ସଂପ୍ରତି ପ୍ରତିଷ୍ଠିତ ପାଲା ଗାୟକ ମାଳିକା
ରଚନା- ଲକ୍ଷ୍ମୀଧର ପଣ୍ଡାଶର୍ମା
ଚାରୁଚନ୍ଦ୍ର ବଦନା,
ପ୍ରଫୁଲ୍ଲ ଚିତ୍ତରେ ଆସ ଆସ ରେ
ଅରୁଣାଧରୀ ତୁ କରୁଣା ପ୍ରକାଶ
ମଦନଦଶାକୁ ନାଶ ନାଶ ରେ ।୦।
ଶରତ ଗଗନ ପୂର୍ଣ୍ଣ କଳାକର
ମୁଖ ଅଭିମାନୁ ଦିଶେ ଅସୁନ୍ଦର
ପ୍ରଭାତ ଶିଶିର ସ୍ନାତ କମଳର
ଶୋଭାକୁ ଧରିଛି ବେନିଦୃଶରେ ।୧।
ବିଜୟ କେତନ ଉଡିବରେ ଧନ
ବନଜାକ୍ଷୀ ତୁଗୋ ପାଳ ମୋ ବଚନ
ପ୍ରଶାନ୍ତ ପ୍ରମୋଦ ସୁଶାନ୍ତ ଲପନ
ଅକ୍ଷୟ ହୋଇବ ଯଶ ବିଶ୍ବରେ ।୨।
ମାୟାଅପସାରି ଦୟାକର ବାରେ
ଜ୍ଞାନହୀନ ଉଗ୍ର ମନୋଜ ପ୍ରଭାରେ
କେଳିଯୁଦ୍ଧେ ସ୍ଥିର ମରମେ ସତ୍ବର
ପ୍ରସନ୍ନେ ବିହରି ରଖ ଦାସରେ ।୩।
ବସନ୍ତ କୋକିଳ ମଧୁର ଭାଷିଣୀ
ଦୋଷମନ୍ତ ହେବେ ବେଣୁବୀଣା ଧ୍ବନି
ଧରଣୀଭୂଷାରେ ବଂଶୀଶୀକ ସ୍ବରେ
କୃପାରେ ଉଲ୍ଲାସେ ଭାଷଭାଷରେ ।୪।
କଇଳାସ ମେରୁ ଦ୍ବନ୍ଦ୍ବ ପୟୋଧରା
ସୁନୀଳ ନୟନା ଶ୍ୟାମଳ ଚିକୁରା
ତ୍ରିଲୋଚନ ପଞ୍ଚାନନ ଦମ୍ଭହରା
ପ୍ରଦ୍ୟୁମ୍ନ ପ୍ରତାପ ଦିଏ ପ୍ରାସରେ ।୫।
ପ୍ରଲମ୍ବକୁନ୍ତଳ ଘନ କୃଷ୍ଣ ଜିଣି
ଖୋସି କରବୀର ବାନ୍ଧିଦେବି ବେଣୀ
ସୁରେଶ କୋଳରେ ଶଚି ଶୋଭାଠାଣି
ନିଶୀ ଶଶୀ ଶୋଭାପରକାଶରେ ।୬।
ନୀରଜନୟନା ଗଜରାଜ ଗତି
ରସିକ ବୃନ୍ଦରେ ଟେକାଇବି ଛତି
ନରେନ୍ଦ୍ର ପଦବୀ ତୁଛ କରିଦେବି
ଲକ୍ଷ୍ମୀଧର ଭାଷା କଷ କଷରେ ।୭।