ପାନ ମସଲା ମାଳିକା
କବି: ଗାୟକ ବିଦ୍ୟାଭୂଷଣ ରମାକାନ୍ତ ମିଶ୍ରଶର୍ମ୍ମା
କନକ ବରନା ଗୋରି ଗୋ, -
ପାଳ ମୋ କଥାକୁ ସ୍ମୃତିରେ ରଖି ।
ତାରକେଶ୍ୱର ଆନନେ ହୀରାମୋତି
ଦଶନେ ହାସକୁ ଉକୁଟା ସଖି ।୦।
ଶିବଦାତା ହୁଅ ବାନ୍ଧବି,
ସୁଦାମ କେତକୀ ସୁରଭି ।
ଅଙ୍ଗବାସ ତୋ ବାଜିଲେ ବାବାଜୀଙ୍କ
ଦମ୍ଭ ଗୁଣ୍ଡି ହେବ ଆରେ ସୁମୁଖି ।୧।
ରତ୍ନାକର ଲହରୀ ସମ,
କୁଞ୍ଚିତ କେଶ ତୋ ସୁଷମ ।
ପ୍ରସାଦ ଭାବ ନ ବହିକି- ମାମଲା
ଧନି- ଆରେ କରୁ ମୋତେ ପରଖି ।୨।
ଲବଙ୍ଗ ଲତା ମୋର ଆସ,
ଗୁଜୁରା- ତୀବ୍ରେ ମୋହ ଆଶ ।
ରମାକାନ୍ତେ କୁଚ ଶିଖା ଅଳାଇଚ
ପ୍ରୀତି ଗୁଆ ଘିଅ ଦିଅ ମୃଗାକ୍ଷି ।୩।
--------------
ବିଶେଷ ଦ୍ରଷ୍ଟବ୍ୟ:-(ପାନ ମସଲା ନାମ )
"୦"ଘୋଷା ପଦରେ-
(୧- କନକ, ୨- ଗୋପାଳ
୩- ସ୍ମୃତି, ୪- ତାରକେଶ୍ୱର
୫- ହୀରାମୋତି )
୧ ମ ପଦରେ-
(୬- ଶିବଦାତା, ୭- ସୁଦାମ
୮- କେତକୀ, ୯- ସୁରଭି
୧୦- ବାବା, ୧୧- ଗୁଣ୍ଡି )
୨ ୟ ପଦରେ-
(୧୨- ରତ୍ନା, ୧୩- ପ୍ରସାଦ
୧୪- କିମାମ୍, ୧୫- ଧନିଆ )
୩ ୟ ପଦରେ-
(୧୬- ଲବଙ୍ଗ, ୧୭- ଗୁଜୁରାତି
୧୮-ଅଳେଇଚ, ୧୯- ଗୁଆ)
ପୁନଃ-
ଘୋଷା ପଦରେ-(ଗୋରି, ସଖି)
୧ ମ ପଦରେ- (ବାନ୍ଧବି, ସୁମୁଖି)
୨ ୟ ପଦରେ- (ଧନି)
୩ ୟ ପଦରେ- (ମୃଗାକ୍ଷି)
ଏହି ଶବ୍ଦ ଗୁଡ଼ିକ ସ୍ତ୍ରୀଲିଙ୍ଗ ହୋଇଥିଲେ ମଧ୍ୟ ସଂଵୋଧନ ହେତୁ ଈ କାର ସ୍ଥାନରେ ଇ କାର ହୋଇଅଛି ।
--------------ଅନୁବାଦ-------------
ଟୀକାକାର:-
କବିଙ୍କ ଚରଣାଶ୍ରିତ ଶିଷ୍ୟ
ଗାୟକ ଶ୍ରୀ ଶରତ ଚନ୍ଦ୍ର ଦାଶ
ଗ୍ରା/ପୋ- ରଇଁଶୋଲ, ଭାୟା- ପିପିଲି
ଜିଲ୍ଲା- ପୁରୀ, ପିନ୍- ୭୫୨୧୦୪
ଶୂନ୍ୟଭାଷ- ୯୮୬୧୪୭୦୫୦୫
୮୭୬୩୩୩୧୦୩୭
---------------
"୦"ଘୋଷା ପଦ-
(କନକ ବରନା ଗୋରି ଗୋ !)
ଗୋ ସୁନାବର୍ଣ୍ଣା ଗୋରି! ମୋ କଥାକୁ
(ସ୍ମୃତିରେ ରଖି) ମନରେ ରଖି ପାଳନ କର। ହେ ସଖି !
(ତାରକା+ଈଶ୍ଵର= ତାରକେଶ୍ୱର)
ଚନ୍ଦ୍ର(ଆନନେ) ମୁଖରେ
ହୀରାମୋତି ଭଳି (ଦଶନେ) ଦାନ୍ତରେ
(ହାସ ଉକୁଟା) ଟିକିଏ ହସି ଦେ ।୦।
୧ ମ ପଦ-
ହେ ବାନ୍ଧବି!(ଶିବଦାତା) କଲ୍ୟାଣ ବା
ମଙ୍ଗଳ ଦାତ୍ରୀ ହୁଅ। ଆରେ ସଖି !
(ସୁଦାମ କେତକୀ ସୁରଭି) ଉତ୍ତମ ବା ସଜ କେତକୀ
ଫୁଲମାଳାର ଗନ୍ଧଭଳି
(ଅଙ୍ଗବାସ) ତୋ ଦେହର ବାସନା
ବାଜିଲେ ବାବାଜୀଙ୍କ ଦମ୍ଭ(ଗୁଣ୍ଡି) ଚୁନା ହୋଇଯିବ ।୧।
୨ ୟ ପଦ-
ତୋ କୁଞ୍ଚିତ କେଶର (ସୁଷମା) ଶୋଭା
(ରତ୍ନାକର) ସମୁଦ୍ରଲହରୀ ସମ ଅଟେ ।
ଆରେ ଧନି ! (ପ୍ରସାଦ) ପ୍ରସନ୍ନ ଭାବ ନ ବହି
(ମାମଲା) ଝାମଲା କରି (କରୁ- ପରଖି) ପରୀକ୍ଷା କରୁଛୁ ।୨।
୩ ୟ ପଦ-
ହେ ମୋର ଲବଙ୍ଗ ଲତା ! ଆସ ।
(ତୀବ୍ରେ) ଶୀଘ୍ର (ମୋହ ଆଶ) ମୋର
ଆଶା (ଗୁଜୁରା) ମେଣ୍ଟାଅ । (କୁଚଶିଖା)
କୁଚାଗ୍ର ଅଳାଇଚ । ହେ (ମୃଗାକ୍ଷି) ମୃଗଲୋଚନେ !
(ପ୍ରୀତି ଗୁଆ ଘିଅ) ଗୁଆ ଘିଅ ଭଳି ଖାଣ୍ଟି ବା ଶୁଦ୍ଧ ପ୍ରୀତି
ରମାକାନ୍ତେ (ଦିଅ) ପ୍ରଦାନ କର ।୩।