ଗାୟକ ଶ୍ରୀ ଦାମୋଦର ଦାଶ
କବିଟିଏ ସିନା ହୁଅନ୍ତି
ଦିନ ରାତି ଗୀତ ଲେଖନ୍ତି
ପଢୁବା ନ ପଢୁ ମୋ କବିତା କିଏ
ନିଜ ପଇସାରେ ଛପାନ୍ତି ||
କବିଟିଏ..... ||o||
ବୁଝୁବା ନ ବୁଝୁ ମୋ କବିତା କେହି
ସେଥିରେ ତ ମୋର ଯାଏ ଆସେ ନାହିଁ
ତାଳ, ଲୟ, ଛନ୍ଦ ଚୁଲିକି ଯାଉ
ମୁଁ ଶବଦରେ ବୋମା ଫୁଟାନ୍ତି ||
କବିଟିଏ..... ||୧||
ଛାପାଖାନା ମୋର ଥାଆନ୍ତା
ପତ୍ରିକା ଛପା ହୁଅନ୍ତା
ନିଜ ଫୋଟୋ ପ୍ରତି ପୃଷ୍ଠାରେ ଛାପି
ସାରା ଓଡ଼ିଶାରେ ବାଣ୍ଟନ୍ତି ||
କବିଟିଏ..... ||୨||
ନିଜର ମାଇକ ହୁଅନ୍ତା
ଟେଣ୍ଟ ଲାଇଟ ଥାଆନ୍ତା
ନିଜ ଇଛାରେ ସଭା କରି ମୁଁ 'ତ
ନିଜେ ସଭାପତି ହୁଅନ୍ତି ||
କବିଟିଏ..... ||୩||
ନିଜ ଚେୟାରରେ ବସନ୍ତି
ନିଜ ଗୀତ ନିଜେ ଗାଆନ୍ତି
ଘରୁ ଫୁଲ ମାଳ ବେକରେ ଲମ୍ବାଇ
ଝୁଲି ଝୁଲି ଚାଲି ଆସନ୍ତି ||
କବିଟିଏ..... ||4||
ସାମ୍ବାଦିକ ବନ୍ଧୁ ହୁଅନ୍ତେ
କେତେ ସମ୍ବର୍ଦ୍ଧନା ଦିଅନ୍ତେ
କବି ମର୍କଟ ଉପାଧି ନେଇ ମୁଁ
ଫୁଲ ମାଳ ପରେ ଶୁଅନ୍ତି ||
କବିଟିଏ..... ||୫||
ନିଜ ଢ଼ୋଲ ନିଜେ ବଜାନ୍ତି
ନିଜର ତାଳରେ ନାଚନ୍ତି
ପ୍ରଶଂସା ନିଶାରେ ମସଗୁଲ ହୋଈ
ନିଜକୁ ବି ଭୁଲି ଯାଆନ୍ତି ||
କବିଟିଏ..... ||୬||
କବି ସମ୍ମିଳନୀ କରନ୍ତି
ମାଇକ ଫଟାଇ ଗାଆନ୍ତି
ଶୁଣୁ ବା ନଶୁଣୁ ମୋ କବିତା କିଏ
ମୁଁ ନନ ଷ୍ଟପ ଗାଇ ଯାଆନ୍ତି ||
କବିଟିଏ..... ||୭||