କବି- ଶ୍ରୀଯୁକ୍ତ ରମାକାନ୍ତ ମିଶ୍ରଶର୍ମ୍ମା
ଗାୟକ ବିଦ୍ୟାଭୂଷଣ ସଂସ୍କୃତ ଶିକ୍ଷକ
ଜଟଣୀ, ଖୋର୍ଦ୍ଧା
ଟୀକା- ଶରତ ଚନ୍ଦ୍ର ଦାଶ
କହ କହ ହାସିନୀ ମା'
କହ କହ କେ ତୋ ବିନା।
ସମ ଶମ କରିବାକୁ
ତନୟ ଭୟ ଯାତନା ।।୦।।
ଅର୍ଥ:- ମା' ତୁ କହ କହ ହାସିନୀ ।
ତନୟର ଭୟ ଯାତନା (ଶମ) ଶାନ୍ତି
କରିବାକୁ , କହ କହ ତୋ (ସମ) ସମାନ କେହି ହେବେ ନାହିଁ ।।୦।।
ଦେବଦେବ ବାମା ମାତ
ମହୀ ମହିମାରେ ବ୍ୟାପ୍ତ।
ମହିଷା ମହୀଶାୟିତେ
ହେଲେ ସୁମନା ସୁମନା ।।୧।।
ଅର୍ଥ:- (ମାତଦେବଦେବ ବାମା) ମାତ ଶିବା! ତୋ ମହିମାରେ ଏ ମହୀ
ପୂରିଛି।(ମହିଷା)ମହିଷାସୁର (ମହୀ- ଶାୟିତେ) ମରଣରେ
(ସୁମନା) ଦେବତାମାନେ((ସୁ)ଉତ୍ତମ+ମନା)
ଆନନ୍ଦିତ ହେଲେ ।।୧।।
ଗୀରବାଣ ଗୀର ବାଣ-
ପରା ପରାପତ ପ୍ରାଣ।
ମୁକ୍ତକେଶ କେ ସକ୍ରୋଧ
ଅଧରାଧୀର ରସନା ।।୨।।
ଅର୍ଥ:- (ଗୀରବାଣ) ଦେବତାଙ୍କ (ଗୀର)କଥା (ବାଣପରା)ଶରଭଳି
(ପରାପତ ପ୍ରାଣ) ପ୍ରାଣରେ ପାଇ
(ମୁକ୍ତକେଶ) ମୁକୁଳାକେଶ (କେ)
ମସ୍ତକରେ (ସକ୍ରୋଧ)କ୍ରୋଧ ସହିତ
(ଅଧର(ଓଷ୍ଠ+ଅଧୀର(ଅସ୍ଥିର,ଚଞ୍ଚଳ)+ରସନା(ଜିହ୍ୱା))
ଓଷ୍ଠ ଜିହ୍ୱା କମ୍ପିତ ।।୨।।
ହେବାରୁ ମହତ ହତ
ଗରଭେ ଜଗତ ଗତ।
ହେଉ ଭାଳି ଭାଳି ଦଳି-
ଶୂଳୀ ତୋ ମୁଖ ଦକ୍ଷିଣା ।।୩।।
ଅର୍ଥ:- ତୋର ମହତ ହତ ହେବାରୁ ଗରଭରେ ଜଗତ ଗତ ହେଉ, ଏହା
ଭାଳି ଭାଳି (ଶୂଳୀଦଳି)ଶିବଙ୍କଠାରେ
ପାଦପକାଇବାବେଳେ ତୋରଦକ୍ଷିଣା-
ମୁଖ ହୋଇଥିଲା।।୩।।
ଗଳା ଗଳାଇ ମୁଣ୍ଡରେ
ରୁଧିର ଧାର ତୁଣ୍ଡରେ।
ରମାକାନ୍ତର ମା' କାନ୍ତ-
ପାଦରେ ଦରେ ବନ୍ଦନା ।।୪।।
ଅର୍ଥ:- ଗଳାରେ ମୁଣ୍ଡମାଳା ଗଳାଇ ତୁଣ୍ଡରେ ରୁଧିର ଧାର,( ମା' କାନ୍ତ-
ପାଦରେ) ମାଆର ସୁନ୍ଦର ପାଦରେ
(ଦରେ- ଭୟରେ) ସଂସାର ଭୟରେ
(ରମାକାନ୍ତର ବନ୍ଦନା) ରମାକାନ୍ତ
ବନ୍ଦନା କରୁଛି।।୪।।