ପଣ୍ଡିତ ନିତ୍ୟାନନ୍ଦ ବାରିକ
ପାଲା ଜଗତର ଅମ୍ଲାନ ପ୍ରତିଭା ପଣ୍ଡିତ ନିତ୍ୟାନନ୍ଦ ବାରିକ । ସଂସ୍କୃତ ସାହିତ୍ୟରେ ଅଗାଧ ପାଣ୍ଡିତ୍ୟ ଅର୍ଜନ କରିଥିବା ଶ୍ରୀଯୁକ୍ତ ବାରିକ ପାଲା ଜଗତରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ୧୯୫୪ ମସିହା ସେପ୍ଟେମ୍ବର ୧୦ ତାରିଖରେ ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ଅନ୍ତର୍ଗତ ସୁନାରୀ ଗ୍ରାମରେ ଏକ ଗୋପାଳ ପରିବାରରେ ନିତ୍ୟାନନ୍ଦ ଜନ୍ମଗ୍ରହଣ କରିଥିଲେ । ବାପା କାହ୍ନୁଚରଣ ବାରିକ ଏବଂ ମାଆ ଜାଡି ବାରିକ । ପିଲାଦିନ ଆର୍ଥିକ ଅନଟନ ଭିତରେ କଟିଥିଲା । ପରିସ୍ଥିତି ଏତେ ଅସୁବିଧାଜନକ ଥିଲା ଯେ ସେ ସ୍କୁଲ ଫି ୮ ଅଣା ଦେବାକୁ ଅକ୍ଷମ ଥିଲେ । ସପ୍ତମ ଶ୍ରେଣୀ ପାସ କରିବା ପରେ ସେ ଟିଉସନ କରିବା ଆରମ୍ଭ କରିଥିଲେ, ଆଉ ସେହି ପଇସାରେ ସେ ହାଇସ୍କୁଲ ପଢିଲେ ।
ଓଡିଶାର ଜଣେ ପ୍ରତିଷ୍ଠିତ ବାୟକ ବିଭୂତି ଭୂଷଣ ପାଢୀଙ୍କ ଘରେ ପିଲାମାନଙ୍କୁ ନିତ୍ୟାନନ୍ଦ ଟିଉସନ କରୁଥିଲେ । ନିତ୍ୟାନନ୍ଦଙ୍କୁ ଥରେ ବିଭୂତି ଭୂଷଣ ନେଇଗଲେ ସଂସ୍କୃତ ବିଦ୍ୱାନ କାହ୍ନୁଚରଣ ପତ୍ରୀଙ୍କ ସଂସ୍କୃତ ଟୋଲ୍କୁ । ସେହି ଟୋଲ୍ରେ ନିତ୍ୟାନନ୍ଦ ପ୍ରଥମା ଆଡମିଶନ କଲେ । ସେ ସମୟରେ ରାଜ୍ୟରେ ଜଣେ ବିଖ୍ୟାତ ପାଲା ଗାୟକ ଥିଲେ କାହ୍ନୁଚରଣ ପତ୍ରୀ । ରାଜ୍ୟର କୋଣ ଅନୁକୋଣକୁ ସେ ପାଲା ଗାଇବାକୁ ଯାଉଥିଲେ, ଫେରିବା ପରେ ପିଲାମାନଙ୍କୁ ଅନୁଭୂତି କହୁଥିଲେ । କାହ୍ନୁ ଚରଣଙ୍କଠାରୁ ପାଲା ଅନୁଭୂତି ଶୁଣିବା ପରେ ସେଦିଗ ପ୍ରତି ନିତ୍ୟାନନ୍ଦ ଆଗ୍ରହୀ ହେଲେ । ସେଠାରେ ପଢିବା ସମୟରେ କାହ୍ନୁଚରଣ ପାଲା କରିବା ପାଇଁ ନିତ୍ୟାନନ୍ଦଙ୍କୁ ପରାମର୍ଶ ଦେଇଥିଲେ । ତେବେ ଆଚାର୍ଯ୍ୟ ପାସ୍ କରିବା ପରେ ସେ ପାଲା ଗାଇବେ ବୋଲି ଗୁରୁଙ୍କୁ ପ୍ରତିଶୃତି ଦେଇଥିଲେ ନିତ୍ୟାନନ୍ଦ । ଏଠାରେ ପ୍ରଥମା ଶେଷ ପରେ ସେ କେଦାରପୁର ଟୋଲକୁ ମଧ୍ୟମା ପଢିବା ପାଇଁ ଗଲେ । ଜଣେ କୃତି ଛାତ୍ର ଥିବାରୁ ନିତ୍ୟାନନ୍ଦଙ୍କୁ ସେତେବେଳେ ବୃତ୍ତି ମିଳୁଥିଲା, ଯାହା ତାଙ୍କ ପଢିବାରେ ବେଶ୍ ସହାୟକ ହେଉଥିଲା ।
ପ୍ରଥମ ଶ୍ରେଣୀରେ ପ୍ରଥମ ହୋଇ ନିତ୍ୟାନନ୍ଦ ପ୍ରଥମା ପାସ୍ କରିବା ପରେ ୧୯୭୪ ମସିହାରେ ନିଜ ଗ୍ରାମ ନିକଟସ୍ଥ ସାବିରା ହାଇସ୍କୁଲରେ ସଂସ୍କୃତ ଶିକ୍ଷକ ଭାବେ ଯୋଗଦେଲେ । ଶିକ୍ଷକତା ସହ ଘରୋଇ ଭାବେ ୧୯୭୮ରେ ସେ ଆଚାର୍ଯ୍ୟ ପାସ୍ କଲେ । ସେହିବର୍ଷ ଗୁରୁ କାହ୍ନୁଚରଣ ପତ୍ରୀଙ୍କର ଦେହାନ୍ତ ହେଲା । ସେ ବର୍ଷ ନିକଟସ୍ଥ ଚପରାପଦାରେ ମକର ଉପଲ୍ଲକ୍ଷେ ବାଦୀପାଲାର ଆୟୋଜନ ହୋଇଥିଲା । ଯାଜପୁରର ବରିଷ୍ଠ ଗାୟକ କପିଳ ନାଥ ଏବଂ ବାଲେଶ୍ୱରର ଗାୟକ ଲମ୍ବୋଦର ପଣ୍ଡାଙ୍କ ମଧ୍ୟ ଚାଲିଥିବା ବାଦୀପାଲା ଦେଖିବାକୁ ନିତ୍ୟାନନ୍ଦ ଯାଇଥିଲେ । ପାଲା ମଧ୍ୟରେ କପିଳନାଥ କହିଦେଲେ, ତୁମ ବାଲେଶ୍ୱରରେ କେବଳ ଜଣେ ଗାୟକ ଥିଲେ କାହ୍ନୁ ପତ୍ରୀ, ଆଉ ତୁମେ ଯେତେ ରହିଲ ସବୁ ପତିରି । ଏହି କଥା ନିତ୍ୟାନନ୍ଦଙ୍କୁ ବହୁତ ବାଧିଥିଲା । ରାସ୍ତାରେ ଫେରିବା ବେଳେ ବିଭୂତି ଭୂଷଣଙ୍କ ଘର ଦେଇଆସିଥିଲେ, ଆଉ ତାଙ୍କୁ ସବୁକଥା କହିଲେ । ଏପରି କି ଯଦି ସେ ବାୟକ ହେବାପାଇଁ ରାଜିହେବେ, ତେବେ ଯାଇ ତାଙ୍କ ଘରେ ଜଳସ୍ପର୍ଷ କରିବେ ବୋଲି କହିଲେ । ଶେଷରେ ବିଭୂତି ଭୂଷଣ ରାଜି ହେବା ପରେ ତାଙ୍କରି ଘରେ ପରଦିନଠାରୁ ଆରମ୍ଭ ହେଲା ଆଖଡା ।
ପ୍ରାୟ ୬ ମାସ ଆଖଡା ଚାଲିଲା, କିନ୍ତୁ ସମସ୍ତଙ୍କର ଗାଇବା ହୋଇଯାଉଥିବା ବେଳେ ନିତ୍ୟାନନ୍ଦଙ୍କର ମୋଟେ ହେଉନଥିଲା । ଶେଷରେ ଗୁରୁ କାହ୍ନୁଚରଣ ପତ୍ରୀଙ୍କୁ ସ୍ମରଣ କଲେ, ସେ ସହାୟ ନହେଲେ ପାଲା ଆଶା ମନରୁ ପୋଛିଦେବେ ବୋଲି ଅଭିମାନରେ ଜଣାଇଲେ । ସେଦିନ ରାତିରେ ଗୁରୁ ସ୍ୱପ୍ନରେ କହିଲେ କାଲିଠାରୁ ତୋର ପାଲା ଜୀବନ ଆରମ୍ଭ ହେବ । ସତକୁ ସତ ତା ପରଦିନଠାରୁ ଗାଇବା ଠିକ୍ ହୋଇଗଲା, ଆଉ ଜଣେ ବ୍ୟକ୍ତି ଆସି ପହଞ୍ଚିଗଲେ ପାଲା ବଇନା ଦେବା ପାଇଁ । ଆଶ୍ଚର୍ଯ୍ୟ ଜନକ ଭାବେ ସବୁକିଛି ଘଟିଗଲା, ଭଗବାନ ଏବଂ ଗୁରୁଙ୍କୁ ମୁଣ୍ଡିଆମାରି ଆଗେଇ ଚାଲିଲେ ନିତ୍ୟାନନ୍ଦ ।
ଜଣେ ବିଦ୍ୱାନ ପାଲା ଗାୟକ ଏବଂ ଆଦର୍ଶ ଶିକ୍ଷକ ଭାବେ ପରିଚିତ ନିତ୍ୟାନନ୍ଦ ବାରିକ । ସେ ଏଭଳି ଜଣେ ବ୍ୟକ୍ତିତ୍ୱର ଅଧିକାରୀ ଯାହାଙ୍କର ପାଲା ନିଶା ଆଉ ପେଷା ବୋଲି କୁହାଯାଉଥିବା ଶିକ୍ଷକତା ମଧ୍ୟ ତାଙ୍କର ନିଶା । ୨୦୧୨ ମସିହାରେ ଶିକ୍ଷକତାରୁ ଅବସର ନେଲେଣି ହେଲେ ପାଠପଢାଇବା ସେ ଛାଡି ନାହାଁନ୍ତି । ଆଜି ମଧ୍ୟ ହାଇସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ବିନା ମୂଲ୍ୟରେ ଟିଉସନ କରୁଛନ୍ତି । ସେ କହନ୍ତି ଏହି ଛାତ୍ରଛାତ୍ରୀ ହେଉଛନ୍ତି ତାଙ୍କର ପିଲା । ସେମାନଙ୍କୁ ସେ ନିଜ ପିଲାଙ୍କ ଭଳି ସ୍ନେହ ଆଦର କରନ୍ତି । ନିଜର ତିନିପୁଅ ଓ ଗୋଟିଏ ଝିଅ । ସମସ୍ତେ ଉଚ୍ଚ ଶିକ୍ଷିତ ଓ ନିଜନିଜ କ୍ଷେତ୍ରରେ ପ୍ରତିଷ୍ଠିତ । ପିଲାମାନେ ରାଜ୍ୟ ବାହାରେ ରହୁଥିବା ବେଳେ ଘରେ ପତିପତ୍ନୀ ରହୁଛନ୍ତି । ଛୁଟିଦିନରେ ବି ଘରେ ଛାତ୍ରଛାତ୍ରୀଙ୍କର ଭିଡଲାଗୁଛି, ସେମାନଙ୍କ ସହ ଏକ ଗୁରୁକୁଳ ପରିବେଶରେ ଦିନ କାଟୁଛନ୍ତି ପଣ୍ଡିତ ନିତ୍ୟାନନ୍ଦ ବାରିକ ।