କବି: ଗାୟକ ବିଦ୍ୟାଭୂଷଣ ଶ୍ରୀଯୁକ୍ତ ରମାକାନ୍ତ ମିଶ୍ରଶର୍ମ୍ମା
ଜଟଣୀ, ଖୋର୍ଦ୍ଧା
କାନନ ଯେସନ ସାଗର,
ହେ ସୁନାଗର ।
ନୁହେଁ ଶ୍ୟାମଳିମା ତାହା,
ନୀଳିମା ଜଳ ଭାଗର ।।୦।।
ପବନେ ପତ୍ର ଚଳିତ,
ଜଳ ସେକି କଲ୍ଲୋଳିତ ।
ସୁଘୋଷତା ଶୁଭେ ନିରନ୍ତର,
ଜଳ ତଳ ଯେହ୍ନେ ଅନ୍ଧକାର ।
ତଥା ତିମିରିତ ବନ,
ନ ଭେଦଇ ସୂର୍ଯ୍ୟକର ।।୧।।
ତହିଁ ଥାଇ ଦାବାନଳ,
ବନେ ଜଳେ ବନାନଳ ।
ବନ ବନଧି ନାମ ତା ସାର,
ସରିତ ଉତ୍ପତ୍ତି ପତି ଦୁହେଁ ବିଚାର ।
ହରି ସୁଶୋଭିତ ବେନି,
ବେନି ଏ ହରି ଭଣ୍ଡାର ।।୨।।
ନାମ ତାର ରତ୍ନାକର,
ଏ ଯେ ରତନ ଆକର ।
କରୀବର ବିଳସେ ବେନିର,
ବାସସ୍ଥାନ ବେନି ଏ ତିମିର ।
ଉଭୟ ଗରଭେ ଶୋଭା,
ପ୍ରକାଶେ ରହି ଭୂଧର ।।୩।।
ବନେ ବିକଶେ କୁସୁମ,
ଫେନପୁଷ୍ପ ମନୋରମ ।
ସିନ୍ଧୁ ଜଳେ ହୁଅଇ ଗୋଚର,
ଲକ୍ଷ୍ମୀ ବିଳାସ ସ୍ଥଳୀ ଏ ବାର ।
ରମାକାନ୍ତ ଭାଷେ ଗୀତେ,
ବୁଧେ କରିବେ ବିଚାର ।।୪।।
+++++++++++
ବନ ଶ୍ୟାମଳିମା ପୂର୍ଣ୍ଣ ।। ସମୁଦ୍ରର ଜଳଭାଗ ନୀଳିମା ।।
ବନରେ=ପବନରେ ପତ୍ର ଚଳେ ।।
ସମୁଦ୍ରରେ=ନୀଳ ଜଳର ଢେଉ ।।
ବନରେ ଓ ସମୁଦ୍ରରେ=ସୁଘୋଷ ରହିଛି ।।
ସମୁଦ୍ରରେ=ଜଳ ତଳ ଅନ୍ଧାର ।।
ବନରେ=ଘଞ୍ଚତା ଯୋଗୁ ସୂର୍ଯ୍ୟ କିରଣ ନ ଭେଦି (ତିମିରିତ) ଅନ୍ଧକାର
।। ବନ=ଜଙ୍ଗଲ ।। ବନଧି=ସମୁଦ୍ର ।।
ସରିତ ଉତ୍ପତ୍ତି=ସରିତଉତ୍ପତ୍ତିର ସ୍ଥାନ ବନ ।।
ସରିତ ପତି=ସମୁଦ୍ରନିଜେସରିତପତି ।।
ହରି= (ବନରେ- ସିଂହ, ମାଙ୍କଡ଼)(ସମୁଦ୍ରରେ- ନାରାୟଣ) ।।
ବେନିଏ ହରି ଭଣ୍ଡାର-(ସମୁଦ୍ର-(ହରି) ଜଳ ଭଣ୍ଡାର) ।।
(ବନ- (ହରି) ରତ୍ନାଦି ଭଣ୍ଡାର ।।
ସମୁଦ୍ର=ରତ୍ନାକର ।।
ବନ=(ରତନ ଆକର) ବନ ପର୍ବତରେ ରତ୍ନ (ଆକର) ଖଣି ଅଛି ।
କରୀବର=(ବନରେ- ହାତୀ)(ସମୁଦ୍ରରେ- ଜଳହାତୀ) ।।
।। ଭୂଧର=ପର୍ବତ ।। ବନ ଓ ସମୁଦ୍ର ଉଭୟଙ୍କ ଗର୍ଭରେପର୍ବତ।
(ଲକ୍ଷ୍ମୀ ବିଳାସ ସ୍ଥଳୀ ଏ ବାର)=ସମୁଦ୍ରରେ ଲକ୍ଷ୍ମୀ ବିଳାସ କରନ୍ତି ।।
ବନରେ (ଲକ୍ଷ୍ମୀ ବିଳାସ) ଶୋଭା ବିଳସିତ
ଏ ବାର=ଏ କଥା ଜାଣ ।।