଧା ରାଧା ଗଳାହାର ଆଭୀରୀ ନେତ୍ର ଚକୋର
ସୁଧାଧାର,କରାଧାର ଧରଣୀଧର
ସେ ଗିରିବରେ ବିହାର ସୁପକ୍ବ ଫଳ ଆହାର
ତୋଳି ବନଫୁଲ ହାର ଗୁନ୍ଥେ ସ୍ବକର
ସାଜି ବେଶ ଜୀବବନ୍ଧୁର
ଭାଞ୍ଜିଦିଏ ଦୁଃଖ ରାଜି ଭଜେ ମଧୁର ।
ମହା ବଳିୟାର ବାହା ଦିଲ୍ଲୀଶ୍ବର ବାଦଶାହା
ଔରଙ୍ଗ ଜେବଙ୍କ ଡାହାଣ ହାତ ପରି
ଶାହାଜାହାନଙ୍କ ଶାହା-ଜାଦୀ ତନୟ ସୁବାହା
ସୁବାଦାର ବାହାଦୁର ବିହାର କରି
ହାସନ ବେଗ ର ଶାସନ
ସିଂହାସନେ ମଥୁରାର ପାକଶାସନ ।
ସ୍ବର୍ଣ୍ଣିମ କିରଣ ବୁଣି ବାରୁଣୀ ଦିଗେ ତରଣୀ
ଗମନ୍ତେ ଯମୁନା ପାଣି ଉଠେ ଉଜାଣି
ହାଣି କରୁଣ ଚାହାଣି ଦୁହିତାକୁ ଦିନମଣି
ଆଶ୍ବାସୀ କହନ୍ତି ବାଣୀ ମନକୁ ଜାଣି
କାତର ନହୁଅ ବାୟାଣୀ
ପ୍ରାତରେ ଭେଟିବି ପୁଣି ପରଶି ପାଣି ।
ତୁରଙ୍ଗମ ପରେବସି ତରଙ୍ଗିଣୀ କୂଳେ ରସି
ସଙ୍ଗରେ ବୟସ୍ୟ ଆସି ସାନ୍ଧ୍ୟ ଭ୍ରମଣ
କୁରଙ୍ଗ ଚଞ୍ଚଳଦୃଶୀ ସାରଙ୍ଗ ଗତି ଆଳସୀ
ଅଙ୍ଗରେ ଜଡ଼ିତ ବେଶି ଆର୍ଦ୍ର ବସନ
ରଙ୍ଗ ଢଙ୍ଗ ଦର୍ଶନ ପାଇଁ
ଖଙ୍ଗହୀନ ସୁବାଦାର ଆସଇ ଧାଇଁ ।
ସାରି ସାନ୍ଧ୍ୟସ୍ନାନ ବିଧି ସ୍ମରି ଗୋପ କଳାନିଧି
ଫେରିଆସୁ ବାମ ବିଧି କର୍ମବତୀର
ଘାରି ଦେଲା କାମବିନ୍ଧି ବାରିଜ ବାଣକୁ ସନ୍ଧି
ବାରି ସୁବାଦାର ବୁଦ୍ଧି, ମନ ଅସ୍ଥିର
ଅବରୋଧି ନାରୀଙ୍କି ଧିକ୍କ
ଅବଳା ନଖ ସିଦ୍ଧିକି ନୁହେଁ ଅଧିକ ।
କାଶତଣ୍ଡି ମଣ୍ଡି କୂଳ ଶରତ ତଟିନୀ ତୁଳ
ଶୁଭ୍ର ବସନେ ଉତ୍କୂଳ ତରଙ୍ଗ ଭଳି
ବିଭ୍ରମୁ ଅଭ୍ରମୁ ପତି ଭ୍ରମୁଭ୍ରମୁ ଅନୁରକ୍ତି
ଅଭ୍ରଲତା ପ୍ରତିପତ୍ତି ଦେଉଛି ଦଳି
ଧୂମାବତୀ ଗୁମାନ କରି
ହିମାଦ୍ରି ସୀମାରେ ଉମା ରୂପେ ବିହରି ।
କାହା ମରୂଦ୍ୟାନ ତରୁ ଯା ଅଧର ପଲ୍ଲବରୁ
ନୀହାର କଣିକା ଝରୁଅଛି ସନ୍ତତ
ବାହା ଛାୟା ଆଶ୍ରିତ ରୁ ଆହା କାମ ତାପୁ ତାରୁ
ମହାନନ୍ଦକୁ ବିତରୁ ଯାଇ କହ ତ
ଦେହାତୀତ ମୋହ ବଶରୁ
ରୁହାଇ ପରାଣ ଭିରୁ ମୋ ହାତ ଧରୁ ।
ଶ୍ରବଣେ ଏ ଭାରତୀକି ଯବନେ ଲଭି ଭୀତିକି
ବୟସ୍ୟ ମଥାନତିକି ଭାଷେ ଏତିକି
ଜୀବନ୍ତ ବ୍ୟାଘ୍ର କତିକି ହେବ ଯିବା ସଙ୍ଗତିକି
ଅବଶ୍ୟ,ଏଯୁବତୀକି ନୁହେଁ ପ୍ରାପ୍ତିକି
ଭାବନ୍ତି ଯେମନ୍ତ ମତିକି
ସମ୍ଭବ ସନ୍ଦେହ ସାଧ୍ବୀ ଲାଭ ଯୁକ୍ତିକି।
ପାପବୁଦ୍ଧି ଅହଙ୍କାରୀ ଦର୍ପରେ ବସୁଧା ଭାରି
ସମ୍ପତ୍ତି ସହିତ ନାରୀ ହରଣବ୍ରତୀ
ଯେପରି ଏ ବିମ୍ବାଧରୀ ମୋ ପଲ୍ୟଙ୍କ ଅଙ୍କେ ଧରି
ଯାପନ୍ତି ଯାମିନୀ ଭାରି ନିତମ୍ବା କତି
ଏପରି ଚିନ୍ତାରେ ଫେରିଲା
ସର୍ପରାଜ ଡୋଳେ ଚିତ୍ର ପରି ଧରିଲା ।
୬ଷ୍ଠ ସର୍ଗ
ରାଗ- ଶଙ୍କରାଭରଣ
ନବରେ ଫେରିଲା ଅବୟବ ମାତ୍ର ମନ
ନବ ବୟସୀ ସହିତ ଯବରେ ଗମନ
କବଳରେ ନାହିଁ ଜ୍ଞାନ
କେବଳ ଅପୂର୍ବ ଶୋଭାବତୀ ପ୍ରତି ଧ୍ୟାନ ।
ଥରୁଟେ ଗରୁନିତମ୍ବା ସରୁଆ କଟିକି
ଫରୁଆ ଉରଜ ଧରିବିକି ବାନ୍ଧବୀକି
କରୁ ଖସି ଯାଉ ଯାଉ
ଭରୁଥିବି ଉରେ ପ୍ରସାରିଣ ବେନିବାହୁ ।
ମେଚକକଚା ମୋସଙ୍ଗେ ଖେଳି ଲୁଚକାଳି
ନାଚ ରଚୁ ଥାନ୍ତା ଉଚ୍ଚେ ମାରି କରତାଳି
ଚାରୁ ଚିବୁକ ଚୁମ୍ବନେ
କାଞ୍ଚନ ଗୋରୀକି ଧରି ଘଞ୍ଚ ଆଲିଙ୍ଗନେ ।
ପରିଚାରିକା ମାଧବୀ ମୃଦୁ କାଶ ମାରି
ବାରି ଏଭାବ ବାରିଜ ନେତ୍ରେ ଦେଲା ଠାରି
ଫେରି ଚିନ୍ତା ରାଇଜରୁ
କରି ଅନୁନୟ ବୋଲେ ତାର କାମଜ୍ବରୁ ।
ବାରାଙ୍ଗନା ପରିଚାରି ଭୋଳେ କୋଳେ ଧରି
ଅନଙ୍ଗ ଗର ଆତୁରୀ ରଙ୍ଗରେ ବିହରି
ବାଦ ଶା ଙ୍କ ଭାଗିନେୟ
ଅଙ୍ଗଲାଗି ସୌଭାଗିନୀ ଭୋଗେ ଭାଗ୍ୟ ଶ୍ରେୟଃ ।
ତଟିନୀ ତଟରେ ରଚି କୁଟୀ ଏଣୀକ୍ଷଣା
ତରୁଣୀ ଏକ ରହୁଛି, ତୁତ ବିଚକ୍ଷଣା
ଆଣି ଦେବୁ ଯେବେ ଧନ
ଋଣୀହୋଇ ତୋର ସହି ଗଣିଦେବି ଧନ ।
ନାଟ୍ୟପ୍ରବୀଣା ମାଧବୀ କୂଟ ବିଦ୍ୟାଦକ୍ଷା
ଛଳ ଖେଳେ ନାହିଁ କେହି ତୋର ସମକକ୍ଷା
ଘାଟ ଘଟଣା ପ୍ରକଟେ
ଭେଟାଇଦେ ସୁକଟିକି ଆଣି ମୋ ନିକଟେ ।
ଗଳାରୁ ବାହାର କରି ଦିବ୍ୟ ରତ୍ନହାର
ବାଳାବର କଣ୍ଠେ ଉତ୍କଣ୍ଠିତେ ଉପହାର
ବିହାରକୁ ସୁଦେହାର
ସାହସିନୀ ହସି ହସି ବିହିଲା ଜୁହାର ।
କିଛି ଅଛନ୍ତି ବାଛନ୍ତି ବିବେକ ବିଚାରେ
ସ୍ବେଛାଚାରୀ କୁଛ୍ରବୁଦ୍ଧି ବାଞ୍ଛେ ହତିଆରେ
ମିଛ ତୁଛ ଅହଂକାର
ବିଛୁଆତି ପ୍ରତି ମତି ଭୀତି ନାହିଁ କାର ।
ବିଷାମୃତ ମିଶାଇ ଯତନେ ବିଶ୍ବସାଇଁ
ସଂସାରେ ଯୋଷାଙ୍କୁ ଖାସା ରସାଣେ ବସାଇ
ସାଧ୍ବୀ ସ୍ବୈରିଣୀ ସ୍ବଭାବ
ସାଧନ୍ତି ଅସାଧ୍ୟ ସିଦ୍ଧି ଭାଷାକୁ ଅଭାବ ।
ଗଜଗତିକି କତିକି ଆଣିବା ସମ୍ମତି
ଦୂତୀ ଗମେ ରାତି ବଢେ ହାସନ ଦୁର୍ଗତି
ରତି ପ୍ରତିମାକୁ ଚିନ୍ତି
ଉନ୍ନିଦ୍ର ଅଶାନ୍ତ ମତ୍ତ ଯାମ ଯାଏ ବିତି ।
୭ମ ସର୍ଗ
ରାଗ- କଲ୍ୟାଣ ଆହାରୀ
ଅଚିରେ ପ୍ରାଚିରେ ପ୍ଳାବିଲା ଅବିର ଛବିଳ ରବିର କିରଣ
ନବୀନ ଉତ୍ସାହ ଖେଳିଲା ଭୁବିରେ ଚଞ୍ଚଳ କର୍ମଜୀବି ଗଣ
ରାବିଲେ, ବିହଙ୍ଗମେ ନୀଡ ବରଜି
ଶୁଭିଲା ବୈଦିକ ଋଚା ଉଚ୍ଚାରଣ ଦେବାର୍ଚ୍ଚନେ କମ୍ବୁ ଗରଜି ।
ପୂର୍ବ ଦିଗଙ୍ଗନା ଲିପିଲା ଅଗଣା ବାଗେ ଗୋଳି ରଙ୍ଗ ମୃତ୍ତିକା
ତପନୀୟ ସ୍ଥାଳି ତପନକି ଭାଳି ଜାଳିଦେଲା ଦୀପ ବର୍ତ୍ତିକା
ପୌରୁଷ, ଭୂଷିତ ଜନର ପୂଜନ
ସମ୍ବର୍ଦ୍ଧନା ଛଳେ ପକ୍ଷୀ ଗଣ କଲେ ଜୟଧ୍ବନି କଳକୂଜନ ।
ତାମସୀ ଚୋରଣୀ ପ୍ରାଣୀଙ୍କ ଚେତନ ବିତ୍ତ ନେଇଥିଲା ଚୋରାଇ
ଆରକ୍ଷୀ-ତରଣି କିରଣ ଦଣ୍ଡରେ ବାଡାଇ ଆଣିଛି ଛଡାଇ
ଅନ୍ଧାର, ଛଳେ ଛପିଥିବା ଛାୟାକୁ
ଦଣ୍ଡିବାକୁ ପୁଣି ଗୋଡାଇଛି ପଛେ ଏଣୁ ଆଶ୍ରା କଲା କାୟାକୁ ।
ସଙ୍ଗିନୀ ମଞ୍ଜୁଳା ସଙ୍ଗତେ ମାଧବୀ ଛଦ୍ମ ସନ୍ନ୍ୟାସିନୀ ବେଶରେ
ସଜହେଲେ ସଜସରୋଜ ବଦନା ଯିବେ କର୍ମବତୀ ପାଶରେ
ତେଜିଲେ, ରାଜପରିଛଦ ସକଳ
ରାଜିଲା ଗୈରିକବସନ ଅଙ୍ଗରେ କଣ୍ଠିମାଳା ଚିତା କେବଳ ।
ଯତନେ କୌତୁକୀ କେତନ ବୟସ୍ୟ ସାଥେ ନିକେତନୁ ବାହାର
ଲୁତାତନ୍ତୁ ଫାଶେ ଛନ୍ଦିବା ସାହସେ ଚିତାବାଘୁଣୀକି ସ୍ପୃହାର
ଛଳରେ, ଗୀତେ ରାଧାକୃଷ୍ଣ ଚରିତ
ହାତେ ଗୋପିଯନ୍ତ୍ର ରାମତାଳେ ତାଳ ନୃତ୍ୟ ଯତି ଲୟ ଧରିତ ।
ବେଶଦେଖି ଜନଆଖି ଭଳିଯାଏ ଲେଖିଛି ପୁରାଣେ ଏକଥା
କନକ ବାତାୟୁ ଛଳରେ ଜନକ କନ୍ୟକା ହରେ ଦଶମଥା
ଦୁର୍ଜନ,ମନ ବଚନ କର୍ମ ଭିନ୍ନ
ସାଧୁ ସଜ୍ଜନଙ୍କୁ ବିପଦେ ମଜ୍ଜନ କରନ୍ତି ଖଳ ନିଶିଦିନ।
ବଦନେ ସରଳ ହୃଦରେ ଗରଳ ଚିକ୍କଣ ବଚନ କହନ୍ତି
କଂସାଇ ପୋଷିତ ପୁଷ୍ଟ ମେଷବପୁ ଆଉଁସିବା ନ୍ୟାୟ ବହନ୍ତି
ସ୍ବାର୍ଥରେ,ସାଥୀରେ ମିଶିବା ପ୍ରକାର
ବର୍ଷାତପେ ଛତା ରାତ୍ରେ ଦୀପଚିନ୍ତା ଅନ୍ୟଥା ନୁହେଁ ଦରକାର ।
ବୟସ୍ୟ ଠୁ ଜ୍ଞାତ ଦ୍ବାରେଉପଗତ ହେଉ କର୍ଣେପାତ ସଙ୍ଗୀତ
କୃଷ୍ଣପ୍ରେମାମୃତ ତରଙ୍ଗେ କୁରଙ୍ଗ ଦୃଶୀ ଅବଗାହୀ ଭଙ୍ଗୀ ତ
ଭୃଙ୍ଗାର, ମଧ୍ୟମା ମଜ୍ଜିଛି ରସରେ
ବୃଷଭାନୁ ସୁତା ରାସତରଙ୍ଗିଣୀ ଚରିତ ଗୀତ ବିଳାସରେ ।
ସେ ମୂର୍ଛନା ଶୁଣି ମୂର୍ଛା ହେବପିକ ମୂକ ପାଲଟିବ ସାରିକା
ପାଶେ ମିଳି ତାଳିମାରି ପାଳିଧରି ବାଦ୍ୟ ବାଇଲେ ସଞ୍ଚାରିକା
କୃତ୍ରିମ, ଅଭିନୟ ଦକ୍ଷା ନୟନେ
ଅଶ୍ରୁ ସୂଚାଇ ପ୍ରଣାମ ନିବେଦନ୍ତି ସାଧ୍ବୀ ବିଶ୍ବାସ ସଞ୍ଚୟନେ ।
ସମଧର୍ମୀ ମର୍ମେ କର୍ମବତୀ ନମେ ବେନି ସନ୍ନ୍ୟାସିନୀ ଚରଣେ
ଶ୍ୟାମ ବାମା ପ୍ରେମାନନ୍ଦୀ ଶାନ୍ତିଧାମା ନାମାବଳୀ କଣ୍ଠାଭରଣେ
ମଧୁରେ, ମଧୁରିପୁ ସାକ୍ଷୀ ଅନ୍ତରେ
ମାଧବୀ ମଞ୍ଜୁଳା ମିତଣୀ ହୋଇଲେ ରାଧାମାଧବଙ୍କ ମନ୍ତ୍ରରେ ।
ବଦତି ମାଧବୀ ଶୁଣଗୋ ସାଧବୀ ନିକଟରେ ମଠ ଆମ୍ଭର
ଅହରହ ତହିଁ ହୁଏ ହରିସେବା ମହା ଉତ୍ସବ ଆଡମ୍ବର
ଆସନ୍ତି, ବହୁତ ସାଧୁ ସନ୍ଥ ନରେ
ଆଜି ସଞ୍ଜେ ଆମ୍ଭ ଗୁରୁଜୀ ଆସିବେ କୁଞ୍ଜବିହାରୀ ଦର୍ଶନରେ ।
ଯଦି ଯା'ନ୍ତ ମିତ ସୁଖ ଅପ୍ରମିତ ଜାତ ହୁଅନ୍ତା ତ ମତିରେ
ରାଧାଶ୍ୟାମ ଗୁଢ ପ୍ରେମତତ୍ତ୍ବ ଜ୍ଞାତ ଗୁରୁଙ୍କୁ ଭେଟନ୍ତ କତିରେ
ଭକ୍ତିରେ, ପ୍ରୀତ ହେଲେ ସନ୍ଥ ପ୍ରବର
ସାକ୍ଷାତ ମୁକତି ଗତି ପଥପ୍ରତି ବତାଇ ଦେବେ ବରାବର ।
ସମ୍ମତି ସୂଚନା ଦେଉ ସୁଲୋଚନା ଫେରିଲେ ସହର୍ଷ ଚିତ୍ତରେ
ସୁଦୃଶ୍ୟ କେବଳ ମହାକାଳଫଳ କଳାକାଳକୂଟ ଭିତରେ
ସରଳା, କପଟ ଜାଲରେ ପଶିଲା
ସରସ ରସାନନ୍ଦ ପଦ ସାରସ ମାତ୍ର ମାନସରେ ଘୋଷିଲା ।
ବେଗରେ ହାସନବେଗରେ ଭାଷିଲେ ଆସିବ ସୁନ୍ଦରୀ ରାତିକି
ବଳାରାତି ଭୂତି କତିରେ ମିଳିବ ବସିଥାଅ ନେତ୍ର ପାତିକି
ପ୍ରସନ୍ନେ, ଆସନୁ ଉଠି ସେ ହାସନ
ହସହସ ମୁଖେ ସଞ୍ଚାରିଦ୍ବୟଙ୍କୁ ଦେଲା ସ୍ବର୍ଣ୍ଣ ହାର ବସନ ।
ଷୋଳବୟସୀକି କୋଳରେ ବସାଇ ଦୋଳିବି କୁସୁମ ଦୋଳିରେ
ତୋଳିବି ରୋଳମ୍ବ ଅଛୁଆଁ କେତକୀ ଗୋଳିବି କର୍ପୂର ଧୂଳିରେ
ବୋଳିବି, ଚନ୍ଦନ ମିଶାଇ, ଉରଜେ
ଭୋଳହୋଇ କାମକେଳତୀ ନିକଟେ ଆଳତୀ କରିବେ ହର ଯେ ।
ଘନକୁ ଚାତକ ମୀନେ ଚାହିଁ ବକ ଯଥା ତଥା ପୁରେ ରହିଲା
ଅଶନ ବସନ ଆଭୂଷଣେ ମନ କାହିଁରେ ରୁଚି ନ ବହିଲା
କାମର, କରାମତି ବଡ ବିଷମ
ଅନଙ୍ଗର ଗର ଘାରିଲେ ଅଙ୍ଗରେ ଜଗତ ତପ୍ତାଙ୍ଗାର ସମ ।
୮ମ ସର୍ଗ
ରାଗ-ଆଷାଢ଼ ଶୁକ୍ଳ
ଚରିତ୍ର ଆତ୍ମ ଶକତି ବଳରେ
ଜ୍ଞାନ ପ୍ରଭାବନ୍ତ ହିତୈଷୀ ନରେ
ରାଷ୍ଟ୍ରୋନ୍ନତି ଚିନ୍ତା ହୃଦୟେ ଧରି
ନିତ୍ୟ ପରୋପକାର ବ୍ରତ କରି
ସ୍ବାର୍ଥ ପଥ ବର୍ଜି
ପ୍ରଗତି ସହଜେ ପାରନ୍ତି ସର୍ଜି ।
ପରଦ୍ରବ୍ୟ ପ୍ରତି ଲୁବ୍ଧ ଯା ମତି
ନ୍ୟସ୍ତ ସ୍ବାର୍ଥ ବ୍ୟସ୍ତେ ଲୁଟେ ସମ୍ପତ୍ତି
ମିଥ୍ୟାଚାରୀ ନାରୀ ରଙ୍କ ଅସ୍ଥିର
ପରଦୋଷାନ୍ବେଷୀ ଦ୍ବେଷୀ ଅଧୀର
କରିଲେ ଶାସନ
ପ୍ରଜାପୁଞ୍ଜ କି ହୋଇବେ ପ୍ରସନ୍ନ ।
ରାଜକର୍ମଚାରୀ ମନମୋଟିଆ
ଲାଜ ବର୍ଜିତ ଛନ୍ଦ କପଟିଆ
କାର୍ଯ୍ୟ ସମ୍ପାଦନେ ଲାଞ୍ଚରେ ମନ
ଧାର୍ଯ୍ୟ ସମୟେ ନ ଦେବେ ଦର୍ଶନ
ସାଜନ୍ତି କୃପଣ
ଭାଜନ କି ପୂଜ୍ୟ ପଦବୀ ପଣ ।
ଭଣ୍ଡପୋଷାକରେ ସାଜି ଭୂଷଣ
ଗଣ୍ଡ ସାଧୁରୂପେ ଭକ୍ତି ଦୂଷଣ
ଖଣ୍ଡ ପରି ବାଣୀ ଉଦ୍ଭ୍ରାନ୍ତ ନରେ
ମଣ୍ଡନ୍ତି ସୁଶ୍ରାବ୍ୟ ପ୍ରବଚନରେ
ଖଣ୍ଡିବକି ପାପ
ଗଣ୍ଡିମୋଟଙ୍କର କାର୍ଯ୍ୟ କଳାପ ।
କାମିନୀ କାଞ୍ଚନ ମାଦକେ ମାତି
ଦାମୀ ବେଶଭୂଷା ଫୁଲାଇ ଛାତି
ଯାମିନୀ ଯାପନ୍ତି ଗଣିକା କତି
ସ୍ବାମୀ ବୋଲାନ୍ତି ମୂଢ ପାପ ମତି
କାମୀ ଭକ୍ତ ଗଣ
ନାମୀ ଭଣ୍ଡଙ୍କ ସେବନ୍ତି ଚରଣ ।
ହାତେ ମାଳା ଜପ ଚିତା ତିଳକ
ଚିନ୍ତେ ପରପାଇଁ ମନ୍ଦ କୀଳକ
ନାନା ଉପାୟରେ ଅରଜି ଧନ
ବାନା ଉଡାନ୍ତି ଆମ୍ଭେ ସାଧୁଜନ
ପ୍ରବଞ୍ଚକ ପାଜି
କେବଳ ଭ୍ରମନ୍ତି ବେଶକୁ ସାଜି ।
ନିରୀହ ଜନତା ସରଳ ଭାବେ
ତରିବା ପାଇଁକି ଭକତି ନାବେ
ବରି ଥାନ୍ତି ସେହି ମନ୍ଦ ବୁଦ୍ଧିଙ୍କି
କରି ଥାନ୍ତି ନିନ୍ଦା ଶେଷେ ବିଧିକି
ବରିଷ୍ଠ ସାଧକ
ହରି ପ୍ରେମେ ତାର ନାହିଁ ବାଧକ ।
ଧର୍ମ ଭୀରୁ ଯେତେ ଜଗତେ ଛନ୍ତି
ତାହାଙ୍କୁ ଠକିବା ସହଜ ଅତି
ସିନ୍ଦୁର କଜ୍ଜ୍ବଳ ବୋଳି ପଥରେ
ଧୂପ ଜାଳି ଥୋଇଦେଲେ ପଥରେ
ନଜାଣି କି ନାମ
ପଥିକ କରିବ ଶତ ପ୍ରଣାମ ।
ଏପରି ଯେଉଁ ସମାଜର ଚିତ୍ର
କିପରି ତିଷ୍ଠିବେ ସାଧୁ ଚରିତ୍ର
ଅପରିଣାମ ଦର୍ଶୀ ସୁବାଦାର
ସୁପରିଚିତ ମନ୍ଦ ବ୍ୟବହାର
ନୃପ ରୀତି ଧର୍ମ
ବିପରୀତ ବୁଦ୍ଧି ନୃଶଂସ କର୍ମ ।
ସୁଖବରଣୀ ପାଇ ସୁ ଖବର
ମୁଖ ପ୍ରସନ୍ନ ଅତି କାମୁକର
ସଙ୍ଗେ ସଙ୍ଗେ ରଙ୍ଗାଜୀବ ଡକାଇ
ରଙ୍ଗନିଳୟକୁ ବେଗେ ସଜାଇ
ଚିତ୍ରିଲେ ସଦନ
ଭିତ୍ତିରେ ନାନା କାମ ଉନ୍ମାଦନ ।
ପ୍ରଦ୍ୟୁମ୍ନ ପ୍ରଭା ଦମନ କାମନା
ପୁରାଣ ବର୍ଣ୍ଣିତ ରତି କଳ୍ପନା
ସୂକ୍ଷ୍ମ କାରୁକଳା ଶିଳ୍ପୀ ବର୍ଣ୍ଣାଳି
ପକ୍ଷ୍ମ ନପଡିବ ବିଚିତ୍ର ଭାଳି
ମାଳ ମାଳ ଦୀପ
ଜଳଇ ପ୍ରତି ଦେହଳି ସମୀପ ।
ସୁବାସ ଅତରେ ବାସ ମହକେ
ଗନ୍ଧ ଧୂପ ଧୂମ ଉଠେ ଡହକେ
କୃତ୍ରିମ ଉଶୀର ବ୍ୟଜନେ ବାଜି
ବାତାୟନେ ମୃଦୁ କମ୍ପନ ସାଜି
ବିତରେ ଶୀତଳ
ଅନୁକୂଳ ବାତେ ଚିତ୍ତ ଚଞ୍ଚଳ ।
ଦୁଗ୍ଧଫେନ ନିଭ ତୁଳିକା ତଳ୍ପ
ସ୍ନିଗ୍ଧ ପୁଷ୍ପ ଦଳ ବିଞ୍ଚିଲେ ଅଳ୍ପ
ମୁଗ୍ଧପ୍ରଦ ସଦ୍ୟ ଗୋଲାପପାଥ
ଦିଗ୍ଧହୋଇ ରଜ ଚନ୍ଦନ ସାଥ
ସ୍ରଗ୍ ଧରାଲମ୍ବନୀ
ଦଗ୍ଧ ହେବ ଦ୍ବେଷୁଁ ନନ୍ଦନ ବନୀ ।
ରଙ୍ଗ ଶାଢୀ ପିନ୍ଧି ବାରୁଣୀ ରାଣୀ
ସ୍ବର୍ଣ୍ଣ ଗରିଆରେ ଆଣିବ ପାଣି
ସହସା ହାତରୁ ଖସି ପଡିଲା
ଭାସି କିଛି କ୍ଷଣ ଗରା ବୁଡିଲା
ବ୍ୟସ୍ତ ପୁର ଜନ
କୋଳାହଳ ପକ୍ଷୀ କଳକୂଜନ ।
ଚରମାଚଳକୁ ଚଳନ୍ତେ ରବି
ଘରବାହୁଡିଲେ ବିହଙ୍ଗେ ରବି
ପୁରନ୍ଦର ଦିଗ ମଣ୍ଡିଲେ ଇନ୍ଦୁ
ସୁରମ୍ୟ ଲୋହିତ ଚନ୍ଦନ ବିନ୍ଦୁ
ପୁରନ୍ଧ୍ରୀଙ୍କ କରେ
ଘୂରଇ ଆଳତୀ ଠାକୁର ଘରେ ।
୯ମ ସର୍ଗ
ରାଗ-ଧନାଶ୍ରୀ
ସରଳ ହୃଦୟା ଦୟାବତୀ ମାୟାସୂତ୍ରେ ହୋଇଗଲା ଛନ୍ଦି
ପକ୍ବଫଳ ଲୋଭେ ଶୁକ ଯେଉଁଭାବେ ପିଞ୍ଜରାରେ ହୁଏବନ୍ଦୀ
ସାଧୁ ସଙ୍ଗତି ଇଛି, ସବୁ କିଛି କାର୍ଯ୍ୟେ ମନ ଛିଛି ।
କହିଛି ମିତଣୀ ସନ୍ଥ ଶିରୋମଣି ସେବା ନିଯୋଗ ସୁଯୋଗ
ଦୁର୍ଲ୍ଲଭ ମୁକତି ବିଭବ ପ୍ରାପତି ହେବ ଛେଦି ଭବରୋଗ
ଗୁନ୍ଥି କୁସୁମ ସ୍ରଜ, ନାନା ପୂଜାଦ୍ରବ୍ୟ କଲା ସଜ ।
ହୃଦୟ ମୋଦକ ପାଇ ପାଦୋଦକ ଚିନ୍ତା ଦକ ଯିବ ସରି
ହୋଇଲେ ବରଦ ମୋହତାପ ରଦ୍ଦ ହେବ ପଦ ଅନୁସରି
ଥିବି ସେବିକା ପଣେ, ସ୍ବୟଂ ସିଦ୍ଧ ଶ୍ରୀଗୁରୁ ଆପଣେ ।
ଏକାଳେଶ୍ରବଣାଧ୍ବନୀରେ ଧ୍ବନିତ ହେଲା ମିତଣୀ ବଚନ
ସୁବ୍ୟବସ୍ଥା କରି ଆସୁ ହେଲା ଡେରି କର ମୋ ଦୋଷମୋଚନ
କରି ମୃଦୁ ଛଳନା, ଧରି କରକୁ ବାର ଲଳନା ।
ବିଷବୈଦ୍ୟ ଗଦ ପଦ ଯୋଗୁଁ ମୁଗ୍ଧ ଗୁଢପଦ ହେଲାପରି
ପୁତ୍ତଳି ନର୍ତ୍ତକ ହସ୍ତ ସୂତ୍ର ବଦ୍ଧ ପୁତ୍ତଳି ଭଳି ସଞ୍ଚରି
ଭାଲେ ଅଲିଭା ଲେଖା, ଭାଗ୍ୟ ଭୁଞ୍ଜାଏ କାଳ ଅଦେଖା ।
ପ୍ରବେଶୁ ସେ ପୁର ଭିତରେ ଆତୁରେ ମାଧବୀ ଚତୁରେ ଭଣି
ବସିଥା ମିତଣୀ ଆସିବେ ଏକ୍ଷଣି ସାଧୁକୁଳ ଶିରୋମଣି
ଯିବି ସଙ୍ଖୋଳି ଆଣି, ଆଗୁଁ ମଞ୍ଜୁଳା ଯାଇଛି ଜାଣି ।
ଚମକି ଚାହିଁଲା ଚଉଦିଗେ କାହିଁ ଭକ୍ତଙ୍କର ଚିହ୍ନ ନାହିଁ
ଚିନ୍ତାରେ ତାତିଲା ଚେତନା କେବଳ ଚଞ୍ଚଳ ମନ କିପାଇଁ
ଦେଖେ ବିଚିତ୍ର ଚିତ୍ର, କାମସୂତ୍ର ଶାସ୍ତ୍ରର ଚରିତ୍ର ।
ପବିତ୍ର ସାଧୁସଦନରେ ମଦନ କ୍ରୀଡା ବିନୋଦନ ଛବି
ଭେଦ ନବୁଝି ସେ ଓଦନରେ ବିଷ ଗ୍ରାସିଛି, ସହସା ପବି
ପାତ ହେଲା କି ଶିରେ, ସହାୟ କେ ଏକାନ୍ତ ନିଶିରେ ।
କାହିଁଗଲ ସହୀ ମିଥ୍ୟାକଥା କହି ଅହି ସମ ଯାହା ହେଲ
ଏହିଧର୍ମେ ମହୀ ରହିବକି ସହି ବିଶ୍ବାସରେ ବିଷ ଦେଲ
ବୋଲି ହେଉ ବାହାର, ରୁଦ୍ଧ ହୋଇଛି ପ୍ରସ୍ଥାନ ଦ୍ବାର ।
------------------------------------------------
ଶବ୍ଦଟୀକା- ସୂତ୍ରେ-ସୂତାରେ, ସ୍ରଜ-ମାଳ, ଶ୍ରବଣାଧ୍ବନୀ- କାନବାଟ,
ବାରଲଳନା-ଗଣିକା, ବିଷବୈଦ୍ୟ-ସାପୁଆ କେଳା,
ଗୂଢପଦ-ସର୍ପ, ପୁତ୍ତଳି-କଣ୍ଢେଇ, ଓଦନ-ଅନ୍ନ (ଖାଦ୍ୟ)
------------------------------------------------
ଗୁପତ କକ୍ଷରୁ ସମୁଦ୍ଗତ ଦୀର୍ଘ ବପୁଷ ପୁରୁଷ ଏକ
ସମକ୍ଷରେ ଦେଖି ଭୀତା ଚଞ୍ଚଳାକ୍ଷୀ ବନହରିଣୀ ପ୍ରାୟେକ
ଗଲା ସର୍ବାଙ୍ଗ ଥରି, ଅନାଗତ ବିପତ୍ତିକୁ ଡରି ।
ହସି ଭାଷେ ପୁଂସ ଡରନା ନାରୀଶ ମୁଁ ମଥୁରା ଅଧୀଶ୍ବର
ବର ବରନା ମୋତେ ପରକରନା ତୋ ରୂପ କିଣାଚାକର
ବୋଲି, ଧରିବା ପାଇଁ, ତରତରେ କରକୁ ବଢାଇ ।
କମଳ ପଲ୍ଲବେ ଜଳବିନ୍ଦୁ ଢଳଢଳ ମୁକ୍ତା ପରି ଦିଶେ
ସ୍ବାତୀ ଯୋଗେ ମୁକ୍ତା ସ୍ବରୂପ ଧରଇ ଶୁକ୍ତି ଗର୍ଭେ ଯେବେ ମିଶେ
ସେହି ସୁଯୋଗ ତୋର, ହେବୁ ବେଗମ ସାହିବା ମୋର ।
କର୍ମବତୀ-
ଜଗଚ୍ଚକ୍ଷୁ ସିନା ବିରୋଚନ ମାତ୍ର ପେଚକ ପାଇଁ ଅହିତ
ବସନ୍ତେ ସକଳେ କିଶଳୟବନ୍ତ କୀଚକ ପତ୍ର ରହିତ
ତଥା ମୋ ଭାଗ୍ୟ ଦଶା, ବୃଥା ହେବିସିନା ଲୋକହସା ।
ହାସନ୍ ବେଗ୍-
ଭ୍ରମରର ଧର୍ମ ଭ୍ରମି ନାନା ସୁମ ଚୁମ୍ବି ମଧୁ କରେ ପାନ
ମାନ ତେଜି ଅଙ୍କ ପଲ୍ୟଙ୍କେ ନିଃଶଙ୍କେ ବସି କର ରତିଦାନ
ନାହିଁ ଉପାୟ ଆନ, ଶେଷେ ସାର ହେବ ଅପମାନ ।
କର୍ମବତୀ-
ପୁଷ୍ପପ୍ରତି ପ୍ରୀତି ଆଚରଣ ରୀତି ଅଛି ଭୃଙ୍ଗ ଅଧିକାର
କେତକୀ ଚମ୍ପକ କତିକି ଗତିକି ନୟନ ଦେଖିଛି କା'ର
ଘେନା କର ମୋ ଅଳି, ନୃପ ପ୍ରଜାପିତା ନୁହେଁ ଅଳି ।
ଅତନୁ ସନ୍ତାପ ହରଣେ ତୋତନୁ ଯୌବନ ସରିତପତି
ବୋଲେ ବାଳା ସତ୍ୟ, ଅଥଳ ଅଗାଧ ଲବଣାକ୍ତ ଶୋଷୀ ପ୍ରତି
କାମାତୁର ନିର୍ଲ୍ଲଜ, ବଳାତ୍କାର କରିବାକୁ ସଜ ।
-------------------------------------------
ଶବ୍ଦ ଟୀକା-ଜଗଚ୍ଚକ୍ଷୁ-ଜଗତର ଏକ ଆଖି।ବିରୋଚନ-ସୂର୍ଯ୍ୟ।
କୀଚକ-ବାଉଁଶ।ସୁମ-ଫୁଲ।ଅଳି-ନିବେଦନ, ଭ୍ରମର।ସରିତପତି-
ସାଗର ।
୧୦ମ ସର୍ଗ
ରାଗ-କଳସା
ହେ ପ୍ରତାପୀ ନରନାଥ ବୀରଙ୍କ ଭୂଷଣ
ସ୍ତ୍ରୈଣପଣ ନୁହଁଇ କି କୀରତି ଦୂଷଣ ।
ଚିକ୍କଣ ଚର୍ମାଛାଦିତ ନାରୀଦେହ ପାଇଁ
କୁତ୍ସିତ ବାସନା ଚିତ୍ତେ ଆସିଅଛ ଧାଇଁ ।
ଅସ୍ଥି ଚର୍ମ ମାଂସ ଲୋମ ମୂତ୍ର ପୁରିଷର
ପୂତି ଶୋଣିତର ଯାହା ଘୃଣ୍ୟ ଗନ୍ତାଘର ।
ପ୍ରଭାତେ ପ୍ରଫୁଲ୍ଲ ସୂନ ସକଳେ ରଞ୍ଜଇ
ସାୟଂକାଳେ ପର୍ଯ୍ୟୁଷିତ ବିକୃତି ଭଜଇ ।
ତଥା ଏ ଶରୀରେ ଫୁଟି ଯୌବନ ପ୍ରସୂନ
ଆକର୍ଷଇ ସିନା ବିଚାରିଲେ ତୁଛ,ଶୂନ୍ୟ ।
କୁଟ୍ଟନୀ କପଟ ମୋତେ ଆଣିଲା ଓଟାରି
ନୁହଁଇ ମୁଁ ତବଯୋଗ୍ୟ ମନୋହାରୀ ନାରୀ ।
ସଜ୍ଜନ ସଙ୍ଗତି ମୋର ଜୀବନର ବ୍ରତ
ଅହରହ ହୃଦେ ଚିନ୍ତେ ରାଧାକୃଷ୍ଣ ତତ୍ତ୍ବ ।
ପିତ୍ତରୋଗୀ ନ ଜାଣଇ ହିତ କି ଅହିତ
ଅନ୍ଧକୁ ଆଲୋକ ପୁଣି ବଧିରକୁ ଗୀତ ।
ନିତ୍ୟ ଦ୍ୟୂତକାର ପାଶୁଁ ସତ୍ୟାନୁସନ୍ଧାନ
ମଦ୍ୟପ ଲମ୍ପଟେ ବୃଥା ତତ୍ତ୍ବ କଥାମାନ ।
ମ୍ଳେଛ କି ବୁଝଇ ଯଜ୍ଞ ପୂଜା ଉପଚାର
ଅଜ୍ଞ ପାଶେ କଲେ ସ୍ମୃତି ଶାସ୍ତ୍ରର ବିଚାର ।
ଆତ୍ମସୁଖ ପାଇଁ ହିଂସ୍ର ମନୁଷ୍ୟ-ଅସୁର
ରୂପଧରେ ଅନାୟାସେ ନିର୍ମମ ପଶୁର ।
ତଥା ସନ୍ନ୍ୟାସିନୀ ଉପଦେଶ ବାଣୀ ପ୍ରତି
ଧ୍ୟାନ ନଦେଲା ଉନ୍ମାଦ କାମାନ୍ଧ ଦୁର୍ମତି ।
ସ୍ବେଛାଚାରୀ ଜନଙ୍କର ସ୍ବଭାବ ଅଧୀର
କାୟ ମନୋବାକ୍ୟ ଧୈର୍ଯ୍ୟ କଦାନୁହେ ସ୍ଥିର ।
ବିଷାକ୍ରାନ୍ତ ବ୍ୟକ୍ତି ରସନାକୁ ମିଷ୍ଟ ରସ
ପିତା ଲାଗେ ଯଥା ତଥା ହାସନ ଅବଶ ।
ମାଦକ ପ୍ରଭାବେ ନେତ୍ର ପ୍ରଭା ବଟଫଳ
ତହୁଁ ବଳି କାମତାପ ଜ୍ଜ୍ବଳନ ପ୍ରବଳ ।
ନିଭୃତ ପ୍ରକୋଷ୍ଠେ ନାରୀ ଲୋଲୁପ କାମୁକ
ବିବେକର ବେକ ମୋଡେ ଦର୍ପକ କାର୍ମୁକ ।
ଉନ୍ମାଦ ଉଚ୍ଚାରେ ଏକି ଯୋଗ୍ୟ ଉପଚାର
ମଧୁମାସେ ପୀକ ସ୍ଥଳେ ପେଚକ ଚିତ୍କାର ।
ଶୋଭାପାଏ କିବା ଘନାଛାଦିତ ଅମ୍ବର
ସ୍ତନିତ ଜନିତ ଘୋର ବିଦ୍ୟୁଦାଡମ୍ବର ।
କୁମୁଦକୁ ମୁଦକରେ ତମୋନୁଦ କର
ଶୋଭଇକି ସେକାଳରେ ନଭେ ପ୍ରଭାକର ।
ଚମ୍ପା ଶମ୍ପା ବରନା ଗୋ ଅନୁକମ୍ପା କର
କରକ ରଦନା ଧନୀ ଧରୁଛି ତୋ କର ।
କାମଜ୍ବରେ ଘନଘନ କମ୍ପ ଅପଘନେ
ସୁଧା ଦେଇ ବୋଧକର ଓଷଧୀଶାନନେ ।
ଏମନ୍ତ ବୋଲି ପ୍ରମତ୍ତ ପ୍ରସାରିଲା ହସ୍ତ
ବ୍ୟସ୍ତେ ତ୍ରସ୍ତେ ବାଳୀ ବଳାନୁଜେ ଚିତ୍ତ ନ୍ୟସ୍ତ ।
କଂସ ବଂଶ ଧ୍ବଂସୀ ବଂଶୀ ବିଭୂଷିତାଧର
ହଂସଧ୍ବଜ ସହସ୍ରକଂସକ ଦର୍ପହର ।
ହେଳିସୁତା କୋଳୁ ତୋଳି ନଳୀନୀ ମୁଦରେ
ହେଳାରେ ଦଳି କାଳିକି ନିଦର ଉଦରେ ।
ମଞ୍ଚାପରେ ଘଞ୍ଚାଳନ୍ତେ ପାଞ୍ଚାଳୀ ଅଞ୍ଚଳ
ପୁରୁଷ ପଞ୍ଚାସ୍ୟ ବଞ୍ଚାଇଥିଲ ଚଞ୍ଚଳ ।
କରୀ ହରିଣୀଙ୍କୁ ତାରିଥିଲ ଅଛି ଶୁଣି
ଅଭାଗିନୀ ମାନରଖ ଶ୍ରୀପଦେ ମାଗୁଣି ।
ଏତେବୋଲି ହାତଟେକି କାତର ଚିତ୍ତରେ
ସମର୍ପିତା ହେଲାଭୀତା ରାଧିକା କାନ୍ତରେ ।
--------------------------------------------
ଶବ୍ଦ ଟୀକା-ସ୍ତନିତ-ମେଘଗର୍ଜନ।ତମୋନୁଦ-ଚନ୍ଦ୍ର
ହଂସଧ୍ବଜ-ବ୍ରହ୍ମା।ସହସ୍ରକଂସକ-ଇନ୍ଦ୍ର।
ହେଳିସୁତା-କାଳିନ୍ଦୀ । ଉଦରେ-ଜଳକୁ । ପଞ୍ଚାସ୍ୟ-ସିଂହ ।