ହରି ଶବ୍ଦର ବହୁଳ ପ୍ରୟୋଗ
ଚକାଡୋଳା ମୋ ଦୁଃଖ କାଟିପକା ହେ
ବୃତ୍ତେ
କବି: ଗାୟକ ବିଦ୍ୟାଭୂଷଣ ରମାକାନ୍ତ ମିଶ୍ରଶର୍ମ୍ମା
ଜଟଣୀ, ଖୋର୍ଦ୍ଧା
ହରିବାହିନୀ ମୋ ଦୁରିତ ହରିବୁ
ହରି ନନ୍ଦିନୀ ଅନୁକମ୍ପା କରିବୁ ।।୦।।
ହରି ଗର୍ଭ ସମ୍ଭୂତା ମା' ହୋଇଲୁ କୃତେ
ହରିଲୁ କୋପେ ହରିଙ୍କପରାଣ ଯେତେ
ନୂତନ ହରି ପରି
ହେଲା ତୋ ତନୁ ଶିରୀ,
ଦକ୍ଷିଣ ହରି ଧରି
ଚଳି ଗଲୁ ଈଶ୍ୱରୀ ।
ହରିଗ୍ରାସି ଉଦରେ ସତେ ଭରିବୁ ।୧।
ହରି ପଦଜାଧାରୀଙ୍କୁ ଚରଣେ ଦଳି
ହରିମୁକୁଳିତ ଶିରେ ତୋନାମ କାଳୀ ।
ହରି ସାନୁଜ ଇଷ୍ଟ-
ଦେବୀ ତୋ ରୂପ ଅଷ୍ଟ,
ସଂସାର ହରି ଗର୍ଭେ
ପଡି ପାଉଛି କଷ୍ଟ ।
ନଷ୍ଟ ସୁତକୁ ଜନନୀ ଗୋ ତାରିବୁ ।୨।
ହରିପରି ସୀମାହୀନ ମହିମା ତୋର
ହରିରାଜ ଲେଶ ନକରିବ ପ୍ରଚାର ।
ହରିବଂଶୀ ଭଜିଲେ
ହରିସୁତେ ପୂଜିଲେ ,
ହରି ସଦୃଶ ଯଶ
ସଂସାରେ ଅରଜିଲେ ।
ହରି ରମାକାନ୍ତେ ଉଦ୍ଧରି ଧରିବୁ ।୩।
ବିଶେଷ ଦ୍ରଷ୍ଟବ୍ୟ
ହରି ଶବ୍ଦର (୧୭) ସତରଟି ଅର୍ଥ
"୦"ଘୋଷାପଦ
୧-ସିଂହ, ୨-ଗିରୀଶ
୧ ମ ପଦ
୩- ଅଗ୍ନି, ୪- ନିଶାଚର (ରାକ୍ଷସ), ୫- ମେଘ, ୬- ମାର୍ଗ, ୭- ପୃଥିବୀ ।
୨ ୟ ପଦ
୮- ବିଷ୍ଣୁ, ୯- କେଶ, ୧୦- ଯମ, ୧୧- ସମୁଦ୍ର ।
୩ ୟ ପଦ
୧୨- ଆକାଶ, ୧୩- ସର୍ପ, ୧୪- ସୂର୍ଯ୍ୟ, ୧୫- ଜଳ, ୧୬- ଚନ୍ଦ୍ର ୧୭- ଭୟାଳୁ (ସଂସାର ଭୟରେ) ।।
ଟୀକାକାର
ଗାୟକ ଶ୍ରୀ ଶରତ ଚନ୍ଦ୍ର ଦାଶ
ରଇଁଶୋଲ, ଜଟଣୀ,ପୁରୀ, ଓଡ଼ିଶା
ପିନ୍- ୭୫୨୧୦୪
ଯୋଗାଯୋଗ- ୯୮୬୧୪୭୦୫୦୫
୮୭୬୩୩୩୧୦୩୭
"୦"ଘୋଷା ପଦ
(ହରିବାହିନୀ) ସିଂହବାହିନୀ ମୋ (ଦୁରିତ) ପାପ ହରିବୁ । (ହରିନନ୍ଦିନୀ) ଗିରୀଶନନ୍ଦିନୀ ଅର୍ଥାତ୍ ପାର୍ବତୀ ମୋତେ ଅନୁକମ୍ପା କରିବୁ ।।୦।।
୧ ମ ପଦ
ମା' ତୁ(କୃତେ) ସତ୍ୟଯୁଗେ (ହରି) ଅଗ୍ନିଗର୍ଭସମ୍ଭୂତା ଦୁର୍ଗା ହୋଇଲୁ । କୋପରେ ଯେତେ(ହରିଙ୍କ=ନିଶାଚରଙ୍କ) ରାକ୍ଷସଙ୍କ ପ୍ରାଣ ହରିଲୁ । (ନୂତନହରି) ନୂଆମେଘପରି କଳା ତୋ ଶରୀରର କାନ୍ତି ହେଲା।ଦକ୍ଷିଣ (ହରି) ମାର୍ଗଧରି ହେଈଶ୍ଵରୀ ଚାଲିଗଲା ବେଳେ(ହରି) ପୃଥିବୀକୁ ଗ୍ରାସକରି ସତେ ଯେପରି ଉଦର ଭରିବୁ ।।୧।।
୨ ୟ ପଦ
(ହରିପଦଜା=ବିଷ୍ଣୁପଦଜା) ଗଙ୍ଗା ଧାରୀ ଅର୍ଥାତ୍ ଶିବଙ୍କୁ ଚରଣରେ ଦଳି(ହରି)କେଶ ମୁକୁଳିତ ଶିରରେ ତୋର ନାମ କାଳୀହେଲା । (ହରିସାନୁଜ=ଯମ ସାନୁଜ) ଶନିଶ୍ଚରଙ୍କ
ଇଷ୍ଟଦେବୀ କାଳୀତୋର ଆଠୋଟି ରୂପ ଅଟେ। ସଂସାର (ହରି) ସମୁଦ୍ର ଗର୍ଭରେ ପଡି କଷ୍ଟ ପାଉଛି, ଏ (ନଷ୍ଟ) ବିନାଶ ହୋଇଯାଉଥିବା ସୁତକୁ ଗୋ ଜନନୀ ତାରିଦେବୁ ।।୨।।
୩ ୟ ପଦ
(ହରି) ଆକାଶପରି ସୀମାହୀନ ତୋରମହିମାକୁ(ହରିରାଜ) ସର୍ପରାଜଅନନ୍ତ ସହସ୍ର ମୁଖରେ ଲେଶ ମାତ୍ର ପ୍ରଚାର କରି ପାରିବ ନାହିଁ । (ହରି) ସୂର୍ଯ୍ୟ ବଂଶୀ(ରାମ)ଭଜନ କଲେ,(ହରି ସୁତେ=ଜଳସୁତେ ) ପଦ୍ମ ଦ୍ବାରା ପୂଜା କରି(ହରି) ଚନ୍ଦ୍ର ସଦୃଶ ଉଜ୍ଜ୍ଵଳ ଯଶ ସଂସାରରେ ଅର୍ଜିଲେ । (ହରି=ଭୟାଳୁ)ସଂସାର ବନ୍ଧନ ଭୟରେଭୟାଳୁ ରମାକାନ୍ତକୁ ଉଦ୍ଧରି ଧରିବୁ ।।୩।।
କାଳୀଙ୍କ ଆଠ ରୂପ
୧- ଚିନ୍ତାମଣି କାଳୀ, ୨- ସ୍ପର୍ଶମଣି କାଳୀ, ୩- ସନ୍ତତିପ୍ରଦା କାଳୀ, ୪-ସିଦ୍ଧି କାଳୀ, ୫- ଦକ୍ଷିଣକାଳୀ, ୬-କାମକଳା କାଳୀ, ୭- ହଂସ କାଳୀ, ୮- ଗୁହ୍ଯ କାଳୀ ।।