ଏକ ସଂଖ୍ୟାଠାରୁ ଦଶ ସଂଖ୍ୟା ପର୍ଯ୍ୟନ୍ତ
କ୍ରମରେ ଦେବୀଙ୍କ ବନ୍ଦନା
କବି: ଗାୟକ ବିଦ୍ୟାଭୂଷଣ ସଂସ୍କୃତ ଶିକ୍ଷକ
ଶ୍ରୀଯୁକ୍ତ ରମାକାନ୍ତ ମିଶ୍ରଶର୍ମ୍ମା
ଜଟଣୀ, ଖୋର୍ଦ୍ଧା
ଏକ ରୁପିଣୀ ମା' ଉମା,
ଦୁଇ କୁମର ଜନନୀ ।
ତିନି ନେତ୍ର ବାମା ମାତ
ଚାରି ମହିମା ବଖାଣି ।।୦।।
ପାଞ୍ଚମୁଖ ବାହିନୀ ମା'
ଷଡମୁଖ ପ୍ରସବିନୀ ।
ସାତଦ୍ଵୀପରେ ବିଖ୍ୟାତ
ତୋର କୀରତି କାହାଣୀ ।।୧।।
ଆଠଭୂଜା ପାଉ ପୂଜା,
ନବରିଷ୍ଟ ବିନାଶିନୀ ।
ଦଶରେ ବଢ଼ାଅ ଯଶ
ରମାକାନ୍ତର ମାଗୁଣି ।।୨।।
କେତେକ ଶବ୍ଦର ଅର୍ଥ:
ଏକରୂପିଣୀ- ବ୍ରହ୍ମ ସ୍ଵରୂପିଣୀ । ଦୁଇ କୁମର- ଗଣେଶ ଓ କାର୍ତ୍ତିକ । ତିନିନେତ୍ରବାମା- ଶିବଙ୍କ ପତ୍ନୀ । ଚାରି- ବେଦ । ପାଞ୍ଚମୁଖ- ସିଂହ । ଷଡମୁଖ-କାର୍ତ୍ତିକ। ସାତଦ୍ଵୀପ- ସମଗ୍ର ପୃଥିବୀ । ନବରିଷ୍ଟ- ଗ୍ରହରିଷ୍ଟ । ଦଶ- ଦିଗ ।
ମା' ଚଣ୍ଡୀ ବନ୍ଦନା
("ଣ୍ଡ"ଅକ୍ଷର ବାରମ୍ବାର ବ୍ୟବହୃତ)
ଖଣ୍ଡେନ୍ଦୁ ମୌଳି ମଣ୍ଡିତା
ଜୟ ମାଗୋ ହରଚଣ୍ଡୀ ।
ଡିଣ୍ଡିମ ବାଜୁଛି ନାମେ
ଦେବାରୁ ବିପଦ ଖଣ୍ଡି ।।୦।।
ଖଣ୍ଡା ଖର୍ପର ଧାରିଣୀ
ଚାମଣ୍ଡା କୁଳ ଚାରିଣୀ।
ଚଣ୍ଡ ମୁଣ୍ଡ ବିଦାରିଣୀ
କେତେଦିନ ହେବି ଦଣ୍ଡି ।।୧।।
ଗଣ୍ଡେ କୁଣ୍ଡଳର ଭାସ
ମୁଣ୍ଡେ ମଣ୍ଡି ବକ୍ଷଦେଶ ।
ଦୁର୍ଦ୍ଦଣ୍ଡେ ଦଣ୍ଡେ ପ୍ରଚଣ୍ଡ-
ରୂପାଦଣ୍ଡୁ ଦୋଷ ଉଣ୍ଡି ।।୨।।
ପଣ୍ଡିତ ପୂର୍ବ ବାସରେ
ମଣ୍ଡିତ ନଗ୍ନ ବେଶରେ ।
ଖଣ୍ଡି ତରବାରୀ ଧାରେ
ପିଉ ରକ୍ତ ହାଣ୍ଡି ହାଣ୍ଡି ।।୩।।
ଅଖଣ୍ଡ ମହିମା ତୋର
ଆଖଣ୍ଡଳେ ଅଗୋଚର ।
ତୁଣ୍ଡେ କହିବ କେ ନର
ରମାକାନ୍ତ ହୁଏ ଭଣ୍ଡି ।।୪।।