Issue Date
18 Mar, 2020
Genres
ହୋରି ରଙ୍ଗେ ବିହରି
କବି- ଗୋପାଳକୃଷ୍ଣ ପଟ୍ଟନାୟକ
ରାଗ- ମୋହନା
ତାଳ- ରୂପକ
ହୋରି ରଙ୍ଗେ ବିହରି । ହରି ସଙ୍ଗେ ଶ୍ରୀକିଶୋରୀ ।।ପଦ।।
ପବନେ ଚଳି । ଚମ୍ପକ ବଲ୍ଲୀ । ତମାଳେ ଢ଼ଳିଲା ପରି ।।୧।।
ପଶୁପୀବାଳା । ଚପଳା ମାଳା । ଘନକୁ ଘେରିଲା ପରି ।।୨।।
ହେମାବ୍ଜ ବନ । ବୟସୀ ଜନ । ମଧୁବ୍ରତ ଗିରିଧାରୀ ।।୩।।
ଫିଙ୍ଗୁ ଅବିର । ବ୍ରଜ ସୁନ୍ଦର । କଞ୍ଚୁଳୀ ଗଳି ବାହାରି ।।୪।।
ଶ୍ରୀରାଧା ଫିଙ୍ଗୁ । ମୋହନ ଜଗୁ । ବାଜି ହୃଦୟେ ସଞ୍ଚରି ।।୫।।
ଜଳଯନ୍ତର । ଧରି ରତ୍ନର । ବିଞ୍ଚନ୍ତି ପନୀର ବାରି ।।୬।।
ଗୋପାଳକୃଷ୍ଣ । ନୟନ ତୃଷ୍ଣ । ହୋଇଲା ସେ ଶୋଭା ସ୍ମରି ।।୭।।