ରଚନା- ଲକ୍ଷ୍ମୀଧର ପଣ୍ଡାଶର୍ମା
କେଳି କୌତୁକୀ ହେଳିସୁତା କୂଳିୟା
ନେଳି ବସନ ହଳୀ ଭାବ ଭୋଳିଆ ।୦।
କାଳୀୟ ଦଳି କାଳିନ୍ଦୀ ନଳିନୀ ତୋଳି
ଖଳିକାର ପରି ବିଷ ସଂକଟ ଟାଳି
ପାଳିଲ ବ୍ରଜକୁଳ ହେଳେ ଶିଖଣ୍ଡ ମୌଳି
ଦଳିତାଞ୍ଜନ କାନ୍ତି କାଳି କାଳିକା ଅଳି
ଲଳିତ ତନୁ ଶୋଭା ତୁଳିଲେ ନୋହେ କଳି
ଅଳିକ ନୁହେଁ କାମ ଅସମେ ସହେ ଗାଳି
ଧୂଳି ଖେଳିକି ଅନ୍ଧ ଡୋଳା ଝଳିଆ ।୧।
ବଳିଆଇ ଶୈଳପୂଜା ହବନ ଶୈଳୀ
କଳିକରି ଇନ୍ଦ୍ର ମାରେ ବଜ୍ର ବିଜୁଳି
ବଳି ଦୂଷଣ ରୋଷେ ସଲିଳ ଦେଲା ଢାଳି
ତୋଳିଲ ଗୋବର୍ଦ୍ଧନ କେଳି କନ୍ଦୁକ ଭଳି
କୁଳୀଶ ପାଣି ହାରି ହୋଇଲା ନିଉଛାଳି
ଜଳିଲା ବନସ୍ଥଳୀ ଭୀତ ଆଭୀର ମେଳି
ଛେଳି ବାହନେ ସର ପୁଳି ଭଳିଆ ଗିଳି
କଳିତ ବୃନ୍ଦାବନ ଅପୂର୍ବ ଶୋଭାଶାଳୀ
କୁଳୀନାଳି ରାସ ରସିକ କାଳିଆ ।୨।
ଭାଳିଲା ନଳିନୀ ସୁତ ଦ୍ବନ୍ଦ୍ବ ପଟଳୀ
କ୍ଷାଳିଛି ଯା'ପାଦ ସେ କି ଏ ବନମାଳୀ
ଲାଳିତ ଗୋଧନକୁ ସଙ୍ଗେ ଗୋପାଳାବଳୀ
ଛଳି ହରି ହାରିଲା ସ୍ତବନେ ବଦ୍ଧାଞ୍ଜଳି
ନାଳୀକ ପଦେ କେତେ ଚିନ୍ତେ ହେ ଗଳାମାଳି
ଅଳି ଘେନି ମୋ କୋଳେ ଆସ ଚନ୍ଦ୍ରକଚୁଳି
ଗୋଳି ଚନ୍ଦନ ରଜ ଶ୍ରୀଅଙ୍ଗେ ଦେବି ବୋଳି
ଗାଳି ଦେବି ନୋହିଲେ ଜାଣିଥା ମାରି ତାଳି
ଭାଳି ଲକ୍ଷ୍ମୀଧର ତୋ ପାଦ ତଳିଆ ।୩।
-----------------------------------
ଶବ୍ଦ ଟୀକା-
ହେଳିସୁତା- ସୂର୍ଯ୍ୟ ତନୟା ଯମୁନା, ନେଳିବସନ-ନୀଳାମ୍ବର, ହଳୀ-ବଳରାମ, ଖଳିକାର-ବିଷବୈଦ୍ୟ ବା ସାପୁଆକେଳା, କାଳି-କଳାରଙ୍ଗ, କାଳିକା-ମେଘ, ଅଳି-ଭ୍ରମର।, ଅଳିକ-ମିଥ୍ୟା, ଧୂଳି ଖେଳିକି...ଧୂଳିଖେଳରେ ଅନ୍ଧର ନେତ୍ରକୁ ଦୀପ୍ତିମାନ୍ କରିଥିଲେ ।
ବଳିଆଇ-ଆଗୁଆ ହୋଇ।, ଶୈଳ-ପର୍ବତ, ପୂଜନରେ ହବନ-ହୋମ କ୍ରିୟା ପ୍ରବର୍ତ୍ତକ।, ବଳିଦୂଷଣ-ବଳିର ଶତ୍ରୁ ଇନ୍ଦ୍ର, କେଳିକନ୍ଦୁକ-ଛୋଟ ପେଣ୍ଡୁ, ଜଳିଲା....ଭଳିଆ ଗିଳି ଅର୍ଥାତ୍ ବୃନ୍ଦାବନରେ ଲାଗିଥିବା ଅଗ୍ନିକୁ ସରପୁଳି ଭଳି ଗିଳି ଆଭୀର ଅର୍ଥାତ୍ ଗୋପୀଗୋପାଳଙ୍କୁ ରଖିଥିଲେ, ଛେଳିବାହନ-ଅଗ୍ନି, କଳିତ-ଆଶ୍ରିତ।, କୁଳୀନାଳି-କୁଳବତୀ ନାରୀ, ନଳିନୀ ସୁତ-ବ୍ରହ୍ମା, ନାଳୀକ-ପଦ୍ମ, ଚନ୍ଦ୍ରକ ଚୁଳି-ମୟୂର ପିଛ ଚୁଳିଆ, ରଜ-କର୍ପୂର