ରଚନା- ଲକ୍ଷ୍ମୀଧର ପଣ୍ଡାଶର୍ମା (ଗାୟକ ଜ୍ଞାନ ଗୌରବ)
ସା-କରଡାପଲ୍ଲୀ, ପୋ-ବାଣିଆ, ଭା-କଳାପଥର, ଜିଲ୍ଲା-କଟକ
ଫୋନ-9937222583, 7381884756
ଜଣାଣ
ଜଗବନ୍ଧୁ ହେ,ରାଗ ମୋ ଭାଗ୍ୟରେ କାହିଁକି ?
ଅଗତିର ଗତି ବୋଲନ୍ତି ଜଗତି
ନଗ ନଗର ଗୋସାଇଁ କି ।ଘୋଷା।
ସାଗର କୂଳରେ ବାଗରେ ବସିଛ
ସଙ୍ଗରେ ଭଉଣୀ ଭାଇକି
ମଗରାହୋଇଣ ଢଙ୍ଗ ଦେଖାଉଛ
ବଗଡ଼ା ବେସର ଖାଇକି ।୧।
ଆଗରେ ବସିଛି ନାଗ ର ବଇରୀ
ନାଗର ମଣିକି ଚାହିଁକି
ଅର୍ଗଳ ପଡିଛି ଉଗଳଇ ପଥ
ରାଗରେ ନପାରେ ଯାଇକି ।୨।
ଦାଗ ନଲଗାଅ ଦୁର୍ଗତ ତାରଣ
ଗଗନେ ବାନା ଉଡାଇକି
ଅଗଣନ ଭକ୍ତ ଅଗଣାରେ ମୁକ୍ତ
ମାଗଣା କୈବଲ୍ୟ ଖାଇକି ।୩।
ପଗଡି ବାନ୍ଧିଛି ରଗଡିବ ପାପ
ଯୁଗଳ ଚରଣ ଧ୍ୟାୟିକି
ପାଗଳା ଲକ୍ଷିଆ ମାଗଇ ମୁକତି
ଭୋଗରେ ତା ଭାଗ ନାହିଁକି ।୪।
ଜଣାଣ
ଆହେ ନୀଳାଚଳ କଳାକର କିମ୍ପା
ଭେଳାକରନ୍ତି ତୋ ନାମ ଜନେ
ହେଳାକର ବୋଲି ହେଳାକର ନାମେ
କଳା କର ଯଶ ଦଳାଞ୍ଜନେ। ।
ତୋ ନାମବର ତ କରିଣ ବରତ
ଅନବରତ ସେ ହୃଦୟରେ
ପ୍ରେମନାବ ରତ କରି ଧୀ ବର ତ
ଧୋଇ ଧିବରତ ଶ୍ରୀ ପୟରେ। ।
ମୃଗୁଣୀ ବଣରେ ଡାକୁଁ ଶ୍ରବଣରେ
ଦୟା ଦ୍ରବଣ ରେ ଉଦ୍ଧରିଲ
ବଇଶ୍ରବଣରେ ଭାବପ୍ରବଣରେ
ଅଶ୍ରୁସ୍ରବଣରେ ଆଶ୍ରା ଦେଲ। ।
ବାରଣଚିତ୍ତରେ ଚିନ୍ତୁ କିଞ୍ଚିତରେ
ଗ୍ରାହ ସଞ୍ଚିତରେ ଦୁଃଖ ହରି
ଡାକେ ଉଚିତରେ କୃପା ରଚି ତରେ
ଲକ୍ଷିଆ ଚିତ୍ତରେ ବସ ହରି ।
ଜଣାଣ
ଷଣ୍ଢ ମରା, ନନ୍ଦପୁଅ, ବଡ ଦୁରୁଦଣ୍ଡୁଟାଲୋ
ଭାଣ୍ଡୁଟାର ସହି ! ସହିହେଉନହିଁ କାଣ୍ଡୁଟାଲୋ ।
ମୁଣ୍ଡରେ ମୁଣ୍ଡାଇ ଦହି, ଦାଣ୍ଡରେ ମୁଁ ଯାଉଥାଇ
ଦଣ୍ଡଟେ ଧରିପିଟିଲା, ଗୁଣ୍ଡ ହେଲା ଭାଣ୍ଡୁଟାଲୋ ।
ଚାଣ୍ଡରେ ଆସିଲା ଧାଇଁ, ଦଣ୍ଡେ ଅଟକିଲାନାହିଁ
କୁଣ୍ଢାଇ ଧରି ଚାଟିଲା, ଦହିସହ ତୁଣ୍ଡୁଟାଲୋ ।
ଚତୁଣ୍ଡରେ ତା ଲଗାନାହିଁ, ହୁଣ୍ଡାପରି କରେ ଟାହି
ଚାଣ୍ଡାଳୁଟା ଧାଇଁ ଆସି, ଚୁମ୍ବିଦିଏ ଗଣ୍ଡୁଟାଲୋ ।
ପିଣ୍ଡାରେ ଦଣ୍ଡିହଲାଇ, ଚଣ୍ଡୀ କୁଟିଳା ଗର୍ଜଇ
ଉଣ୍ଡି ବସିଛି କାଣ୍ଡେଇ, ସେ ଜଟିଳା ରାଣ୍ଡୁଟାଲୋ ।
ପଣ୍ଡା ଲକ୍ଷ୍ମୀଧର ଦୀନ, ଉଣ୍ଡାଳୁଛି ନିଶିଦିନ
ପୁଣ୍ଡରୀକ ପାଦେ ତାର, ମଣ୍ଡିବାକୁ ମୁଣ୍ଡୁଟାଲୋ ।
ଜଣାଣ
ରାଗ-କଳସା
ଷୀରସିନ୍ଧୁ ତୀରବାସୀ ନୀରଜ ଚରଣ
ପୀରତି ଯହିଁରେ ଚିର ଗୀରବାଣ ଗଣ ।
ନିରତ ବିରଞ୍ଚି ସ୍ତୁତି ଗିରିଶ ସହିତ
ଧୀରଚକ୍ର ହୃଦପଦ୍ମ ମିହିର ସେହିତ ।
ହୀରକ ଗୁମ୍ଫିତ ଶିର କିରୀଟ ଉଜ୍ଜ୍ୱଳ
ନୀରଦ ନିନ୍ଦିତ କାନ୍ତି ହରିତ ଦୁକୁଳ ।
ନୀଳକଞ୍ଜ ପୁଞ୍ଜମଞ୍ଜୁ ବ୍ୟଞ୍ଜିତ କାନ୍ତିକି
ନୀଳଶୈଳ କୁଞ୍ଜବନ କୁଞ୍ଜର ଭାତିକି ।
ଭଞ୍ଜନ କରନ୍ତୁ ଦୁଃଖ ଅଞ୍ଜନ ସୁନ୍ଦର
ଆଞ୍ଜନେୟ ହୃଦକଞ୍ଜ ଉଦିତ ଭାସ୍କର ।
ସଞ୍ଜହେଲେ ଜୀବନର ବିଭୁ ନିରଞ୍ଜନ
ପିଞ୍ଜରାରୁ ଉଡିଯିବ ପରାଣ ଖଞ୍ଜନ ।
ଖଞ୍ଜ ଗତି ହେବ ଶ୍ବାସ ମଞ୍ଜଯିବ ଥରି
ଗୁଞ୍ଜରିବି ବନମାଳୀ ଜଗନ୍ନାଥ ହରି ।
ଅଞ୍ଜଳି ପାତିଛି ହୃଦ କିଞ୍ଜଳ୍କ ବିହାରୀ
ଗଞ୍ଜଣା ନଦେଉ ଯମ ଲକ୍ଷିଆ ଗୁହାରି। ।