ଗାୟକ 'ଶ୍ରୀ' ଦାମୋଦର ଦାଶ
ଶୋଷଣ, ଧର୍ଷଣ, ଅତ୍ୟାଚାର ନାମେ ମନ୍ଦିର ଲୋଡ଼ାନାହିଁ
ଶଙ୍ଖ ଘଣ୍ଟାର କୋଳାହଳନାଦେ ଦେବତା ଲୁଚଇ ଯହିଁ ।।୧।।
ଲୁଟେରା, ମଦୁଆ, ଉପୁରିଖିଆଙ୍କ ଆଡ୍ଡା ସ୍ଥାନ ଯାକୁ କହି
କେଉଁ ଭରସାରେ ଭକତ ଧାଇଁବ ଗୁହାରି କରିବା ପାଇଁ ।।୨।।
ପୂଜକ କରଇ ଶୋଷଣ ଯହିଁ ପୂଜାପାଠ ଆଢୁଆଳେ
ବାତରା ଟୋକାଙ୍କ ରାଜ୍ ଚାଲଇ ଚିତା, ଚଇତନ ଅନ୍ତରାଳେ ।।୩।।
ଭୋଗ ଦୋକାନରେ ପାଉଚ ମିଳଇ ଚରସ, ଗଞ୍ଜା, ଅଫିମ ସାଥେ
ପଣ୍ଡା ପଢ଼ିହାରୀ କମିଶନ ନେଇ ଯୋଡ଼ନ୍ତି ଭକତ ମାଥେ ।।୪।।
ତପସ୍ଵିନୀ ସାଜି ବାରାଙ୍ଗନା କରେ ଆଳତିର ଉପଚାର
ଚୋର ଖଣ୍ଟଙ୍କର ମାଳା କଉପିନ ଆହା କେତେ ମନୋହର ।।୫।।
ଭଣ୍ଡ, ଟାଉଟର ଗେରୁଆ ବସନେ ମାଥେ ତିଳକ ଲଗାଇ
ଯଜ୍ଞ କରନ୍ତି ପୁରୋଧା ଭାବରେ ଭକତି ସେଠାରେ କାହିଁ ।।୬।।
ଧର୍ମଭୀରୁ ଏ ସମାଜକୁ ନେଇ ଦଳଗଢ଼ା ଲୋଡ଼ାନାହିଁ
ମଣିଷ ପରି ମଣିଷଟିଏ ଲୋଡ଼ା ସିନା ଦେଶ ପାଇଁ ।।୭।।
ଏଇ ରାଇଜରେ ଇନ୍ଦ୍ରଦୁ୍ୟମ୍ନ ନାମେ ଥିଲେ ଜଣେ ମହାରାଜା
ଦେଉଳ ତୋଳାଇ, ପ୍ରତିମା ଗଢ଼ାଇ, କରୁଥିଲେ ସେବାପୂଜା ।।୮।।
ମାଗିଲେ ପ୍ରଭୁଙ୍କୁ କରୁଣାମୟ ହେ ଏତିକି କରୁଣା ହେବ
ମୋହର ବୋଲି ତ କହିବା ପାଇଁକି ମୋ ବଂଶେ କେ ନରହିବ ।।୯।।
ସେଇ ରାଇଜରେ ଠାବେ ଠାବେ ଆଜି ମନ୍ଦିରେ ଉଡୁଛି ଧ୍ଵଜା
କର୍ମକର୍ତ୍ତାଙ୍କର ଅହଙ୍କାରର ବାଜୁଛି ସଘୋଷ ବାଜା ।।୧୦।।
ମନ୍ଦିରଠାରୁ ଅହଂକାର ଉଚ୍ଚା, ମଣିଷ ପଣିଆ ନାହିଁ
ତେଣୁ ତ ଲାଗୁଛି, ଏ ଦେଶରେ ଆଉ ମନ୍ଦିର ଲୋଡ଼ାନାହିଁ,
ମନ୍ଦିର ଲୋଡ଼ା ନାହିଁ ।।୧୧।।