ରଚନା- ଲକ୍ଷ୍ମୀଧର ପଣ୍ଡାଶର୍ମା (ଗାୟକ ଜ୍ଞାନ ଗୌରବ)
ସା-କରଡାପଲ୍ଲୀ, ପୋ-ବାଣିଆ, ଭା-କଳାପଥର, ଜିଲ୍ଲା-କଟକ
ଫୋନ-9937222583, 7381884756
ଭଜନ
କିଆଁ କର ହେଳା ହେ
କାଳି ଦରପ ଦଳା
ଅରକ୍ଷ ରକ୍ଷଣ ପଣେ ବିଚକ୍ଷଣ
କମଳ ଈକ୍ଷଣ ବୁଡେ ମୋ ଭେଳା ।
କଂସ ବନ୍ଦୀଘରୁ ଫନ୍ଦିରେ
ଲୁଚି ଗଲ ନନ୍ଦ ମନ୍ଦିରେ
କର୍ବୁର ଙ୍କ ଗର୍ବ ପର୍ବତକୁ ଖର୍ବ
ନିର୍ବିଶଙ୍କେ କଲ ଉର୍ବୀ କୁଶଳା ।୧।
ଜରାସନ୍ଧ କୋପ ନୟନ
ଠେଲି ଦେଲା ସିନ୍ଧୁ ଅୟନ
ହୁନ୍ଦରେ ସୁନ୍ଦର ଦୁର୍ଗ ନିର୍ମାଣିଲ
ଦ୍ବନ୍ଦ୍ବରେ ଚିରିଲା ପବନ ବଳା ।୨।
ପାଣ୍ଡବଙ୍କ ପକ୍ଷ ମଣ୍ଡିଲ
ହୁଣ୍ଡା କୌରବଙ୍କୁ ଦଣ୍ଡିଲ
ଦ୍ରୁପଦ ନନ୍ଦନା ବିପଦ ଖଣ୍ଡିଲ
ପତାକା ଟେକିଲ ଅଚଳା ଖଳା ।୩।
କଳିଯୁଗେ କଳାଠାକୁର
ନୀଳାଚଳେ ଲୀଳା ପ୍ରଚାର
ଦୀନ ଲକ୍ଷ୍ମୀଧର ଦିନ ସରିଯାଉ
ସ୍ମରି ତୋ ବଦନ ଚିକ୍କଣ କ ଳା ।୪।
ଭଜନ
କରୁଣାକର ବରୁଣ ସୁତା ପ୍ରାଣ ଧନ
ଅରୁଣ ଚରଣେ କରୁଅଛି ନିବେଦନ ।
ସରୁନାହିଁ ବିଭୁ ଡରୁ ଡରୁ ଦିନରାତି
ଅରୁନ୍ତୁଦ ଭୟେ ଖାଲି ଥରୁଅଛି ଛାତି ।
ଘରୁ ସରିଯିବ ଭାତ ଫରୁଆ ତ ଖାଲି
ଗରୁ ଲାଗିଲାଣି ମୁଣ୍ଡ ପାରୁନାହିଁ ଚାଲି ।
ଥରୁଟିଏ ମାତ୍ର ଚାରୁନେତ୍ରେ ଦେଲେଚାହିଁ
ଧରୁଧରୁ ନାମ ତୁଣ୍ଡେ ପୁରୁ ହେବିତ୍ରାହି ।
ପୁରୁଷ ଉତ୍ତମ ବାଞ୍ଛା କଳ୍ପତରୁ ନାମ
ସ୍ମରୁସ୍ମରୁ ମରୁ ଜୀବଯାଉ ନିତ୍ୟଧାମ ।
ଅରୂପାନନ୍ଦ ସ୍ବରୂପ ଦେଖାଇବ ଥରେ
କ୍ଷରୁ କୃପାବାରି ତରୁ ହୀନଲକ୍ଷ୍ମୀଧରେ ।
ଭଜନ
ନୀଳାଚଳ ଧାମେ ଧନ ଯାଆରେ
କୈବଲ୍ୟ କୁଡୁଆ ଚାଟୁ ଥା
ନୀଳନଭ ଛାତିଚିରି ଉଡୁଅଛି ଫିରି ଫିରି
ବାନା ଯା ପାଇ ଦକ୍ଷିଣା ବାଆ ରେ ।ଘୋଷା।
ତୁଳସୀ ପାଇଁ ସେ ରାମ
ଚୈତନ୍ୟ ପାଇଁ ସେ ଶ୍ୟାମ
ବୁଦ୍ଧ ବୋଲି ଭାବେ କେହି
ଯେଣୁ ଦନ୍ତପୁର ଗ୍ରାମ
କୋଟିଏ ଭିତରେ ସେହି ଗୋଟିଏ
କୈବଲ୍ୟ ଧାମ
ଚତୁର୍ଧାମୂରତୀ ଏକ ନାଁ ରେ ।
ଶୂନ୍ୟବାଦୀ କହେ ବ୍ରହ୍ମ
ସ୍ଥୂଳଦେହରେ ବିଶ୍ରାମ
ଦର୍ଶନେ ମୁକତି ଯହିଁ ଚତୁଃବର୍ଗ ଦାନେକ୍ଷମ
ଜୈନ ଖ୍ରୀଷ୍ଟ ଇସଲାମ ଶୈବ ଶାକ୍ତ ସୌର ସମ
ଗାଣପତ୍ୟଙ୍କୁ ଦିଶେ ଏକା ରେ ।୨।
ଭାବେ ବନ୍ଧାଭାବଗ୍ରାହୀ
ଅଭାବେ ମିଳଇ ନାହିଁ
ଭକ୍ତି ଅନୁରକ୍ତେ ଭବ ବନ୍ଧନୁ କରନ୍ତି ତ୍ରାହି
ଜାତି ଅଜାତି କି ଉଚ୍ଚ ନୀଚ୍ଚର
ବିଚାର ନାହିଁ
ଲକ୍ଷ୍ମୀଧର ଭଜେ ଲକ୍ଷ୍ମୀ ନାହା ରେ ।୩।
ଜଗଦ୍ ଗୁରୁ ଜଗନ୍ନାଥ
ରାଗ-ଶଙ୍କରାଭରଣ
ଖୀଳ ବ୍ରହ୍ମାଣ୍ଡର ଗୁରୁ ନୀଳସିନ୍ଧୁ ତୀରେ
ବିଳସନ୍ତି ବସନ୍ତି ଯେ ଅନିଳ ମତିରେ
ମିଳନ୍ତି ଯେ ଯୋଗ ଜ୍ଞାନେ
ତିଳରେ ତଇଳ କ୍ଷୀରେ ସର୍ପି ସୂତ୍ରଧ୍ୟାନେ
ଚିଦାନନ୍ଦ ସତ୍ୟମୂର୍ତ୍ତି ତ୍ରିଗୁଣ ରହିତ
ଶୂନ୍ୟବ୍ରହ୍ମ ସର୍ବ ଅନ୍ତର୍ଯ୍ୟାମୀ ଟି ସେହିତ
ମୂଳ ବିଶ୍ୱାସ ଆଧାର
ଭବାର୍ଣବ ଉଦ୍ଧାରଣେ ଜଣେ କର୍ଣଧାର। ।
ଅଜ୍ଞାନ ଅନ୍ଧତମିସ୍ରା କୂପରୁ ଉଦ୍ଧରି
ନିତ୍ୟାନନ୍ଦ ପରମ ସୁଖକୁ ହୃଦେଧରି
ବିତରନ୍ତି ଅକପଟେ
ବଟପୁଟବାସୀ ବିହରନ୍ତି ସର୍ବଘଟେ ।।
ଦିଅ ଶୁଭାଶିଷ ସତ୍ୟଧର୍ମେ ରହୁମତି
ସଦାଚାର ପର ଉପକାର ଅନୁରକ୍ତି
ଶୁଭେ ଦିନ ଯାଉ ବିତି
ରହୁ ପରସ୍ପର ମଧ୍ୟେ ସଦା ଭ୍ରାତୃପ୍ରୀତି ।।
ମାତୃଭୂମି ମାତୃଭାଷା ଜାତୀୟ ସଂହତି
ସଦାଚାରୀ ପ୍ରଶାସକ ରାଷ୍ଟ୍ରୀୟ ଉନ୍ନତି
ଶିକ୍ଷା ସ୍ବାସ୍ଥ୍ୟର ପ୍ରଗତି
ଧାର୍ମିକ ହୁଅନ୍ତୁ ନରେ ଧର୍ମେଦେଇ ମତି ।।
ଶ୍ରୀ ଜଗନ୍ନାଥ ପବିତ୍ର ନାମ ଗାଉ ଗାଉ
ଉତ୍କଳୀୟ କର୍ମପଥ ଦିଶୁ ଦାଉ ଦାଉ
ତା କୈବଲ୍ୟ ଖାଉ ଖାଉ
ଅକିଞ୍ଚନ ଦୀନ ଲକ୍ଷ୍ମଧର ଜୀବଯାଉ ।।
ଜୟ ଜଗନ୍ନାଥ ସ୍ୱାମୀ
ହାତେ ଧରିକି,ଶାନ୍ତି ତରବାରୀକି,
ଯୁଦ୍ଧ କରିବୁ ମାରି ଷଡ ଅରିଙ୍କି
ସତ୍ୟ ଅଶ୍ବ ଆରୋହିଣ
ଧର୍ମଧ୍ବଜା ଉଡାଇଣ
ଅହିଂସା ରାଜ୍ୟ ଜିଣିବୁ
ସୁଯଶଧନହରିକି ।୧।
ଶମଦମତପଶୌଚ
ସଇନ ସାଜି ସୁସଞ୍ଚ
ବିବେକ ସୁବୁଦ୍ଧି ମନ୍ତ୍ରୀ
ସାଧୁସଙ୍ଗ ପ୍ରହରୀ କି ।୨।
ଯୋଗାସନ ସିଂହାସନ
ପ୍ରକୃତି ପ୍ରଜା ପାଳନ
ସୁମନକୁ ସେନାପତି
ଚିନ୍ତି ବୈକୁଣ୍ଠ ଶିରିଙ୍କି ।୩।
ଯୋଦ୍ଧାଗ୍ରଣୀ ମୂର୍ଦ୍ଧାମଣି
ସୁଧାଭୋଗି ବାଧାହାଣି
ରାଧାକୃଷ୍ଣ ପାଦେ ଶ୍ରଧା
ଲକ୍ଷ୍ମଧର ଗୁହାରୀ କି ।୪।