(ଞ୍ଜ- ବର୍ଣ୍ଣର ବହୁଳ ବ୍ୟବହାର)
କବି: ଗାୟକ ପୁରାଣଭୂଷଣ
ଶ୍ରୀଯୁକ୍ତ ଶରତ ଚନ୍ଦ୍ର ଦାଶ
ଗ୍ରା/ପୋ- ରଇଁଶୋଲ, ପିପିଲି, ପୁରୀ
ଓଡ଼ିଶା, ପିନ୍- ୭୫୨୧୦୪ ।।
ଯୋଗାଯୋଗ- ୯୮୬୧୪୭୦୫୦୫
୮୭୬୩୩୩୧୦୩୭
କଞ୍ଜଲୋଚନ ହେ,
ନିତ୍ୟାନନ୍ଦ କୁଞ୍ଜବିହାରୀ ।
ରଞ୍ଜିତହେବ ମୋ ଜୀବନ ସଞ୍ଜରେ
ତେଜଜ୍ୟୋତିପୁଞ୍ଜ ଦେହକୁ ଧରି ।୦।
ଖଞ୍ଜିଦେଲ ଜୀବନଧାରା,
ଜଞ୍ଜାଳକୁ କରି ପସରା ।
ସଞ୍ଜରୁ ସକାଳ ସକାଳରୁ ସଞ୍ଜ
ଗଞ୍ଜିହେଉଅଛି କର୍ମ ଆଦରି ।୧।
ମଞ୍ଜ ମଞ୍ଜ କଥା ତୋହର,
ଅଞ୍ଜସା ତା କରିଛି ଦୂର ।
ଗୁଞ୍ଜାଇ ଦେଇଛି ଚାକଚକ୍ୟ ପୁଞ୍ଜେ
ମଞ୍ଜୁଷା ପୁରାଏ ଦ୍ୱନ୍ଦ୍ଵ ବିସ୍ତାରି ।୨।
ସଞ୍ଜତ ହେବାକୁ ଭାବିଲି,
ଜଞ୍ଜାଳକୁ ଦୂରେ ଠେଲିଲି ।
ହୃଦୟ କଞ୍ଜରେ ରଖିବି ଖଞ୍ଜରେ
ଗୁଞ୍ଜନ ଅନ୍ତରେ ଶରତ କରି ।୩।
**ସଂକ୍ଷିପ୍ତ ଟିପ୍ପଣୀ**
ଜୀବନ ସଞ୍ଜରେ=ଜୀବନର ଶେଷ ସମୟରେ ।।
ଗଞିହେଉଅଛି=ଅସ୍ତବ୍ୟସ୍ତ ହେଉଛି ।।
ମଞ୍ଜ ମଞ୍ଜ କଥା=ସାର ସାର କଥା ।।
ଅଞ୍ଜସା=ଶୀଘ୍ର ।।
ଗୁଞ୍ଜାଇ---- ଦ୍ୱନ୍ଦ୍ୱ ବିସ୍ତାରି = ଚାକଚକ୍ୟ ସମୂହରେ ନିଜକୁ ଠେଲି ପେଲି ପୂରାଇ ଦେଇ ଦ୍ୱନ୍ଦ୍ୱ ବିସ୍ତାର କରି (ମଞ୍ଜୁଷା) ପେଡ଼ି ବା ସିନ୍ଦୁକ ପୂରାଇ ସାରିଲାଣି ।।
ଗୁଞ୍ଜାଇ=ଠେଲି ପେଲି ପୂରାଇ ।।
ଗୁଞ୍ଜନ=ମଧୁରସ୍ଵର ,ଗୁଣୁଗୁଣୁହେବ ।।