କବି: ଗାୟକ ବିଦ୍ୟାଭୂଷଣ ଶ୍ରୀଯୁକ୍ତ ରମାକାନ୍ତ ମିଶ୍ରଶର୍ମ୍ମା
ଜଟଣୀ, ଖୋର୍ଦ୍ଧା
(ମ, ମା, ମି, ମୁ, ମୃ- ପଦକ୍ରମେ)
ବାମନେତ୍ରିରେ !
କାମ କେଳି କୁଶଳା ।
ତାମରସ ମୁଖୀ କାମନା ପୂରାଅ
ପାମର କାମ କଲାଣି କାଉଳା ।।୦।।
ତମାଳ କେଶୀ ତୋ ସମାନ,
ଜମା ଦେଖିନାହିଁ ନୟନ
ଊମା ରମା ମାରବାମାର ସୁଷମା
ନମାନେ ମାନସ ନହେବେ ତୁଳା ।।୧।।
କାମିନୀରେ ଗଜଗାମିନୀ,
ଶେଷ ହୋଇ ଆସେ ଯାମିନୀ ।
ଚାମିକର ଗୋରୀ ଶମିବକି ଦୁଃଖ
ଭ୍ରମିଯାଏ ମଥା ଥମିଲା ଗଳା ।।୨।।
ଛାମୁରେ ମୁଁ ଯୋଡୁଛି କର,
ରୁମୁ ଝୁମୁ ବଜା ନୂପୁର
କୁମୁଦ ହାସୀ ମୁଦକୁ ପରକାଶି
ରମୁଁ ସୁମୂରତି ନକର ହେଳା ।।୩।।
ମୃତପ୍ରାୟ ହେଲି ମୃଗାକ୍ଷି,
ସମୃଦ୍ଧ ମଦନକୁ ଦେଖି ।
ଅମୃତ ଅଧରାମୃତ ପାନକରା
ରମାକାନ୍ତ ଗୀତ ରସେ ଭାଷିଲା ।।୪।
ପାଦେ ବନା ପାଦେ ଅବନା ନିୟମରେ
ବୀଣାଜିଣା ଭାଷା ଶୁଣା,
ହର ପର ଦର ହର ।
ବିଧୁହାସିନୀ କେ ନାରୀ
ତବ ସମ ଜଗତର ।।୦।।
କୃପା ଚାହାଁଣିରେ ଚାହାଁ,
ଅଳପ କଳପ କର ।
ବାରିଜାକ୍ଷୀ ସୁନାଗୋରୀ
ଦର ହସ ଦଶନର ।।୧।।
କେକୀ କେଶିନୀଦେଖି ତୋ,
ଉରଜ ଦ୍ବୟ ଶଙ୍କର ।
ଭାବୁଛି ପୂଜିବି କିରେ
ଏ ମମ କମଳ କର ।।୨।।
କାମିନୀରେ ହେଲି ଘାରି,
ଦଶ କଷଣ ସ୍ମରର ।
ଗୀତେ ଭାଷେ ରମାକାନ୍ତ
ନକର ଏ ହରବର ।।୩।।
"ଧ" ଓ "ର"ବର୍ଣ୍ଣର ବହୁଳ ପ୍ରୟୋଗ
ଧରାଧର ଉରଜା,
ମୋତେ ଧରାଦିଅ ବାରେ,
ଜବାଧରାରେ ।
ଧୀରାରେ ବଧିରା ବୁଦ୍ଧି ରଚିଲେ ତୁ
ଉଦ୍ଧରିବ କେବା ସାରା ଧରାରେ ।୦।
ଧରାଧର ଧର ତନୁଜ,
ଧରି ଧନୁ ହେଲାଣି ସଜ ।
ଧୀର ଭାବ ମୋର ତୁଟିଲାଣି ଧନି !
ବ୍ୟାଧିକି ଔଷଧି ଦେବୁ ପରାରେ ।୧।
ଧରଣୀକୁ ନଖେ ଚିରନା,
ଧନ ମୋ ଧଇର୍ଯ୍ୟ ସାରନା ।
ଧାର ସୁଧାର ଚଖାଇ ଅଧରରୁ
ଧେନୁଧବଧବ କୁଚଧରାରେ ।୨।
ଧୀମତୀତୁ ସ୍ୱଭାବେ ଧୀରା,
ଧିରଧିର ମଧୁର ଗୀରା ।
ମଧୁ ଧରିଅଛୁ ବଧୁଲି ଅଧରେ
ଅନାମୁଁ ହେଲିଣି ଅଧା ମରାରେ ।୩।
ତୁହି ମୋର ବେଧାର ଧୀରେ,
ତୋଷେ ଆସ ରସନିଧିରେ ।
ବିଧା ମାରି ସିଧା କଲାଣି ମଦନ
ରମାକହେ ରତି ଧୁରନ୍ଧରାରେ ।୪।
କେତେକ ଶବ୍ଦର ଅର୍ଥ:
ଧରାଧର=ପର୍ବତ। ।
ଧୀରା ରେ ବଧିରା ବୁଦ୍ଧି=ରେ ଧୀରା
ବଧିରା ବୁଦ୍ଧି (କାଲୁଣୀ ବୁଦ୍ଧି) ।।
ଧରାଧରଧର=କୃଷ୍ଣ
{(ଧରା (ପୃଥିବୀ)ଧର=ପର୍ବତ)
(ପର୍ବତ ଧର=କୃଷ୍ଣ)} ।।
ଧେନୁଧବଧବ-
(ଧେନୁ+ଧବ (ସ୍ଵାମୀ)+ଧବ)
ଧେନୁର ସ୍ଵାମୀ ବୃଷଭ, ବୃଷଭର ସ୍ଵାମୀ ଶିବ ।।
ଧୀମତୀ= ବୁଦ୍ଧିମତୀ ।।
ବେଧାର ଧୀରେ=ବେଧା(ବ୍ରହ୍ମା)ର
ଧୀରେ (ବୁଦ୍ଧିରେ)