ରଚନା-ଗାୟକ ଜ୍ଞାନଗୌରବ
ଲକ୍ଷ୍ମୀଧର ପଣ୍ଡାଶର୍ମା
କରଡାପଲ୍ଲୀ, ବାଣିଆ, କଳାପଥର
କଟକ- ୭୫୪୦୦୯
କୃପା ସରିତ ହେ,
ସରି ତ ଯାଉଛି କାଳ
ମରିତ ଯାଉଛି ମୋ ହୃଦ କେଦାର
ବାରିଧାରା ଥରେ ଢାଳ ।୦।
ମାରିବା ତାରିବା ଠାରିଦେଲେ ନେତ୍ରେ
ହରିତ ଦୁକୁଳ ଭାଳ
କାରିଗରୀ ତୁମ ଚାରିଦଶ ପୁରେ
ଘେରି ରଖିଛ ଜଞ୍ଜାଳ ।୧।
ଭାରିତ ହେଲାଣି ସଂସାରର ବୋଝ
ଦରିଦ୍ରଙ୍କ ଗଳାମାଳ
ଘାରିତ ଦେଉଛି ମାୟା ମୋହ ନିଶା
ନାରୀସ୍ନେହ ହେଲାକାଳ ।୨।
ଝରିବା ଲୋତକେ ପୂରିଯାଉ ନେତ୍ର
ଝୁରିତୋ କୀରତି ମାଳ
ପାରିକରିଦେବ ଗିରିବିହାରୀହେ
ସ୍ମରି ସ୍ମରି ପୂରୁ କାଳ ।୩।
ହରିନାମ ମୁଖେ ଧରି ଆତ୍ମସୁଖେ
ନଯିବି ଶମନ ଆଳ
ଚାରି ପୁରୁଷାର୍ଥ-ଦାତା ପୂର୍ଣକର
ଲକ୍ଷ୍ମୀଧର ଭୀକ୍ଷାଥାଳ । ୪।
ହେ! ପୂତନା ପ୍ରାଣଖିଆ, ମୋଚକାଆଖିଆ
କେମିତି ଅଛନ୍ତି ଲୋକେ ଥରେତୁ ଦେଖିଆ ।
ତୁ ପରା ଜଗତନାଥ,ଜଗତହେଲା ଅନାଥ
କିଏ ଦେଲା ତୋତେ ଦୀନବାନ୍ଧବ ଆଖିୟା ।
ମରିବେ ଗରିବ ଯେବେ, କିଏବା ରଖିବ ତେବେ
ବ୍ୟାପିଲା ଅରାଜକତା ତୁପରା ମୁଖିଆ ।
ସଭିଏଁ ତ ତୋର ପ୍ରଜା, ତୁ ପରା ସଭିଙ୍କ ରାଜା
କିଏ ଖାଏ ଗଜା ଖଜା କେ ପୁଣି ଅଖିଆ ।
ଦେଖି ଦେଖି ଶୁଣି ଶୁଣି, ରହିବୁ ଯେବେ ତୁ ତୁନି
ଦୀନଲକ୍ଷିଆ ଗୋସାଇଁ ରହିଛି ସାକ୍ଷିଆ ।