କବି: ଗାୟକ ବିଦ୍ୟାଭୂଷଣ ରମାକାନ୍ତ ମିଶ୍ରଶର୍ମା
ଆରେ ମାନସ,
ଭଜଥରେ ବୀଣାପାଣିରେ ।
ବୈକୁଣ୍ଠବାସିନୀ ବିଭୁବିଳାସିନୀ
କଳା ସାହିତ୍ୟର ଖଣିରେ ।।୦।।
ଯା ପଦସାରସ ଭଜି କାଳିଦାସ
ଧରି ଅମର ଲେଖନୀ ରେ
କୁମାର ସମ୍ଭବ ରଘୁବଂଶ କାବ୍ୟ
ମେଘଦୂତ ଆଦି ଭଣିରେ ।।୧।।
ବାଣଭଟ୍ଟ ବାଣ ଭଟ୍ଟଙ୍କ ପରାଣ-
ପରା କବିକୃତି ହାଣି ରେ
ଭାରବି ଭାରବି- ସମ ବିକାଶିଲେ
ମାଘ ହେଲେ ତିନି ଗୁଣିରେ ।।୨।।
ବିଶ୍ଵନାଥ ବିଶ୍ଵ- ନାଥ ବୋଲାଇଲେ
ରଚି ଅଳଙ୍କାର ମଣି ରେ ।
ଶ୍ରୀହର୍ଷ ଶ୍ରୀହର୍ଷ- ହେଲା ସଂସାରରେ
ନଳ ଦମୟନ୍ତୀ ବାଣୀରେ ।।୩।।
ଭଞ୍ଜ ଭଞ୍ଜନ କ- ରିଲେ କବିଗର୍ବ
ସ୍ୱପ୍ନାଦେଶ ଲଭିପୁଣି ।
ସାମନ୍ତସିଂହାର- ସିଂହରସବନ୍ତ
ବିଦଗଧ ଚିନ୍ତାମଣିରେ ।।୪।।
ଦୀନକୃଷ୍ଣ ଦିନ- କୃଷ୍ଣ କଥାରସେ
ବ୍ୟତୀତ ହୋଇଲା ପୁଣି ରେ ।
ରମାକାନ୍ତର ମା'- କାନ୍ତ ପଦକଞ୍ଜେ
ରହିଲା ସଦା ମାଗୁଣି ରେ ।।୫।।
ବାଣଭଟ୍ଟ ବାଣ ଭଟ୍ଟଙ୍କ ପରାଣ ପରା=
କବିକୃତି ହାଣି= ବାଣଭଟ୍ଟ, ବାଣ (ଶର) ଭଟ୍ଟଙ୍କ (ଯୋଦ୍ଧାଙ୍କ) ପ୍ରାଣ ଭେଦିଲା ପରି ଅନ୍ୟକବିଙ୍କ ସାହିତ୍ୟକୃତିକୁ ହାଣି ପକାଇଲେ। ।
ଭାରବି ଭାରବି ସମ ବିକାଶିଲେ= ଭାରବି, (ଭା=ତେଜ ବା ପ୍ରତିଭା) ତାଙ୍କ ସାହିତ୍ୟ ପ୍ରତିଭାରୂପକୁ ସୂର୍ଯ୍ୟ ସମ ବିକାଶିଲେ ।
ବିଶ୍ଵନାଥ ବିଶ୍ଵନାଥ ବୋଲାଇଲେ=
କବିରାଜ ବିଶ୍ଵନାଥ ମହାପାତ୍ର ସାହିତ୍ୟ ବିଶ୍ଵର ନାଥ ବୋଲାଇଲେ ।
ଶ୍ରୀହର୍ଷ ଶ୍ରୀହର୍ଷ ହେଲା ସଂସାରରେ=
କବି ଶ୍ରୀହର୍ଷଙ୍କର ଶ୍ରୀ ଅର୍ଥାତ୍ ଶୋଭାରେ ସାହିତ୍ୟ ସଂସାରରେ ହର୍ଷ ହର୍ଷ ହେଲା ଅର୍ଥାତ୍ ହସି ଉଠିଲା ବା ପ୍ରକାଶିଲା ।
ସାମନ୍ତସିଂହାର ସିଂହରସବନ୍ତ=
ସାମନ୍ତସିଂହାର ସାହିତ୍ୟ ବନର ସିଂହ ରସବନ୍ତ କାବ୍ୟ ବିଦଗ୍ଧଚିନ୍ତାମଣି ଦ୍ଵାରାହେଲେ ।
ଦୀନକୃଷ୍ଣ ଦିନ କୃଷ୍ଣ କଥାରସେ ବ୍ୟତୀତ ହୋଇଲା=ଦୀନକୃଷ୍ଣଙ୍କର, କୃଷ୍ଣ କଥାରସେ (ରସକଲ୍ଲୋଳରେ) ଦିନ ବ୍ୟତୀତ ହେଲା ।