ଚକାଡୋଳା ମୋ ଦୁଃଖ କାଟିପକାହେ.. ବୃତ୍ତେ
କବି: ଗାୟକ ବିଦ୍ୟାଭୂଷଣ ରମାକାନ୍ତ ମିଶ୍ରଶର୍ମ୍ମା, ଜଟଣୀ
ବନଧରକେଶୀ ମୋ ଜୀବଜୀବନ,
ବନ ମଣୁଥିବ ମୋ ବିନା ଭବନ ।
ବନଜ ନେତ୍ରରୁ ଢ଼ାଳି ନିରତେ ବନ,
ବନମୃଗୀଦୃଶା କରୁଥିବ ଭାବନ ।
ବନସୁତସମ ତା,
ଶ୍ରୀମୁଖ ଶୋଭାବନ,
ବନବିନା ଲତିକା-
ପ୍ରାୟ ହେବଣି ବନ ।
ବନନେତ୍ରେ ହେବଣି ଧାରାଶ୍ରାବଣ ।୧।
ସରସର ହେବଣି ତା ଉର ବସନ,
ଜରଜର ହୋଇକାମେ ତେଜିଅଶନ ।
ଅହିଅହିତ ହାର,
ହେବଣି ତା ଗଳାର,
ସହୀ ସହିତ ସଙ୍ଗ-
ନଥିବ ଅବଳାର ।
ମାର ମାରଗଣରେ ଭୋଗି କଷଣ ।୨।
ଲୋଡୁଥିବ ସଙ୍ଗ ଗଡୁଥିବ ପଲଙ୍କେ,
ମାଡୁଥିବ କର ତାଡୁଥିବ ତା ବୁକେ ।
ବେଳେ ବେଳେ ବିକଳେ,
ଲୋଟୁଥିବ ଭୂତଳେ,
ଗୀତେ କହଇ ରମା-
କାନ୍ତ କାନ୍ତ ଆକୁଳେ ।
ଏହି ପ୍ରକାରେ ପରବାସେ ଭାବନ ।୩।
କେତେକ ଶବ୍ଦର ଅର୍ଥ:
ବନଧର=ମେଘ ।। ବନ=ଅରଣ୍ୟ ।। ବନଜ=ପଦ୍ମ ।। ବନ=ଜଳ (ଲୁହ) ।। ବନମୃଗୀଦୃଶା=ଅରଣ୍ୟହରିଣନୟନା ।। ବନସୁତ=ଚନ୍ଦ୍ର, ପଦ୍ମ ।। ବନବିନା=ଜଳବିନା ।। ଲତାଝାଉଁଳିବାପରି ହେବଣିବନ (ତେଜ ହେବଣି)।। ଜଳ ଆଖିରେ ଧାରା ଶ୍ରାବଣ ପରି ହେବଣି ।। ଅଶନ=ଭୋଜନ।। ଅହିଅହିତ=ସର୍ପପରି ଅହିତ।। ମାର=କନ୍ଦର୍ପ ।।
ମାରଗଣରେ = ଶରରେ ।।