Issue Date
1 Jun, 2020
Genres
ରସିକାପ୍ରତି ରସିକର ଉକ୍ତି
ଆଦ୍ୟେ"କ"ନିୟମେ
କବି: ଗାୟକ ବିଦ୍ୟାଭୂଷଣ ରମାକାନ୍ତ ମିଶ୍ରଶର୍ମ୍ମା
ଜଟଣୀ, ଖୋର୍ଦ୍ଧା
କଣିଆଁଇ ଚାହାଁନାତୁ,
କରକ ରଦନୀ ବାଳା ।
କେକୀ ପୁଚ୍ଛ କୁନ୍ତଳା ତୋ,
ଚାହାଁଣି ମରମ ଜଳା ।।୦।।
କମଳନୟନୀ ବାଳା,
କରନା ଉରକୁ ଶିଳା ।
କୁଚ କୁଧର ତୋହର,
ଯତି ମତି ଧୈର୍ଯ୍ୟ ଟଳା ।।୧।।
କୃଶ ଉଦରେ ରୋମାଳି,
କାଳିନାଗୁଣୀ କି କଳି ।
କରଇ ପ୍ରବେଶ ନାଭୀ-
ବିଳେରେ ନବ ଛଇଳା ।।୨।।
କାର୍ମୁକ ସମ କାମର,
କମନୀୟ ଭୂରୁ ତୋର ।
କଟାକ୍ଷ ଶର ଚାଳିଲେ,
ମୁନିଏ ହେବେ ବାଉଳା ।।୩।।
କରୁଣା କରିଲେ ଊଣା-,
କରିବି ମାର ଯନ୍ତ୍ରଣା ।
କହେ ରମାକାନ୍ତ ବଣା,
କଲୁ ମୋତେରେ ମହିଳା ।।୪।।