ବରିଷ୍ଠ ପାଲାଗାୟକ ମାଳିକା
ରଚନା- ଗାୟକ ଜ୍ଞାନଗୌରବ
ଲକ୍ଷ୍ମୀଧର ପଣ୍ଡାଶର୍ମା
କରଡାପଲ୍ଲୀ, କଳାପଥର, ବାଙ୍କୀ, କଟକ
ଶ୍ରୀବିଶ୍ବନାଥ ପଟ୍ଟଯୋଷୀ ରେ, ଘନକେଶୀ
ତାର ମଦନ କଷଣୁ ହରିଣାକ୍ଷୀ ମଦାଳସୀ ।।
କାଳିନ୍ଦୀ ଚିକୁରା ଧୀରା, ସାରଙ୍ଗ ବଂଶୀ ସୁସ୍ବରା,
ଅର୍ଜୁନାଙ୍ଗୀ କେଳିଯୁଦ୍ଧେ ତୋଷି,
ନୀରଜନୟନା ମାରକଣ୍ଡୁ ବିନାଶି
ନବରବି ଛବି ରଙ୍ଗ ଅଧରେ ଯାଉଛି ମିଶି ।୧।
ଚିତା ଚଇତନ ସାଜି ବୈରାଗୀ ହୋଇବେଭଜି,
ବୈଷ୍ଣବେ ବୈକୁଣ୍ଠ କ୍ଷେତ୍ରବାସୀ,
ଅମରଙ୍କୁ ଅରକ୍ଷିତ ଦଶା ନିବେଶି,
ଅନିଋଦ୍ଧ ରାମନେତ୍ରୀ ଇନ୍ଦ୍ର ହେବେ ବନବାସୀ ।୨।
ପରମାନନ୍ଦ ଉଦୟ ଧରମାନନ୍ଦେ ଅଭୟ
ପ୍ରହ୍ଲାଦ ଦାନୀ ତୋ ରୂପରାଶି,
ଅନନ୍ତ ଶୁଭ ଲୋକନାଥରେ ସୁଭାଷି
ଭ୍ରମ ରଖନା ମନରେ ନରୋତ୍ତମ ଭାବେ ରସି ।୩।
ପୂର୍ଣ୍ଣ ନିଶାକର ମୁଖୀ ରାଜହଂସ ଗତି ସଖି,
କରୁଣାକର ମୋ କୋଳେ ବସି,
କେବଳଭଦ୍ର ସମାଜ ହେବେ ସନ୍ତୋଷୀ,
ଶଙ୍କର ଉରଜା ଧନୀ ପ୍ରଫୁଲ୍ଲ ଚିତ୍ତେ ଆଶ୍ବାସୀ ।୪।
ରସିବି ନାୟକ ପଣେ ରସିକ ଚକ୍ରରେ ଜଣେ
ବାହୁ ଯୁଗଳରେ ବାନ୍ଧ ଆସି,
ସୁଦରଶନରେ ଥରେ ସୁରେ ପ୍ରକାଶି
ଜଗତନାଥ ପଦବୀ ଭାବେ ଲକ୍ଷ୍ମୀଧରଭାଷି ।୫।
ଅନୁବାଦ
ଅନୁବାଦକ- ଶରତ ଚନ୍ଦ୍ର ଦାଶ
(ଗାୟକ ପୁରାଣ ଭୂଷଣ)
"୦"ଘୋଷା ପଦ
ଶ୍ରୀ ବିଶ୍ଵନାଥ----- ମଦାଳସି ।।୦।।
ଅର୍ଥ-
(ଶ୍ରୀବିଶ୍ଵନାଥପଟ୍ଟଯୋଷି-ଶିବଙ୍କପତ୍ନୀ=ଗୌରୀ)
(ଘନ-ଘଞ୍ଚ,ମେଘ+କେଶି
(ହରିଣାକ୍ଷି-ମୃଗନୟନି) ।।
ରେ ଗୌରି, ଘନକେଶି, ମୃଗନେତ୍ରି,
ମଦାଳସି ! (ମଦନ) କନ୍ଦର୍ପ କଷଣରୁ ଉଦ୍ଧାରକର ।।୦।।
।। ୧ ମ ପଦ ।।
କାଳିନ୍ଦୀ ଚିକୁରା-- ଯାଉଛି ମିଶି ।।୧।।
ଅର୍ଥ-
କାଳନ୍ଦୀଜଳବତ୍ କଳା (ଚିକୁରା) କେଶି
(ଧୀରା) ପଣ୍ଡିତା । (ସାରଙ୍ଗ) ବୀଣା ଓ
ବଂଶୀ ଭଳି (ସୁସ୍ୱରା) ଉତ୍ତମ ସ୍ୱରା ।
{(ଅର୍ଜ୍ଜୁନ ( ନିର୍ମଳ, ସ୍ଵଚ୍ଛ + ଅଙ୍ଗୀ=
ଅର୍ଜ୍ଜୁନାଙ୍ଗୀ)} ନିର୍ମଳାଙ୍ଗି କାମ କେଳି
ଯୁଦ୍ଧରେ ତୋଷି ହେ (ନୀରଜ) ପଦ୍ମ ନୟନା
(ମାର) କନ୍ଦର୍ପ କଣ୍ଡୁ ବିନାଶ କର।
ନୂଆ ରବିଙ୍କ ଛବି ଭଳି ନାଲି ରଙ୍ଗ ତୋ
(ଅଧର) ଓଷ୍ଠ ସହିତରେ ମିଶିଯାଉଛି ।।୧।।
।। ୨ ୟ ପଦ ।।
ଚିତା ------- ବନବାସୀ ।।୨।।
ଅର୍ଥ-
ଚିତାଚଇତନ ବେଶ ସଜେଇ ବୈରାଗୀ
ହୋଇ ବୈକୁଣ୍ଠ କ୍ଷେତ୍ରବାସୀ ବିଷ୍ଣୁ
ବୈଷ୍ଣବଅର୍ଥାତ୍ ନିଜ ଭକ୍ତଙ୍କ ମେଳରେ
ଗୃହତ୍ୟାଗୀ ହେବେ । (ଅମର) ଦେବତା-
ମାନଙ୍କର ରକ୍ଷକ ଇନ୍ଦ୍ର ଦେବତାମାନଙ୍କୁ
ଅରକ୍ଷିତ କରି ବନରେ ବାସକରିବେ ।
(ଅନିରୁଦ୍ଧ-ଅପ୍ରତିବନ୍ଧ) ଅବାଧ ଗତିରେ
ଭ୍ରମୁଥିବା (ରାମ) ମୃଗନେତ୍ରୀ ।
(ଗୁହ୍ୟ ଅର୍ଥ- ମୁଁ ତ ସାମାନ୍ୟ ଏ ଯେଉଁ ଅବାଧ ଗତି ମୃଗନେତ୍ରୀକୁ
ଇନ୍ଦ୍ର ଉପେନ୍ଦ୍ର ଝୁରିଝୁରି ଗୃହତ୍ୟାଗୀ,
ମୋ ଅବସ୍ଥା କ'ଣ ନ ହେବ? ।।୨।।
।। ୩ ୟ ପଦ ।।
ପରମାନନ୍ଦ--- ଭାବେ ବସି ।।୩।।
ଅର୍ଥ:-
ପରମ ଆନନ୍ଦ ଉଦୟ ହୋଇଛି କାରଣ ଧର୍ମ ଅର୍ଥାତ୍ ମୋର କିଛି ଧର୍ମ
ବଳରୁ ଆନନ୍ଦ ମିଳିଛି । ତେଣୁ ମୋ ପାଖେ
(ଅଭୟ ପ୍ରହ୍ଲାଦ ଦାନୀ) ସ୍ଵତନ୍ତ୍ର ଆନନ୍ଦ
ଦାନ କରୁଥିବା ରୂପରାଶିକୁ ପାଇଛି ।
ଥରେ (ଅନନ୍ତ ଶୁଭ ଲୋକନ) ଯାହା ଦୃଷ୍ଟିରେ ଅନେକ ଶୁଭ ଫଳ ମିଳିବ ।
(ସୁଭାଷି) ଉତ୍ତମ ବାଚନା । ମନରେ ଭ୍ରମ ରଖନା। ମୁଁ(ନରୋତ୍ତମ) ନରଙ୍କ
ମଧ୍ୟେ ଶ୍ରେଷ୍ଠ ବୋଲି ଭାବ ।।୩।।
।। ୪ ର୍ଥ ପଦ ।।
ପୂର୍ଣ୍ଣନିଶାକର--ଚିତ୍ତେ ଆଶ୍ୱାସୀ ।।୪।।
ଅର୍ଥ:-
ପୂର୍ଣ୍ଣଚନ୍ଦ୍ର ମୁଖି, ରାଜହଂସ ଗତି ହେ ସଖି !
କରୁଣା କରି ମୋ କୋଳରେ ବସ । ଏହା ଅଭଦ୍ର ବ୍ୟବହାର ନୁହେଁ,
ମୋ ସହ ତୋ ସଂଯୋଗକୁ କେହି ନିନ୍ଦା କରିବେ ନାହିଁ ।
( ଶଙ୍କର) ଶିବ- ସ୍ତନା ତୁ ରୂପ ଧନେ ଧନୀ ।
ବିରସ ନହୋଇ ପ୍ରଫୁଲ୍ଲ ମନରେ ଆଶ୍ୱାସନା ଦିଅ ।।୪।।
।। ୫ ମ ପଦ ।।
ରସିବି ନାୟକପଣେ---- ଲକ୍ଷ୍ମୀଧର ଭାଷି।।୫।।
ଅର୍ଥ:-
(ରସିବି ନାୟକ ପଣେ) ନାୟକ ଅର୍ଥାତ୍ ପ୍ରଣୟୀ ପୁରୁଷ ଭଳି
ତୋତେ ସର୍ବଦା ଭଲ ପାଇବି । (ରସିକ ଚକ୍ର) ରସିକ ସମୂହରେ
ମୁଁ ଏକା ଜଣେ ଭାବି ତୋର ବାହୁ ଯୁଗଳରେ ମୋତେ ବନ୍ଧିଦିଅ ।
(ସୁଯୋଗନାଥରେ)ଥରେ ମାତ୍ର ନାଥ ହେବାର ସୁଯୋଗ (ସୁରେ)
ଉତ୍ତମ ଭାବରେ ପ୍ରକାଶ କର ।
ତୋତେ ପାଇଲେ ଜଗତରେ ନାଥପଦବୀରେ ଯଥାର୍ଥତା ଲାଭ କରିବି ।
ଅର୍ଥାତ୍ ଜଣେ ଯୋଗ୍ୟ ନାୟକ, ସ୍ବାମୀ, ରସିକ ଇତ୍ୟାଦି ନାମର
ସାର୍ଥକତା ରହିବ । ଏ ଲକ୍ଷ୍ମୀଧର ଭାବରେ ଭାଷିଲା ।।୫।।
ଗାୟକ ମାନଙ୍କର ନାମ ତାଲିକା-
ସର୍ବଶ୍ରୀ। ବିଶ୍ବନାଥ ପଟ୍ଟଯୋଷୀ, ଘନଶ୍ୟାମ ନାୟକ, ଘନଶ୍ୟାମ ନାମଧାରୀ ଅନେକ ଗାୟକ ଥିଲେ ଯଥା, ଘନଶ୍ୟାମ ମିଶ୍ର, ଘନଶ୍ୟାମ ପାଢୀ ।ତେଣୁ ନାମ ଅନୁସାରେ ନିଜ ନିଜ ଅଞ୍ଚଳର ଗାୟକଙ୍କୁ ବୁଝିବାକୁ ହେବ । ତାରେଶ୍ବର ମହାପାତ୍ର, ମଦନଦାସ (ମହାରଣା) ମଦନମୋହନ ନନ୍ଦ, ମଦନମୋହନ ଜେନା, ମଦନ ମହାପାତ୍ର, ହରିନାଥ, ହରିବନ୍ଧୁ ତ୍ରିପାଠୀ, ହରିହର ମହାପାତ୍ର, କାଳିନ୍ଦୀ ବାରିକ, କାଳିନ୍ଦୀ ପାତ୍ର, କାଳିନ୍ଦୀ ପାଢୀ, ରାଧୀ-ରାଧାଶ୍ୟାମ ପଣ୍ଡା, ରାଧାଶ୍ୟାମ ଖଟାଇ, ସାରଙ୍ଗ ଜେନା, ବଂଶୀଧର ମହାପାତ୍ର, ବଂଶୀଧର ଚଇନି, ବଂଶୀଧର ମିଶ୍ର, ଅର୍ଜୁନ ଦାଶ, ନିରଞ୍ଜନ କର, ନିରଞ୍ଜନ ପଣ୍ଡା, ନିରଞ୍ଜନ ବାହିନୀପତି, ନିରଞ୍ଜନ ରାଉଳ, ମାର୍କଣ୍ଡେୟ ବାହିନୀପତି, ନବକିଶୋର ମହାରଣା, ରବିନାରାୟଣ ଜେନା, ରବୀନ୍ଦ୍ର ସାମନ୍ତରା, ଚିନ୍ତା ମଣିଦାଶ, ଚୈତନ୍ୟ ବିଶ୍ବାଳ, ବୈରାଗୀ ବେହେରା, ବୈଷ୍ଣବ ପ୍ରଧାନ, ବୈଷ୍ଣବ ପଣ୍ଡା, ବୈକୁଣ୍ଠ ପଣ୍ଡା, ବୈକୁଣ୍ଠ ଶତପଥୀ, କ୍ଷେତ୍ରବାସୀ ମିଶ୍ର, ଅମରଦାସ, ଅରକ୍ଷିତ ମହାନ୍ତି, ଇନ୍ଦ୍ରମଣି ମହାନ୍ତି, ପରମାନନ୍ଦ ଶରଣ, ଧର୍ମାନନ୍ଦ ଦୀକ୍ଷିତ, ଆନନ୍ଦ ବେହେରା, ରମା- ରମାକାନ୍ତ ମିଶ୍ରଶର୍ମା, ଉଦୟନାଥ ରଥଶର୍ମା, ଅଭୟ ସ୍ବାଇଁ, ପ୍ରହ୍ଲାଦ ସାହୁ, ଦତ୍ତ- ଦତ୍ତକୃଷ୍ଣ ପଣ୍ଡା, ଅନିରୁଦ୍ଧ ପାଣିଗ୍ରାହୀ, ରାମଚନ୍ଦ୍ର କର, ଅନନ୍ତ ପ୍ରଧାନ, ଅନନ୍ତ ମହାପାତ୍ର (ରଣା), ଲୋକନାଥ କର, ଭ୍ରମର ମହାରଣା, ନରୋତ୍ତମ ମହାପାତ୍ର, ପୂର୍ଣଚନ୍ଦ୍ର ମହାପାତ୍ର, ନିଶାକର ଷଡଙ୍ଗୀ, ରାଜକିଶୋର ମିଶ୍ର, ରାଜକିଶୋର ସାହୁ, ରାଜକୁମାର ସୁବୁଦ୍ଧି, କରୁଣାସିନ୍ଧୁ ନାୟକ, ବଳଭଦ୍ର ପଣ୍ଡା, ବଳରାମ ଚଇନି, ବଳରାମ ଷଡ଼ଙ୍ଗୀ, ସନ୍ତୋଷ ରଥ, ଶଙ୍କର ପଣ୍ଡା, ଧନୀ-ଧନେଶ୍ୱର ବେହେରା, ଧନେଶ୍ବର ରାଉତ, ପ୍ରଫୁଲ୍ଲ ଷଡ଼ଙ୍ଗୀ, ପ୍ରଫୁଲ୍ଲ ଆଚାର୍ଯ୍ୟ, ବିନାୟକ ମିଶ୍ର, ଚକ୍ରଧର ବାରିକ, ଯୁଗଳ ବଳ, ଯୁଗଳ ଶତପଥୀ, ଯୁଗଳ ସାହୁ, ସୁଦର୍ଶନ ମହାପାତ୍ର, ସୁର-ସୁରେନ୍ଦ୍ର ଛୋଟରାୟ, ଜଗନ୍ନାଥ ବେହେରା, ଜଗନ୍ନାଥ ବାରିକ୍, ଲକ୍ଷ୍ମୀଧର ରାଉତ, ଲକ୍ଷ୍ମୀଧର ଦାଶ, ଇତ୍ୟାଦି ନାମାନୁସାରେ ନିଜ ନିଜ ଅଞ୍ଚଳର ଗାୟକଙ୍କୁ ପରିଚିତ କରାଯାଇପାରେ ।