ଶ୍ରୀଜଗନ୍ନାଥ ଜଣାଣ
***ରସକୁଲ୍ୟା***
ଚକାନୟନକୁ ପତିତ କେହି-ବୃତ୍ତେ
କବି:ଗାୟକ ବିଦ୍ୟାଭୂଷଣ ରମାକାନ୍ତ ମିଶ୍ରଶର୍ମା
ନୀଳାଚଳ କଳାମୁଖ ଶ୍ରୀହରି,
ଲୀଳା କରୁଛ ଦାରୁରୂପ ଧରି ।
ନୀଳାମ୍ବରାନୁଜ ହେଳା କାହିଁକି ,
ଭେଳା ଯାଏ ବୁଡ଼ି ଦିଶୁନାହିଁ କି ?
ତିଳାର୍ଦ୍ଧେ କରୁଣାକର ହେ ,
ଖେଳାଇ ମାରୁଛ ସଂସାର ଖେଳରେ
ବେଳା ହେଲାଣି ଆଖର ।।୧।।
ପାରିହେବାପାଇଁ ପାତକୀ କେତେ ,
ଘାରିହୋଇ ଡାକିଥିଲେ ଅତୀତେ ।
ସାରିନାହଁ କାହା ବିପତ୍ତି ହରି ,
ମାରିନାହଁ କେତେ ଭକ୍ତଭଗାରି ।
ତାରିନାହଁ କେତେ ପାପୀ ହେ
ଚାରିଯୁଗେ ଭାରି- ଅବନୀ ଉଦ୍ଧାରି-
ଧାରୀ ଧରମକୁ ସ୍ଥାପି ।।୨।।
କୁମ୍ଭୀର କୁମ୍ଭୀର ଧରୁ ଚରଣ,
ସ୍ତମ୍ଭୀଭୂତେ ଗଲା ତୁମ୍ଭ ଶରଣ ।
ଅମ୍ଭୋରୁହ ତୋଳି ଦିଅନ୍ତେ ଡାକ ,
ସମ୍ଭାଳିଲ ପ୍ରଭୁ ତାର ବିପାକ ।
ଜମ୍ଭାରାତି ଦର୍ପଦଳା ହେ
ସମ୍ଭବକି ମୋର କୁମ୍ଭୀପାକ ଘୋର-
ନରକ ନିସ୍ତାର ଲୀଳା ।।୩।।
ମନ୍ଦରଧର ହେ ନନ୍ଦନନ୍ଦନ ,
କୁନ୍ଦନାଙ୍ଗୀ ରାଧା ହୃଦଚନ୍ଦନ ।
ଫାନ୍ଦରେ ପକାଇ ଛନ୍ଦିଲ ମୋତେ ,
ଚାନ୍ଦ କି ପଡ଼ିବ ବାମନ ହାତେ ।
କାନ୍ଦ ଦୂରହେବ ମୋର ହେ
ବୃନ୍ଦାରକବୃନ୍ଦ- ବନ୍ଦିତାରବିନ୍ଦ-
ପଦଦ୍ବନ୍ଦରେ ଜୁହାର ।।୪।।
ଶଙ୍କମାନା ଦେବୀ ରୁକ୍ମିଣୀ ଡାକେ ,
ଅଙ୍କରେ ବସାଇ ନେଲ ପଲକେ ।
ରଙ୍କସୁଦାମା ଦାରିଦ୍ର୍ୟଭଞ୍ଜନ ,
ଟଙ୍କ ପ୍ରମାଣେ ଅରପିଲ ଧନ ।
ଶଙ୍କର ବିରଞ୍ଚି ଯାର ହେ
ପଙ୍କଜପୟରେ କିଙ୍କର ହେବାକୁ
ଧ୍ୟାନରତ ନିରନ୍ତର ।।୫।।
ରମା ସୁରମା ଜୀବନ ଈଶ୍ଵର ,
କମାଇଲନାହିଁ ଦୁଃଖ ନିଃସ୍ୱର ।
ଜମାଇଲ ମୋର କପାଳେ କଷ୍ଟ ,
ଖମାରେ ପଡି ହେଉଅଛି ନଷ୍ଟ ।
ଅମା ତମାଳ ବରନ ହେ
ଯମାଳୟ ସାକ୍ଷୀ ରମାକାନ୍ତ ରଖି
ଶ୍ରୀପଦେ ଯାଏ ଶରଣ ।।୬।।