ଚାଟୁକ୍ତି
କ୍ରମାନ୍ୱୟେ++ଙ୍କ, ଙ୍ଖ, ଙ୍ଗ, ଙ୍ଘ++ *ଅକ୍ଷର ନିୟମେ*
କବି: ଗାୟକ ବିଦ୍ୟାଭୂଷଣ ରମାକାନ୍ତ ମିଶ୍ରଶର୍ମ୍ମା, ଜଟଣୀ
ବାଙ୍କନେତ୍ରୀ ଛଇଳି !
ମୁଁ ତ ଶଙ୍କରାରିବାଣେ ଗଲି ସରିରେ
କିଙ୍କର ପରି ତୋ ଚରଣ ପଙ୍କଜେ
ଖଟୁଛି ନିଶଙ୍କ କର ଗୋରୀରେ ।୦।
ଶୃଙ୍ଖଳିତ କଲା ମଦନ,
ତୁଟିଲା ମୋ ଶୃଙ୍ଖଳା ଜ୍ଞାନ ।
ଶଙ୍ଖଶଙ୍ଖିନୀ ମୋ ପ୍ରେମଶଙ୍ଖାଳି ତୁ
ଶଙ୍ଖୋଳା କର ହେଳା ନକରିରେ ।୧।
ସଙ୍ଗକର ରଙ୍ଗଅଧରୀ,
ଶୃଙ୍ଗାର ରଙ୍ଗକୁ ଆଦରି ।
ହେମାଙ୍ଗିରେ ପ୍ରେମ ସଙ୍ଗୀ ଥରେ କର
ଅନଙ୍ଗ ଜାଙ୍ଗଳ ଦେଲା ଘାରିରେ ।୨।
ଜଂଘେ ବସା ରମ୍ଭା ଜଂଘିନୀ,
ଅଙ୍ଘ୍ରି ସଂଘର୍ଷଣେ ମୋ ପାଣି ।
ସଂଘଟିତପାପ- ସଂଘସଂଘାତିବ
ରମା କହେ ମନ ଦେଲା ମାରିରେ ।୩।
କେତେକ ଶବ୍ଦର ଅର୍ଥ:
ଶଙ୍କରାରି=କନ୍ଦର୍ପ ।। କିଙ୍କର=ଚାକର ।। ନିଶଙ୍କ=ନିର୍ଭୟ ।। ଶୃଙ୍ଖଳିତ=ବନ୍ଧନ ।। ଶୃଙ୍ଖଳା=ନୀତି ନିୟମ ।। ଶଙ୍ଖଶଙ୍ଖିନୀ=ଶଙ୍ଖକଣ୍ଠୀ(ଗାଉଁଲି ଭାଷାରେ କଣ୍ଠକୁ ତୋଟି ବା ଶଙ୍ଖି କହନ୍ତି। ଯାହାର ଶଙ୍ଖି ଅଛି ସେ ସ୍ତ୍ରୀ ଲିଙ୍ଗରେ ଶଙ୍ଖିନୀ ହେବ। ତେଣୁ କବି ଶଙ୍ଖଶଙ୍ଖିନୀ ଶବ୍ଦ ପ୍ରୟୋଗ କରିଛନ୍ତି।। ସଙ୍ଗକର ରଙ୍ଗଅଧରୀ=ହେ ରଙ୍ଗଅଧରୀ (ଲାଲ୍ ଅଧରୀ) ସଙ୍ଗକର ।। ଶୃଙ୍ଗାରରଙ୍ଗକୁ ଆଦରି=ଶୃଙ୍ଗାର ରଙ୍ଗ (ଲୀଳା ବା କ୍ରୀଡା) କୁ ଆଦରି ନେଇ ।। ଅନଙ୍ଗ=କନ୍ଦର୍ପ ।। ଜାଙ୍ଗଳ=ବିଷ ।। ସଂଘଟିତ=ଘଟୁଥିବା ।।
ପାପସଂଘ=ପାପ ସମୂହ ।। ସଂଘାତିବ=ବିନାଶିବ ।।