Issue Date
20 Mar, 2020
Genres
ଚାଲୁଣି ପରାଏ ଆଖି
କବି- ଯଦୁମଣି ମହାପାତ୍ର
ପ୍ରାଣ ମିତଣୀରେ ଦେଖିଲେ ରହୁଛି ଲାଖି
ଭାଲୁଣୀ ପରାଏ କାଳିଆ ମୁହଁକୁ
ଚାଲୁଣି ପରାଏ ଆଖି ।
ପଣ୍ଡା ରନ୍ଧା ଭାତ ଗଣ୍ଡାକ ସେ ଯେବେ
ନୟନେ ଦିଅଇ ଦେଖି
ଭଣ୍ଡାରି ବୁହନ୍ତି ତାଙ୍କଠାରୁ ନେଇ
ବ୍ରହ୍ମାଣ୍ଡ ଦିଅନ୍ତି ଚାଖି ।
ଜଗତଯାକ ଭଜୁଥାନ୍ତି ତାହାକୁ
କେଉଁ ଗୁଣ ତାର ଦେଖି
ପୁରତେ ନିରତେ ବସିଛି ଯାହାର
ଦିଗୁଣ ଶାଗୁଣା ପକ୍ଷୀ ।
ଧଳା କଳା ବେନି ଭାଇ ଯେ ମଧ୍ୟରେ
ଜଗିଛନ୍ତି ବେନି ପାଖି
ଜଗତ ଯାକର ମନ ମୋହୁଅଛି
ବନ ହଳଦିଆ-ମୁଖୀ ।
ଯଦୁମଣି ଭଣେ ତ୍ରିଜଗତ ଦୀନ-
ଜନଙ୍କୁ ପାରଇ ରଖି
ନାମ ଧରିଥିବୁ ପରେ ଯେବେ ଯମ
କରଣ ନପାରେ ଲେଖି ।