କବି: ଗାୟକ ବିଦ୍ୟାଭୂଷଣ ଶ୍ରୀଯୁକ୍ତ ରମାକାନ୍ତ ମିଶ୍ରଶର୍ମ୍ମା
ପ୍ରଭାତ ବର୍ଣ୍ଣନା
(ଘେନାଇ ଆମ୍ଭେ ଯେତେ କହିଲୁରେ ବୃତ୍ତେ)
ନିଶି ବିନାଶ ଆସି ହୋଇଲାରେ
ଶଶିହାସ ପ୍ରକାଶ ନୋହିଲାରେ ।୦।
ଦିଶ ଦିଶିଲେ ଶୁଚି,
ମସି ଗଲାଣି ଲୁଚି ।
ଶିଶିର ଶୀତାନିଳ ବହିଲାରେ ।୧।
ତୋଷେ ବରଜି ବାସ,
ଅସିତାଙ୍ଗ ବାୟସ
କାକାଘୋଷ ଆକାଶେ କହିଲାରେ ।୨।
ରଟିଲା କୃକବାକ,
ରସାଳ ଡାଳେ ପିକ ।
ପଞ୍ଚମ ସ୍ୱରେ ଗୀତ ଗାଇଲାରେ ।୩।
ବିକସିଲା କୁସୁମ,
ସୁବାସ ମନୋରମ ।
ପ୍ରସରି ସଂସାରକୁ ମୋହିଲାରେ ।୪।
ପ୍ରାଚୀ ଅଚଳ ଶିର-,
ଭୂଷା ପୂଷାର କର ।
ରସାକୁ ଆସି ଶୋଭା ବହିଲାରେ ।୫।
ତେଜି କାନ୍ତ ସଙ୍ଗତି,
କାନ୍ତାଏ କଲେ ଗତି ।
ରମାକାନ୍ତ ସଙ୍ଗୀତ ଲିହିଲାରେ ।୬।
କେତେକ ଶବ୍ଦାର୍ଥ:
ଶଶି ହାସ- ଚନ୍ଦ୍ରଙ୍କ ଶୋଭା
ପ୍ରକାଶ- ଦୀପ୍ତି, ପ୍ରସ୍ଫୁଟ, ପ୍ରକାଶିତ
ଦିଶ- ଦିଗ।ଶୁଚିି- ନିର୍ମଳ, ପବିତ୍ର
ମସି- କଳା, ଅନ୍ଧାର।ଶିଶିର- କାକର
(ଶୀତ (ଥଣ୍ଡା)+ଅନିଳ(ପବନ))-
ଶିଶିର ଶୀତାନିଳ=କାକରଭିଜା ଥଣ୍ଡା ପବନ ।।
ବରଜି- ତ୍ୟାଗକରି ।।
ବାସ- ରହିବା ସ୍ଥାନ, ଗୃହ ।।
ଅସିତାଙ୍ଗ ବାୟସ- କଳା ଅଙ୍ଗ କାକ
କୃକବାକ- କୁକୁଡ଼ା। ରସାଳ- ଆମ୍ବ
ପିକ- କୋଇଲି। ବିକସିଲା- ଫୁଟିଲା
କୁସୁମ- ଫୁଲ। ସୁବାସ- ବାସନା
ମନୋରମ- ସୁନ୍ଦର। ପ୍ରସରି-ବିଛୁରିତ
ପ୍ରାଚୀ- ପୂର୍ବ ଦିଗ। ଅଚଳ- ପର୍ବତ
ପୂଷାର କର- ସୂର୍ଯ୍ୟ କିରଣ,
ରସାକୁ- ପୃଥିବୀକୁ। କାନ୍ତ- ସ୍ଵାମୀ
କାନ୍ତା- ପତ୍ନୀ
ସନ୍ଧ୍ୟା ବର୍ଣ୍ଣନା
ଅତି ମଞ୍ଜୁଳେ,
ସଞ୍ଜକାଳ ଆସି ହୋଇଲା ।
ଦିବାକର କର ରକତ ବ୍ୟକତ
ବାରୁଣୀ ଆକାଶ ଧୋଇଲା ।୦।
ବାମାକୁଳ ଜଳ କଳସୀ ସହିତେ
ଅଳସେ ଆସନ୍ତି ଚାଲି ।
ହମାରବେ ଧେନୁ କୁଳ ଆଗମନେ
ଗଗନେ ଉଠିଲା ବାଲି ।୧।
କ୍ରମେ ବିଭାବସୁ ଆରେପାରେ ପଶୁଁ
ଅନ୍ଧାର ଆସିଲା ମାଡ଼ି ।
ଆକାଶ ପ୍ରକାଶମାନ ସୁଯତନେ
ତାରକା କୁଳ ସଜାଡି ।୨।
ଶଶୀ ହସି ପ୍ରାଚୀ ସିଂହାସନେ ବସି
ବିଭାବରୀ ନାରୀ ସଙ୍ଗେ ।
ଆକାଶ ଧରଣୀ ରାଜ୍ୟେ ରାଜପଣେ
ବିହରିଲେ ନାନାରଙ୍ଗେ ।୩।
ପୁରେ ପୁରେ ଦୀପ ଜାଳିଲେ ଏକାଳେ
ଗୃହିଣୀ ଏ କୁଳବାଳୀ ।
କହେ ରମାକାନ୍ତ ବଳାଇଲେ ଚିତ୍ତ
କୁଳଟା କରିବେ କେଳି ।୪।
କେତେକ ଶବ୍ଦାର୍ଥ:-
ମଞ୍ଜୁଳେ- ମଧୁରେ, ସୁନ୍ଦରଭାବେ
ଦିବାକର- ସୂର୍ଯ୍ୟ । କର- କିରଣ
ବାରୁଣୀ- ପଶ୍ଚିମ । ବିଭାବସୁ- ସୂର୍ଯ୍ୟ
ପ୍ରକାଶ- ଦୀପ୍ତି, ତେଜ, ପ୍ରସ୍ଫୁଟ
ବିଭାବରୀ- ରାତି , କୁଳଟା- ବେଶ୍ୟା