ପାଦେ ବନା ପାଦେ ଅବନା ନିୟମରେ
କବି: ଗାୟକ ବିଦ୍ୟାଭୂଷଣ ରମାକାନ୍ତ ମିଶ୍ରଶର୍ମ୍ମା
ଜଟଣୀ, ଖୋର୍ଧା
ବୀଣାଜିଣା ଭାଷା ଶୁଣା,
ହର ପର ଦର ହର ।
ବିଧୁହାସିନୀ କେ ନାରୀ
ତବ ସମ ଜଗତର ।।୦।।
କୃପା ଚାହାଁଣିରେ ଚାହାଁ,
ଅଳପ କଳପ କର ।
ବାରିଜାକ୍ଷୀ ସୁନାଗୋରୀ
ଦର ହସ ଦଶନର ।।୧।।
କେକୀ କେଶିନୀଦେଖି ତୋ,
ଉରଜ ଦ୍ବୟ ଶଙ୍କର ।
ଭାବୁଛି ପୂଜିବି କିରେ
ଏ ମମ କମଳ କର ।।୨।।
ସୁନାସି ରେ ! ସୁନାସୀରେ,
ଜୟ ଅରଜନ କର ।
କୀର୍ତ୍ତି ତୋ ପ୍ରୀତିରେ ମୋତେ
ଅର୍ପଣ କର ଏଥର ।୩।
କାମିନୀରେ ହେଲି ଘାରି,
ଦଶ କଷଣ ସ୍ମରର ।
ଗୀତେ ଭାଷେ ରମାକାନ୍ତ
ନକର ଏ ହରବର ।।୪।।
ହରପର=କନ୍ଦର୍ପ ।।ଦର=ଭୟ ।।
ହର=ଦୂରକର ।। ବିଧୁହାସିନୀ=
(ଚନ୍ଦ୍ର,କର୍ପୂର)ଚନ୍ଦ୍ରହାସିନୀ,କର୍ପୂର-
ହାସିନୀ ।।କଳପ=କଳ୍ପନା,ଭାବନା।
।।ବାରିଜାକ୍ଷୀ=ପଦ୍ମନୟନା ।।
କେକୀକେଶିନୀ=ମୟୂର କେଶୀ ।
ସୁନାସି ରେ=ରେ ସୁନାସି(ଉତ୍ତମ ନାକ ଯେଉଁ ନାରୀର, ସମ୍ବୋଧନେ)
ସୁନାସୀରେ=ଇନ୍ଦ୍ରଙ୍କୁ (ଓଡ଼ିଆରେ କୁ ସ୍ଥାନରେ ସପ୍ତମୀ ଭଳି ବ୍ୟବହାର କରାଯାଏ ) ସ୍ମରର=କନ୍ଦର୍ପର ।
(ତୃତୀୟ ପଦର ଅର୍ଥ: ରେ ସୁନାସି ଇନ୍ଦ୍ରଙ୍କୁ ଜୟ କରିବାରେ ଯେଉଁ କୀର୍ତ୍ତି ହୁଏ। ଏଥର ତୋ ପ୍ରୀତିରେ ମୋତେ (ସେ କୀର୍ତ୍ତି) ଅର୍ପଣ କର ।