ଭଗବାନଙ୍କ ନିକଟରେ
*ସ୍ଥବିର ଭାବନାର ଜଣାଣ*
କବି: ଗାୟକ ବିଦ୍ୟାଭୂଷଣ ରମାକାନ୍ତ ମିଶ୍ରଶର୍ମ୍ମା
ଜଟଣୀ, ଖୋର୍ଦ୍ଧା
ହେ ମାୟାଧର,
ବାୟା ହେଉଛି ଜଞ୍ଜାଳେ ।
ସଂସାର- ତାୟାରେ ଥୋଇ,
ଭାଜୁଛ ତାପ ଅନଳେ ।।୦।।
କାୟାତୁଲେ ଛାୟାପରି,
ଚାଲେ ତୋତେ ଅନୁସରି ।
ସରିଗଲା କି ତୋ ଦୟା,
ଦୟାନିଧି କହବାରେ ।।୧।।
ଜନକ ଜନନୀ କୋଳେ,
ବଢ଼ାଇଲ ପ୍ରେମଭୋଳେ ।
ଅଜ୍ଞାନ ନାଶି ସୁଜ୍ଞାନ,
ଦେଲ ନେଇ ଗୁରୁ ଆଳେ ।।୨।।
ଯଉବନେ ଜାୟାକର,
ଧରାଇ ପ୍ରେମସାଗର-
ତରଙ୍ଗରେ ମଜ୍ଜାଇଲ,
ମଜ୍ଜାକୁ ମୋ କୁତୁହଳେ ।।୩।।
ସନ୍ତାନ ସୁଖେ ସନ୍ତତ,
ତିନ୍ତାଇଲ ମୋର ଚିତ୍ତ ।
କିବା ଅପରାଧେ କ୍ରୋଧେ,
କ୍ଷେପି ଦେଉଅଛ ଖାଲେ ।।୪।।
କ୍ରମେ ତନୁ ଗ୍ରାସେ ଜରା,
ଶୂନ୍ୟ ଦିଶୁଛି ଏ ଧରା ।
ତୋ ନାମ କରି ଆଶରା,
କିବା ଲେଖାଅଛି ଭାଲେ ।।୫।।
ନାହିଁ ଯଉବନ ରଙ୍ଗ,
ବଦଳିଲା ଅଙ୍ଗ ଢଙ୍ଗ ।
ଚର୍ମରେ ହେଲାଣି ଭଙ୍ଗ,
ଭାଙ୍ଗୁଛି ମନ ବ୍ୟାକୁଳେ ।।୬।।
କ୍ଷୀଣହୁଏ ନେତ୍ରତାରା,
ଶ୍ରବଣ ହୁଏ ବଧିରା ।
ଅସ୍ଥିଗ୍ରନ୍ଥି କଟମଟ,
ବସିବା ଉଠିବା କାଳେ ।।୭।।
କାତରେ ଦେଉଛି ଡାକ,
ବାତରେ ରହିଛି ଦକ ।
ରଖ ରଖ ପଦ୍ମମୁଖ,
ବସି ରମାକାନ୍ତ ଭାଳେ ।।୮।।