ଗାୟକ'ଶ୍ରୀ' ଦାମୋଦର ଦାଶ
ବାରିକପୁର ବଜାର, ଭଦ୍ରକ
"ନରତ୍ୱ° ଦୁର୍ଲଭଲୋକେ ବିଦ୍ୟାସ୍ତତ୍ର ସୁଦୁର୍ଲଭା
କବିତ୍ବ° ଦୁର୍ଲଭାସ୍ତତ୍ର ଶକ୍ତିସ୍ତତ୍ର ସୁଦୁର୍ଲଭା (ଅଗ୍ନି ପୁରାଣ)
"Poetry is the metrical composition, it is the art of ceniting pleasure with truth by calling imagination to the help of reason" - Dr. Johnson
"Poetry is the concrete and artistic impression of human mind in emotional and sythmical language" - Mr. Watts Dunton
"Poetry is the spontaneous overflow of powerful feelings" - William Wordsworth
"Poetry is the shythmic creation of Beauty" - American Poet - Edgar Allan Poe
କବିତା ଆବେଗ ଓ କଳ୍ପନାର ବସ୍ତୁ ତଥା କବି ହୃଦୟାନନ୍ଦର ମୌଳିକ ଅଭିବ୍ୟକ୍ତି | ଇଶ୍ଵର ଦତ୍ତ ଶକ୍ତି ନ ଥିଲେ, ଶତ ଚେଷ୍ଟା କରି ମଧ୍ୟ କେହି କବି ହୋଇପାରିବ ନାହିଁ |ବାସ୍ତବରେ କବିତା ବଳିଷ୍ଠ ଭାବାବେଗର ସ୍ଵତଃସ୍ପୁର୍ତ୍ତ ଉଚ୍ଛ୍ଵାସ |ଯେପରି କୋକିଳର ସ୍ଵର, କୁସୁମର ଗନ୍ଧ ପ୍ରକୃତିଦତ୍ତ, କବିତା ରଚନା ଶକ୍ତି ମଧ୍ୟ ଠିକ ସେହିପରି | ଏକଥା କହନ୍ତି ଖ୍ୟାତନାମା କବି ଡ଼ଃ କୁଞ୍ଜବିହାରୀ ଦାଶ |
ଏକ ଉଚ୍ଚାଙ୍ଗ କାବ୍ୟ ସୃଷ୍ଟିର ଲକ୍ଷଣ ସମ୍ପର୍କ ରେ ବିଶ୍ଵର ବହୁ ଵିଶିଷ୍ଟ ସାର ସ୍ଵତ ସ୍ରଷ୍ଟା ଓ ସମୀକ୍ଷକ ଭିନ୍ନ ଭିନ୍ନ ମତ ପୋଷଣ କରି ଆସିଛନ୍ତି | ସେମାନଙ୍କୁ ମୁଖ୍ୟତଃ ଦୁଇଟି ଶିବିରରେ ରଖାଯାଇ ପାରେ | ଗୋଟିଏ ଭାବଭିତ୍ତିକ ଅନ୍ୟଟି ଭାଷାଭିତ୍ତିକ | କେହି 'ବାକ୍ୟରସାତ୍ମକ° କାବ୍ୟ°' ଘୋଷଣା କରନ୍ତି ତ କେହି 'ରମଣୀୟାର୍ଥ ପ୍ରତିପାଦକଃ ଶବ୍ଦ କାବ୍ୟମ୍' ବୋଲି ଯୁକ୍ତି ବାଢନ୍ତି | ପ୍ରାଚ୍ୟ କାବ୍ୟ ପରମ୍ପରାରେ ଭାଵ ଓ ଭାଷା ବା ରସ ଓ ରୂପକୁ ନେଇ ଏପରି ଭିନ୍ନ ଭିନ୍ନ ମତ ରହିଥିଲେ ମଧ୍ୟ ପ୍ରାଚ୍ୟ କାବ୍ୟାଦର୍ଶ ମୁଖ୍ୟତଃ ରସ ଉପରେ ଗୁରୁତ୍ୱ ଆରୋପ କରିଥାଏ |
ପାଶ୍ଚାତ୍ୟ ମତରେ କାବ୍ୟିକ ସୃଷ୍ଟି-ଶିଳ୍ପ ପାଇଁ ପ୍ରଧାନ ଉପାଦାନ ହେଉଛି ଶବ୍ଦ ଶିଳ୍ପ |କବି ନିଜ କବିତାରେ କିଛି କହିବା ପାଇଁ ଉନ୍ମୁଖ ହୁଏ ନାହିଁ | ଯେ ହୁଏ, ସେ କବି ପଦବାଚ୍ୟ ନୁହେଁ | ସେ ଆଜି ଶବ୍ଦର ବୃହତ୍ତର ବୃତ୍ତ ମଧ୍ୟରେ ଝୁଲି ଝୁଲି ଶବ୍ଦର ଧ୍ଵନିକୁ ଉପଭୋଗ କରିବା ପାଇଁ ପ୍ରଲୁବ୍ଧ | ଶବ୍ଦ ମାଧ୍ୟମରେ ସେ ସୃଷ୍ଟି କରେ ରୂପଶିଳ୍ପ |ଏ କ୍ଷେତ୍ରରେ କୁନ୍ତକଙ୍କର ଉକ୍ତିଟି ସ୍ମରଣୀୟ "ମନୋଞ୍ଜ ଫଳ କୋଲ୍ଲେଖ ବର୍ଣ୍ଣଛାୟାଶ୍ରୀୟଃ ପୃଥକ | ଚିତ୍ରସ୍ୟେବ ମନୋହାରୀକର୍ତ୍ତୃ କିମପି କୌଶଳମ୍ |"
କବିତା କେବଳ ଭାବର ପରିପ୍ରକାଶ କରେ ନାହିଁ, ଭାବର ଉଦ୍ରେକ ଘଟାଏ |ତେଣୁ କବି କେତେକ ରୂପ ବା ଚିତ୍ର ସୃଷ୍ଟି କରାଏ ଯାହା ତାହାର ଭାବାନୁଭୂତିକୁ ଉଦ୍ରିକ୍ତ କରେ | କବିତାର ଭାବାବେଗ ଓ ସହଜାତ ପ୍ରବୃତ୍ତି ଅପେକ୍ଷା ଭାବାନୁଭୂତିକୁ ଆଧୁନିକ କବି ଉଚ୍ଚ ସ୍ଥାନ ଦେଇଛି |
ଉଚ୍ଚକୋଟୀର କବିତାରେ ବିଭିନ୍ନ ଚିତ୍ରକଳ୍ପ ପରସ୍ପର ସହିତ ଅଙ୍ଗାଙ୍ଗୀ ଭାବେ ସମ୍ପୃକ୍ତ ଓ ଶେଷରେ କବିତାଟି ସ୍ୱୟଂ ଏକ ସୁନ୍ଦର ଚିତ୍ରକଳ୍ପରେ ପରିଣତ ହୋଇଯାଏ |ଅପର ପକ୍ଷରେ ସୌନ୍ଦର୍ଯ୍ୟାନନ୍ଦ ଓ ରସାନୁଭୂତିର ମନୋଜ୍ଞ ଅଭିବ୍ୟକ୍ତି କବିତାର ଉତ୍କୃଷ୍ଟତାର ସର୍ବଶ୍ରେଷ୍ଠ ମାନଦଣ୍ଡ ବୋଲି କୁହାଯାଇଥାଏ |ହିନ୍ଦୀ ସାହିତ୍ୟର ମୂର୍ଦ୍ଧନ୍ୟ ବିଦ୍ୱାନ ଡ଼ାଃ ନଗେନ୍ଦ୍ର ଏଇଠି କହନ୍ତି "କେବଳ ସୌନ୍ଦର୍ଯ୍ୟ ଚେତନା କବିତା ନୁହେଁ, ବର୍ଣ୍ଣସଂଗୀତ କବିତା ନୁହେଁ, ଛନ୍ଦ ବା ଲୟ କବିତା ନୁହେଁ | ଏ ସବୁର ସମନ୍ଵ ୟ ହିଁ କବିତା ଅର୍ଥାତ ରମଣୀୟ ଭାଵ, ଉକ୍ତି ବୈଚିତ୍ର୍ୟ ଓ ବର୍ଣ୍ଣ ଲୟ ସଂଗୀତ, ଏହି ତ୍ରିତତ୍ତ୍ୱ ସମ୍ମିଳିତ ହୋଈ କବିତା ରୂପ ଧାରଣ କରନ୍ତି |ଏମାନଙ୍କ ମଧ୍ୟରୁ କୌଣସି ଗୋଟିଏ ହେଲେ ତତ୍ତ୍ୱର ଅଭାବରେ କବିତା ହୋଇପାରିବ ନାହିଁ |
କବି ହୃଦୟର ଅନନ୍ତ ଆନନ୍ଦ ଅନୁଭୂତିର ଉତ୍ସ କବିତାରେ ମୂର୍ତ୍ତିମତୀ ହୁଏ | ବିନା କାରଣରେ ହସିବାରେ ଯେମିତି ଶିଶୁର ଆନନ୍ଦ, ଠିକ ସେହିପରି କବିତା ରଚନା କରିବାରେ କବିର ଆନନ୍ଦ | ଅବସ୍ଥା ବା ପରିସ୍ଥିତି ପ୍ରକୃତ ପ୍ରତିଭାର ଜ୍ୟୋତି ମ୍ଳାନ କରିପାରେ ନାହିଁ |ଯେତେ ମେଘ ଆଚ୍ଛାଦନ କଲେ ମଧ୍ୟ ଦିନ କେବେ ରାତି ହେବା ଅସମ୍ଭବ |କବିତା ଶୁଷ୍କ ନୀତି ରାଜ୍ୟର ବହୁ ଉର୍ଦ୍ଧ୍ୱରେ ଅବସ୍ଥିତ | ତା ବୋଲି କବିତା ନୀତିହୀନ ହେବା ଉଚିତ ନୁହେଁ କିମ୍ବା ପ୍ରକାଶ୍ୟରେ ନୀତି ଉପଦେଶ ପୂର୍ଣ୍ଣ ହେବ ନାହିଁ |କାବ୍ୟର ଉଦାର ଗମ୍ଭୀର ଭାବରାଶି ତଳେ ନୀତି ଫଲ୍ଗୁଧାରା ପ୍ରଚ୍ଛନ୍ନ ଭାବେ ପ୍ରବାହିତ ହେବ |ଏ ପ୍ରରିପ୍ରେକ୍ଷୀ ରେ ଓଡ଼ିଆ ଲୋକ ସାହିତ୍ୟର ଗବେଷକ ଲୋକରତ୍ନ ଡ଼ଃ କୁଞ୍ଜବିହାରୀ ଦାଶ ତାଙ୍କ ଗବେଷଣା ଗ୍ରନ୍ଥ "ଓଡ଼ିଆ ଲୋକଗୀତି ଓ କାହାଣୀ" ରେ ସ୍ପଷ୍ଟ ଭାବେ ଲେଖିଛନ୍ତି -"କବିତା ବ୍ୟକ୍ତି ଆଉ ସମାଜର କର୍ତ୍ତବ୍ୟ ନିର୍ଦ୍ଦେଶକ, ସାମାଜିକ କୁସଂସ୍କାର ର ରୁକ୍ଷ ସମାଲୋଚକ, ସୌନ୍ଦର୍ଯ୍ୟ ତଥା ପ୍ରକୃତି ର ପୁଲକିତ ଫଲଗୁଧାରା, ଜାତିର ସୁଦୀର୍ଘ ଅଭିଜ୍ଞତାର ସଂକ୍ଷିପ୍ତତମ ରସାଭିବ୍ୟକ୍ତି, ସଂସାରରେ ଆଦର୍ଶ ଜୀବନଚର୍ଯ୍ୟା ର ଶିକ୍ଷା, ସାମାଜିକ ଜୀବନ ଏଥିରେ ଜୀବନ୍ତ, ବ୍ୟକ୍ତିଗତ ତଥା ସାମାଜିକ ଅନୁଭୂତି ଏଥିରେ ଶାଣିତ "|
ସାଧାରଣ ବୋଧଶକ୍ତିର ଅଭାବରେ କବିତା ତାର ପରିବେଷଣ ମାନ ହରାଇବାକୁ ବାଦ୍ଧହେବ, ଏଥିରେ ଅନ୍ୟମତ ନାହିଁ |ତତସହିତ ରଚନାର ବୌଦ୍ଧିକ ଦିଗଟି ଗୌଣ ହେବା ସଂଗେ ସଂଗେ ରସହୀନ ହେବାରେ ବିସ୍ମୃତ ହେବାର କାରଣ ନାହିଁ | ସାଧାରଣ ବୋଧଶକ୍ତି ଓ ରସସୃଷ୍ଟି ଦୁଇଟି ପରସ୍ପର ଆପେକ୍ଷିକ ତତ୍ତ୍ୱ |ଉଭୟଙ୍କର ସମ୍ପର୍କ ଏତେ ନିବିଡ଼ ଯେ ଗୋଟିକର ଅବକ୍ଷୟ ଅନ୍ୟ ପାଇଁ ଅସହନୀୟ | ତେଣୁ କାବ୍ୟିକ ସୃଷ୍ଟିର ସୌନ୍ଦର୍ଯ୍ୟ ପାଇଁ ସାଧାରଣ ରୁଚିବୋଧ, ଶବ୍ଦବୋଧ ଓ ରସବୋଧ ଉପରେ ପ୍ରାଧାନ୍ୟ ଦିଆଯାଏ |ସ°ପ୍ରତି ବୋଧଜ୍ଞାନ ଅଭାବରେ ସାହିତ୍ୟିକ ରଚନା କେବଳ ଗୁଡ଼ପାକ ଓ କଦଳୀପାକରେ ସୀମିତି ହେବାକୁ ଯାଉଛି |ଏହା ସାହିତ୍ୟ ପାଇଁ ଯେତିକି ମର୍ମନ୍ତୁଦ ସମାଜ ପାଇଁ ସେତିକି ଅଶୁଭ| କାରଣ ସାହିତ୍ୟର ଅଧୋପତନ ସାମାଜିକ ଧ୍ବଂସାଭିମୁଖୀତାର ପରିଚାୟକ | ତେଣୁ କବି, ପଣ୍ଡିତ, ବୁଦ୍ଧିଜୀବୀ, ସମାଜସେବୀ ଓ ବିଭିନ୍ନ ଶ୍ରେଣୀର ବ୍ୟକ୍ତି ମାନଙ୍କ ତରଫରୁ ଏଥିପାଇଁ କ୍ରିୟାତ୍ମକ ଆନ୍ଦୋଳନ ହେବା ବାଞ୍ଛନୀୟ |