ଗାୟକ ସାମନ୍ତ ପ୍ରଫୁଲ୍ଲ କୁମାର ଷଡଙ୍ଗୀ
ଆଜିର ଦିନରେ ପୂରାତନ ପାଲାର ଗରିମାକୁ ଯେଉଁ କେତେଜଣ ଗାୟକ ଧରି ରଖିଛନ୍ତି ସେମାନଙ୍କ ମଧ୍ୟରେ ଅନ୍ୟତମ ଗାୟକ ସାମନ୍ତ ପ୍ରଫୁଲ୍ଲ କୁମାର ଷଡଙ୍ଗୀ । ୧୯୪୪ ମସିହା ଅକ୍ଟୋବର ୩୦ ତାରିଖରେ ନୟାଗଡ ଜିଲ୍ଲା ଖଣ୍ଡପଡା ନୂଆଗାଁରେ ଏକ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ ପ୍ରଫୁଲ୍ଲ ଷଡଙ୍ଗୀ । ବାପା ଚକ୍ରଧର ଷଡଙ୍ଗୀ ଓ ମାଆ ରାଧାମଣୀ । ପିଲାଟି ଦିନରୁ ପ୍ରଫୁଲ୍ଲଙ୍କର ପାଲା ପ୍ରତି ରହିଥିଲା ଅହେତୁକ ଆଗ୍ରହ । ଭବିଷ୍ୟତରେ ଜଣେ ପାଲା ଗାୟକ ହେବା ପାଇଁ ସେ ପିଲାଦିନରୁ ଉଦ୍ୟମ ଚଳାଇଥିଲେ ।
ପ୍ରଫୁଲ୍ଲଙ୍କୁ ଯେତେବେଳେ ୨୦ ବର୍ଷ ବୟସ ହୋଇଥିଲା, ସେଇ ସମୟରେ ତାଙ୍କ ଗାଁକୁ ପାଲା ଗାଇବାକୁ ଆସିଥିଲେ ସେ ସମୟର ପ୍ରଚଣ୍ଡ ପ୍ରତିଭାଧର ଗାୟକ କେଶରୀ ଉଦୟନାଥ ରଥଶର୍ମା । ଉଦୟନାଥଙ୍କୁ ଗୁରୁ କରିବା ଲାଗି ପୂର୍ବରୁ ପ୍ରଫୁଲ୍ଲ ମନେମନେ ସ୍ଥିର କରିସାରିଥିଲେ, ତେଣୁ ଯେତେବେଲେ ଗୁରୁ ଗାଁକୁ ଆସିଲେ ତାଙ୍କର ଉତ୍ସାହ ଆହୁରି ବଢିଗଲା । ଏହି ସମୟ ବେଳକୁ ପ୍ରଫୁଲ୍ଲଙ୍କ ବାପାଙ୍କର ପରଲୋକ ହୋଇସାରିଥିଲା । ପରିବାରର ଦାୟିତ୍ୱ ରହିଥିଲା ମାଆ ରାଧାମଣୀଙ୍କ ଉପରେ । ରାଧାମଣୀ ମଧ୍ୟ ଜଣେ ପାଲାପ୍ରେମୀ ଥିଲେ, ସେ ମଧ୍ୟ ଚାହୁଁଥିଲେ ପୁଅ ପାଲା ଗାୟକ ହେଉ । ମାଆଙ୍କ ସହ ଆଲୋଚନା ପରେ ପ୍ରଫୁଲ୍ଲ ନିଜ ଘରକୁ ଉଦୟନାଥଙ୍କୁ ଡାକିଲେ ଆଲୋଚନା ପାଇଁ । ଉଦୟନାଥ ଯେତେବେଳେ ପ୍ରଫୁଲ୍ଲଙ୍କ ଘରକୁ ଆସିଲେ ରାଧାମଣୀ ତାଙ୍କୁ ଡାକିନେଇଥିଲେ ଘରର ତୁଳସୀ ଗଛ ନିକଟକୁ ଆଉ କହିଥିଲେ, ଉଦୟନାଥ ମୋ ପୁଅକୁ ଆଜିଠାରୁ ତୁମ ହାତରେ ଟେକିଦେଲି । ଏହାପରେ ପ୍ରଫୁଲ୍ଲଙ୍କୁ ଉଦୟନାଥ ରଥଶର୍ମା ନିଜର ଶିଷ୍ୟ ତ କଲେ, ତା ସହ ନିଜପରିବାରର ଜଣେ ସଦସ୍ୟ ମନେ କରିଥିଲେ । ସେତେବେଳକୁ ଉଦୟନାଥଙ୍କର ତିନୋଟି ଝିଅ ହୋଇସାରିଥିଲେ, ପୁଅ ନଥିବାରୁ ସେ ପ୍ରଫୁଲ୍ଲଙ୍କୁ ପୁଅ ପରି ଦେଖୁଥିଲେ । ପରେ ଉଦୟନାଥଙ୍କର ପୁଅ ହୋଇଥିଲା ସତ, ହେଲେ ସେ ଅନ୍ତିମ ସମୟ ପର୍ଯ୍ୟନ୍ତ ପ୍ରଫୁଲ୍ଲଙ୍କୁ ବଡପୁଅ ପରି ସ୍ନେହ ମମତା ଅଜାଡି ଦେଉଥିଲେ ।
ଉଦୟନାଥ ରଥଶର୍ମାଙ୍କର ପ୍ରତ୍ୟକ୍ଷ ତତ୍ୱାବଧାନରେ ପ୍ରଫୁଲ୍ଲଙ୍କର ପାଲା ଶିକ୍ଷା ଆଗେଇ ଚାଲିଲା । ସଂସ୍କୃତ କାବ୍ୟ ନାଟକ ସହ ଛାନ୍ଦ, ଚଂପୂ, ଚତୁଷ୍ପଦୀ ଗାୟନରେ ବେଶ୍ ଦକ୍ଷତା ଅର୍ଜନ କରିଥିଲେ ପ୍ରଫୁଲ୍ଲ ଷଡଙ୍ଗୀ । ପାଲାରେ ଓଡିଆ ସାହିତ୍ୟର ସାବଲୀଳ ଆଲୋଚନା ସହ ଯୁଗୋପଯୋଗୀ ଯଥାଯୁକ୍ତ ଅଳଙ୍କାର ଦ୍ୱାରା ସାମାଜିକ, ଜନସଚେତନତା ଓ ଆଧ୍ୟାତ୍ମିକତାର ବିକାଶକୁ ଗୁରୁତ୍ୱ ଦେଉଥିଲେ ପ୍ରଫୁଲ୍ଲ । ବିଶେଷ କରି ସେ ଖଣ୍ଡପଡାର ଗର୍ବ ଗୌରବ ଗଦାଧର ସିଂହସାମନ୍ତଙ୍କ ରଚିତ ଢୁଂପା ସଙ୍ଗୀତକୁ ନିଜସ୍ୱ ଶୈଳୀରେ ପରିବେଷଣ କରି ଶ୍ରୋତୃମଣ୍ଡଳୀଙ୍କୁ ତନ୍ମୟ କରିଦେଉଥିଲେ । ଲୁପ୍ତପ୍ରାୟ ଢୁଂପା ସଙ୍ଗୀତକୁ ପୁଣି ଥରେ ଜନ ସମାଜରେ ପହଂଚାଇବାରେ ପ୍ରଫୁଲ୍ଲ ଷଡଙ୍ଗୀ ପ୍ରମୁଖ ଭୂମିକା ଗ୍ରହଣ କରଛନ୍ତି । ଖାସ୍ ଏଥିପାଇଁ ତାଙ୍କୁ ସାମନ୍ତ ଚନ୍ଦ୍ରଶେଖର ଦକ୍ଷିଣକାଳୀ ମଣ୍ଡଳ ଦ୍ୱାରା ଗାୟକ ସାମନ୍ତ ଉପାଧିରେ ଭୂଷିତ କରାଯାଇଛି । ଆଜି ମଧ୍ୟ ସେ ଯେଉଁ ସ୍ଥାନକୁ ପାଲା ଗାଇବାକୁ ଯାଆନ୍ତି ଦର୍ଶକଙ୍କର ପ୍ରଥମ ଦାବି ଉଠେ ଢୁଂପା ସଙ୍ଗୀତ ଗାଇବାକୁ ।
ଏବେ ୭୪ ବର୍ଷରେ ପାଦ ଥାପିଥିବା ପ୍ରଫୁଲ୍ଲ ଷଡଙ୍ଗୀଙ୍କର ଦୀର୍ଘ ୫୪ ବର୍ଷ ଅତିବାହିତ ହେଲାଣି ପାଲା ଗାୟନାଚାର୍ଯ୍ୟ ଭାବରେ । ଖୋଦ୍ ଗୁରୁଦେବ ଉଦୟନାଥ ରଥଶର୍ମାଙ୍କଠାରୁ ଆରମ୍ଭ କରି ଗାୟକ ସମ୍ରାଟ୍ ବିଶ୍ୱନାଥ ପଟ୍ଟଯୋଶୀ, ପରମାନନ୍ଦ ଶରଣ, ବୈଷ୍ଣବ ପ୍ରଧାନ, ଜଗନ୍ନାଥ ବେହେରା, ଅଭୟ ସ୍ୱାଇଁ, ପ୍ରହଲ୍ଲାଦ ସାହୁଙ୍କ ପର୍ଯ୍ୟନ୍ତ ପ୍ରାୟ ସମସ୍ତ ପ୍ରତିଷ୍ଠିତ ପାଲା ଗାୟକଙ୍କ ସହ ବାଦିପାଲାରେ ଅବତୀର୍ଣ୍ଣ ହୋଇଛନ୍ତି ପ୍ରଫୁଲ୍ଲ ଷଡଙ୍ଗୀ । ଏବେ ପ୍ରହଲ୍ଲାଦ ସାହୁ, ଲକ୍ଷ୍ମୀଧର ରାଉତ, ବଳଭଦ୍ର ପଣ୍ଡା, ଲକ୍ଷ୍ମୀଧର ଦାସ, ଦତକୃଷ୍ଣ ପଣ୍ଡାଙ୍କ ପରି ସମସ୍ତ ଆଗଧାଡିର ଗାୟକଙ୍କ ସହ ସେ ପାଲା ଗାୟନ ଜାରି ରଖିଛନ୍ତି । ଉଭୟ ପୁରାତନ ଏବଂ ଏବେର ଗାୟକଙ୍କ ମଧ୍ୟରେ ସେ ବେଶ୍ ସମନ୍ୱୟ ରକ୍ଷା କରିପାରିଛନ୍ତି । ଜଣେ ଅମାୟିକ ସ୍ନେହୀ ବ୍ୟକ୍ତିତ୍ୱର ଅଧିକାରୀ ହୋଇଥିବାରୁ ସାନ ବଡ ପ୍ରାୟ ସବୁ ଗାୟକଙ୍କର ସେ ଆପଣାର, ସମସ୍ତେ ତାଙ୍କୁ ସମ୍ମାନ ଦେଇଥାନ୍ତି ।
ପ୍ରଫୁଲ୍ଲ ଷଡଙ୍ଗୀଙ୍କର ୪ ପୁଅ ଓ ୨ ଝିଅ । ପାଲାକୁ ପ୍ରବେଶ ସମୟରେ ମାଆଙ୍କର ପ୍ରେରଣା ଓ ସହଯୋଗ ରହିଥିବା ବେଳେ ପରେ ପତ୍ନୀ ଏବଂ ପିଲାମାନଙ୍କର ସହଯୋଗ ତାଙ୍କୁ ଆଗକୁ ବଢିବାରେ ସହାୟକ ହୋଇଛି । ପୁଅ ପାଲା ଶିଖିବ ବୋଲି ମାଆ ଘରର କୌଣସି କାମ କରିବାକୁ ପ୍ରଫୁଲ୍ଲଙ୍କୁ ଦେଉନଥିଲେ । ପରେ ସେଇ ଦାୟିତ୍ୱ ମୁଣ୍ଡାଇଥିଲେ ପତ୍ନୀ ଆଉ ବଡପୁଅ । ଆଜି ପର୍ଯ୍ୟନ୍ତ ଘରର ସମସ୍ତ କାମ ସେମାନେ ସମ୍ଭାଳୁଥିବାରୁ ବେଶ୍ ସ୍ୱଚ୍ଛନ୍ଦରେ ପାଲା ପାଇଁ ସମୟ ଦେଇଆସୁଛନ୍ତି ପ୍ରଫୁଲ୍ଲ ।
ପାଲା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରଫୁଲ୍ଲ ଷଡଙ୍ଗୀ ଅନେକ ପୁରସ୍କାର ଓ ସମ୍ମାନର ଅଧିକାରୀ । ଜଣେ ପାଲା ସଂଗଠକ ଭାବେ ସେ ଏହି ବିଦଗ୍ଧ କଳାର ପ୍ରଚାର ପ୍ରସାର ପାଇଁ ମଧ୍ୟ ଉଦ୍ୟମ ଜାରି ରଖିଛନ୍ତି ।