Issue Date
6 Jun, 2020
Genres
ବ୍ୟାଜ ସ୍ତୁତି
କବି: ଗାୟକ ବିଦ୍ୟାଭୂଷଣ ରମାକାନ୍ତ ମିଶ୍ରଶର୍ମା
ଜଗନ୍ନାଥ ହେ,
କାଠ ପାଲଟି ଗଲ ।
ଦୁଇ ଭାରିଜାରେ ଘର କିଏ କରେ
ଭାରିଜା ଡରରେ କି କଲବଲ ।୦।
ଭଣ୍ଡାର ଘରକୁ ଦୁଇଭାଗ କରି
ଦୁଇ ଭାରିଜାରେ ବାଣ୍ଟି ଥୋଇଲ ।
ଧନେ ସାମନ୍ତାଣୀ ସିନ୍ଧୁଜେମା ହେଲେ
ଶାରଦାରେ ବିଦ୍ୟାଭଣ୍ଡାର ଦେଲ ।୧।
ଚଞ୍ଚଳା ସ୍ୱଭାବେ ସାଗର ଦୁଲ୍ଲଣୀ
ବାରଘର ବୁଲି ଯାଉଛି ବେଳ ।
ଆଉ ଜଣେ ତୁମ୍ଭ ମନ ମୋହିବାକୁ
ବୀଣାରେ ତୋଳୁଛି ସୁରଝଙ୍କାର ।୨।
କୁସୁମ କାଣ୍ଡକୁ ଧରି ଟୋକା ଖଣ୍ଡ
ବ୍ରହ୍ମାଣ୍ଡକୁ କରଇ ହୁର ଜୁର ।
ସାପୁଆ କେଳା ପରାଏ ଲୀଳା କରି
ଅନନ୍ତ ଉପରେ ଶୟନ କଲ ।୩।
ସାଗର ଗରଭେ ଘର କରିଅଛ
ଗରଜନେ କାନ ହୁଏ ବଧିର ।
ଚଡେଇ ବାହନ ବଡେଇ ଦେଖାଏ
ସର୍ପ ଭଗାରି ସେ ତୁମ କିଙ୍କର ।୪।
ଘର କଥା ଭାଳି କାଠ ପାଲଟିଲ
କା କଥା ବୁଝିବ କଳା ଠାକୁର ।
ବୁଝ ବା ନ ବୁଝ ଡାକିବା ମୋ କାମ
ଡାକି ଯାଉ ରମାକାନ୍ତର କାଳ ।୫।