"ଜ"ବର୍ଣ୍ଣ ଅନୁପ୍ରାସ ନିୟମେ
କବି: ଗାୟକ ପୁରାଣଭୂଷଣ
ଶ୍ରୀ ଶରତ ଚନ୍ଦ୍ର ଦାଶ
ରଇଁଶୋଲ,ପିପିଲି, ପୁରୀ,୭୫୨୧୦୪
ଯୋଗାଯୋଗ: ୯୮୬୧୪୭୦୫୦୫
୮୭୬୩୩୩୧୦୩୭
ଜଗତୀରେ ତୀର୍ଥସ୍ଥାନେ ଯାଉଛୁ ଜ୍ଞାନୀ
ଜଙ୍ଗମେଖୋଜୁଛୁ ମନେ ଜପ୍ୟପ୍ରଧାନୀ ।।୦।।
ଜପ ଜନକ ଜନନୀ,
ଜାତ କରିଲେ ଅବନୀ ।
ଜଠରେ ରଖି ଯତନେ,
ଯାତନା ଘେନି ।।୧।।
ଜଗୁଆଳହୋଇ ତୋର,
ଜଗିଲେ ସଦା ଶରୀର ।
ଜାଣି ଅଶନ ବସନେ,
ଜବସାଧନୀ ।।୨।।
ଜ୍ୱରାଦି ବିବିଧ ରୋଗ-,
ଜ୍ଵାଳା ଜ୍ଵଳନେ ଉଦବେଗ ।
ଜାଗ୍ରତ ଯାମିନୀଦିନେ,
ଜଳ୍ପି ନିଦାନୀ ।।୩।।
ଜୁଆନ କାଳେ ଯବାନୀ,
ଜବାଧରା ଜାୟା ଘେନି ।
ଜଳ୍ଲାଦ ହେଲୁ ଜୀବନେ,
ଜାଗ୍ରତହାନୀ ।।୪।।
ଜରାକାଳେ ପ୍ରତିଦାନ,
ଜୁଲମ କଲୁ ଭୂଲିଣ ।
ଜାଳ ନାହିଁ ତାଙ୍କ ମନେ,
ଜୀବନଦାନୀ ।।୫।।
ଜଘନ୍ୟ ଶରତ କହି,
ଜଗଦେବାଦେବୀ ସେହି ।
ଜନ୍ତୁରାଣ ଦଣ୍ଡହୀନେ,
ଯଜନେଧ୍ୟାନୀ ।।୬।।
"ଟିପ୍ପଣୀ"
"୦"ଘୋଷାପଦ=(ଜଗତୀରେ=ସମଗ୍ର ପୃଥିବୀରେ ।। ଜଙ୍ଗମେ=ଚରାଚରେ ।। ଜପ୍ୟପ୍ରଧାନୀ=ଯାହାକୁ ଜପ କରାଯାଏ ସେହି ବ୍ୟକ୍ତି)
ହେ ଜ୍ଞାନୀ! ସମଗ୍ର ପୃଥିବୀରେ ତୀର୍ଥ ସ୍ଥାନମାନକୁ ଯାଉଛୁ । ସେଠାରେ ଚରାଚର ମଧ୍ୟରେ କାହାକୁ ଜପିବୁ ସେହିବ୍ୟକ୍ତିଙ୍କୁ ଖୋଜିବୁଲୁଛୁ ।।୦ ।
୧ମପଦ= (ଜଠରେ=ଗର୍ଭାଶୟରେ ।। ଅବନୀ=ଭୂମି, ପୃଥିବୀ ) ଜନକଜନନୀଙ୍କୁ ଜପକର। ସେ ଯତ୍ନଭାବରେ ଗର୍ଭାଶୟରେ ରଖି ଯାତନା ଭୋଗି ଅର୍ଥାତ୍ ଗର୍ଭକଷ୍ଟପାଇ ଭୂମିରେ ଜନ୍ମଦେଲେ ବା ପୃଥିବୀକୁ ଆଣିଲେ ।।୧।।
୨ୟପଦ= (।। ଅଶନ=ଖାଦ୍ୟ ।। ବସନ=ବସ୍ତ୍ର।। ଜବସାଧନୀ= ଶୀଘ୍ରସାଧନଦକ୍ଷ ।।) ଜଗୁଆଳହୋଇ ତୋହର ଶରୀରକୁ ସର୍ବଦା ରକ୍ଷାକଲେ । ତୋ ମନ ଜାଣି ମନମୁତାବକ ଖାଦ୍ୟବସ୍ତ୍ର ପ୍ରତ୍ୟେକ ଶୀଘ୍ର ଯୋଗାଇଦେବାରେ ସେ ସାଧନଦକ୍ଷ ।।୨।।
୩ୟପଦ= (ଜାଗ୍ରତ=ଅନିଦ୍ରା ରହିବା ।।ଯାମିନୀ=ରାତ୍ରି ।। ଜଳ୍ପି=ବିଚଳିତେ ବକ୍ୟାଳାପ ।।ନିଦାନୀ=ନିରାକରଣର ମୂଳକାରଣ ବାହାର କରି ।।) ଜ୍ୱରାଦି ବିଭିନ୍ନରୋଗଜ୍ଜ୍ୱାଳାଜ୍ଜ୍ଜଳନରେ ବ୍ୟଥିତ ହେଲେ ସେ ରାତିଦିନ ନିଦ୍ରାନଯାଇ ଜାଗ୍ରତହୋଇ ରୋଗନିଦାନ କାରଣକୁ ବାଚାଳ ଭଳି କହି ଚାଲିଥିବେ ।।୩।।
୪ର୍ଥପଦ= (ଜୁଆନକାଳେ=ଯୁବକସମୟରେ ।। ଯବାନୀ=ଯୁବତୀ ।। ଜବାଧରୀ=ଜବାଫୁଲଭଳିଲାଲଅଧରୀ ।। ଜାୟା=ପତ୍ନୀ ।। ଜଳ୍ଲାଦ=ଚଣ୍ଡାଳ, ନିକୃଷ୍ଟକର୍ମରତ ।।ଜାଗ୍ରତହାନୀ=ସାବଧାନତା ବିହୀନ ।।) ଯୁବକ ସମୟରେ ଜବାଧରା ଯୁବତୀ ପତ୍ନୀପାଇ, ସାବଧାନତାରୁ ଦୂରେଇ ଚଣ୍ଡାଳ ଭଳି ଜୀବନ ବିତାଇଲୁ ବା ନିକୃଷ୍ଟ କାର୍ଯ୍ୟରେ ରତ ହେଲୁ।।୪।।
୫ମପଦ= (ଜରାକାଳେ=ବୃଦ୍ଧକାଳେ ।।ପ୍ରତିଦାନ=ପୂର୍ବପ୍ରାପ୍ତଦାନକୁ ଶୁଝିବା ।।ଜୁଲମ=ଅତ୍ୟାଚାର ।। ଜାଳ=ଛଳ।।) ବୃଦ୍ଧକାଳରେ ପୂର୍ବପ୍ରାପ୍ତସେବାର ପ୍ରତିଦାନ ଭୂଲି ନାନା ଅତ୍ୟାଚାର କଲୁ। ସେହି ଜୀବନଦାନୀ ପିତାମାତା ତୋ କଥା ଧରିବାକୁ ତାଙ୍କ ମନରେ ସେ ଟିକିଏ ହେଲେ ଛଳ କରନ୍ତି ନାହିଁ।।୫।।
୬ଷ୍ଠପଦ= (ଜଘନ୍ୟ=ଅଧମ ।। ଜଗଦେବାଦେବୀ=ଜଗତର ଦେବାଦେବୀ ଯେ କି ପିତାମାତା ।।ଯଜନେ=ପୂଜାକରିବାରେ ।।) ଅଧମ ଶରତ କହୁଛି! ସେ ପିତାମାତା ଜଗତରେ ଦେବାଦେବୀ ଅଟନ୍ତି। ଜନ୍ତୁରାଣ ଦଣ୍ଡକୁ ହୀନ କରିବା ପାଇଁ ବା ଯମ ଦଣ୍ଡରୁ ମୁକ୍ତିପାଇବା ପାଇଁ ପୂଜା କରିବାରେ ଧ୍ୟାନସ୍ଥ ହୁଅ।।୬।।