ଶାଗ ଓ ଶସ୍ୟ (ଡାଲି) ମାଳିକା
ରଚନା- ଲକ୍ଷ୍ମୀଧର ପଣ୍ଡାଶର୍ମା
କାମକଳା କୁଶଳା,
ତୋର ପ୍ରେମ ସାଗରେ ମୁଁ ଗଲି ଭାସିରେ
କୋଳଥରେ କର ସଜ ନାଳୀକ ର
କରମ ଦଶାକୁ ଦିଅ ନାଶିରେ ।୦।
କଲେଖଡା ପାଶେ ତୋହର-
ଡରେ ଦେଖ କମ୍ପେ ଶରୀର
କିପାଇଁ ସାରୁଛୁ ପ୍ରୀତି ସରଣୀକି
ଚପଳାଙ୍ଗୀ ମୋରଦଙ୍ଗା ଫାଶୀରେ ।୧।
କଥାଶୁଣୁ ସୁନାଙ୍ଗୀବର-
ଗୁଡ ବଚନା ମୁଁ ଅଧିର
କୀର୍ତ୍ତି ହେବଥୁଆ ବିରିଞ୍ଚିର ନୂଆ
ଇତିହାସେ ଧନ୍ୟା ମନ୍ଦହାସୀରେ ।୨।
କିମ୍ପା ପିତା ବଚନ ଭାଷୁ
ଲେଉଟିଆ କୋଳକୁ ଆଶୁ
କେବଳ ତୋ ମୂଳାଶ୍ରୟୀ ନବବାଳା
ରାକାନିଶିରେ ତୁ ପୂର୍ଣ୍ଣ ଶଶୀରେ ।୩।
କାକୁ ଚିତ୍ତେ ମୋଟ ରଖନା
ଦେବୁଟାଳି ବିପତ୍ତି ସିନା
କବି ଲକ୍ଷ୍ମୀଧର ତୋ ପାଦେ କିଙ୍କର
ମଧୁର ବ୍ରାହ୍ମୀକି ଦିଅ ଭାଷିରେ ।୪।
---------
ଶାଗ- କୋଶଳା, ସଜନା, କଳମ (କରମ), ଖଡା, ସାରୁପତ୍ର, ସରଣୀ ବା ପ୍ରସାରଣି, ପାଳଙ୍ଗ, ମରଦଙ୍ଗା, ସୁନୁସୁନିଆ, ଚଣା, ବଥୁଆ, ଧନିଆପତ୍ର, ପିତା, ଲେଉଟିଆ, ମୂଳାପତ୍ର, କାନିଶିରି, ପୂରୁଣାମୁଣ୍ଡି (ପୂର୍ଣ୍ଣ), କୋବି, ବ୍ରାହ୍ମୀ ।
ଶସ୍ୟ- ମୁଗ, କୋଳଥ, ହରଡ, ବରଗୁଡି, ବିରି, ମଟର, ବୁଟ ।