ଗାୟକ ଅଞ୍ଜନ ନାରାୟଣ ଲେଙ୍କା
ଅତି ସରଳ, ଅତି ସ୍ପଷ୍ଟ ତାଙ୍କ ଭାଷା । ଭାଷାର କ୍ଳିଷ୍ଟତା, ଅନାବଶ୍ୟକ ଆଲୋଚନା ନଥାଏ ତାଙ୍କ ପାଲାରେ । ସାଧାରଣ ଗ୍ରାମୀଣ ମହିଳାଙ୍କଠାରୁ ବିଜ୍ଞ, ପଣ୍ଡିତଙ୍କ ପର୍ୟ୍ୟନ୍ତ ସମସ୍ତେ ଆଗ୍ରହର ସହିତ ଶୁଣନ୍ତି ତାଙ୍କ ପାଲା । ବର୍ତ୍ତମାନ ଯେଉଁକେତେ ଜଣ ଗାୟକ ପୂରାତନ ପାଲା ପରମ୍ପରାକୁ ଅକ୍ଷୁର୍ଣ୍ଣ ରଖିଛନ୍ତି ସେମାନଙ୍କ ମଧ୍ୟରେ ସେ ଜଣେ । ଓଡିଶାର ପୁରପଲ୍ଲୀରେ ପରିଚିତ ସେହି ପାଲା ଗାୟନାଚାର୍ୟ୍ୟ ହେଉଛନ୍ତି ଗାୟକ ଅଞ୍ଜନ ନାରାୟଣ ଲେଙ୍କା ।
୧୯୪୮ ମସିହା କାର୍ତ୍ତିକ ମାସରେ କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ ତାଳସଙ୍ଗା ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ନାରାୟଣ ଲେଙ୍କା । ବାପା ରତ୍ନାଙ୍କର ଲେଙ୍କା ଓ ମାଆ କଲ୍ୟାଣୀ ଲେଙ୍କାଙ୍କର ତିନି ପୁଅ ଓ ଚାରି ଝିଅଙ୍କ ମଧ୍ୟରେ ସବୁଠାରୁ ବଡ ନାରାୟଣ । ପିଲାଦିନ ଦାରିଦ୍ର୍ୟର କଷାଘାତରେ କଟିଥିଲା । ବାପା ଥିଲେ ଜଣେ ପ୍ରତିଷ୍ଠିତ ପାଲା ଗୁରୁ । ପ୍ରାୟ ୫୦ରୁ ଅଧିକ ଗାୟକ, ବାୟକ ଓ ପାଳିଆଙ୍କୁ ସେ ପ୍ରଶିକ୍ଷଣ ଦେଇଛନ୍ତି । ଘରେ ସବୁବେଳେ ପାଲାର ମାହୋଲ ଥିଲା, ଯାହାର ପ୍ରଭାବ ପଡିଥିଲା ନାରାୟଣଙ୍କ ଉପରେ । ଗ୍ରାମ ଚାଟଶାଳୀରେ ପଢାଶେଷ କରି ପଞ୍ଚମ ଶ୍ରେଣୀ ଯାଏଁ ପାଠ ପଢିଲେ । ତାଙ୍କୁ ଯେତେବେଳେ ମାତ୍ର ୧୨ ବର୍ଷ ବୟସ ସେ ପାଲା ଜଗତରେ ପାଦ ଥାପିଲେ । ନିଜ ବାପା ହେଲେ ପାଲା ଗୁରୁ । ବାପାଙ୍କଠାରୁ ପାଲା ଶିଖି ୧୪ ବର୍ଷ ବୟସରେ ସେ ପୁରୀ ଆସିଥିଲେ ପାଲା ଗାଇବାକୁ । ମାତ୍ର ୧୬ ବର୍ଷ ବୟସ ବେଳେ ସେ କେନ୍ଦୁଝରରେ ବାଦିପାଲାରେ ଅବତୀର୍ଣ୍ଣ ହୋଇଥିଲେ ।
ନାରାୟଣ ଲେଙ୍କା ଯେତେବେଳେ ପାଲା ଜଗତରେ ପାଦ ଦେଇଥିଲେ, ସେତେବେଳେ ରାଜ୍ୟରେ ଗାୟକଙ୍କ ସଂଖ୍ୟା ବିଶେଷ ନଥିଲା । ସେ ପ୍ରାଥମିକ ପର୍ୟ୍ୟାୟରେ ରାମହନୁ ଯୁଦ୍ଧ, ସେତୁବନ୍ଧ ପ୍ରତିଷ୍ଠା, ବିଲ୍ୱମଙ୍ଗଳ, ଦକ୍ଷ ଯଜ୍ଞ ଆଦି ବିଷୟ ପରିବେଷଣ କରିବାକୁ ଲାଗିଲେ । ଏହିସବୁ କାବ୍ୟ ନାଟକ ସେତେବେଳେ ଜନସମାଜରେ ବେଶ୍ ଲୋକପ୍ରିୟତା ଅର୍ଜନ କଲା । ପରବର୍ତ୍ତୀ ସମୟରେ ସେ ପ୍ରଚଣ୍ଡ ପ୍ରତିଭା ସମ୍ପର୍ଣ୍ଣ ଗାୟକ ହରିନାଥ, ନିରଞ୍ଜନ କର, ମାର୍କଣ୍ଡେୟ ବାହିନୀପତି, ଭ୍ରମରବର ମହାରଣା, କ୍ଷେତ୍ରବାସୀ ମିଶ୍ର, ପରମାନନ୍ଦ ଶରଣ, ଜଗନ୍ନାଥ ବେହେରା, ନିଶାକର ଷଡଙ୍ଗୀ ଆଦି ଗାୟକଙ୍କ ସହ ବାଦିପାଲା ଗାଇବାକୁ ଲାଗିଲେ । ଉଭୟ ଗାଇବା ଓ କହିବାରେ ଉଜ୍ଜ୍ୱସ୍ୱିନୀ ଭାବର ଅଧିକାରୀ ନାରାୟଣ ଲେଙ୍କା ।
ପୁରାତନ ଗାୟକଙ୍କଠାରୁ ବର୍ତ୍ତମାନ ପର୍ୟ୍ୟନ୍ତ ସେ ଅନେକ ପୀଢିର ଗାୟକଙ୍କ ସହିିତ ପାଲା ପରିବେଷଣ କରିଆସିଛନ୍ତି, କିନ୍ତୁ ସେ କେତେବେଳେ ମଧ୍ୟ ପାଲାର ମୌଳିକତାଠାରୁ ଦୂରେଇ ଯାଇନାହାଁନ୍ତି । ପ୍ରାଚୀନ ପରମ୍ପରା ଓ ସଂସ୍କୃତିକୁ ରକ୍ଷା କରି ସେ ଅଦ୍ୟାବଧି ପାଲା ପରିବେଷଣ କରିଆସୁଛନ୍ତି । ବର୍ତ୍ତମାନ ଲୋକେ ପାଲାଠାରୁ ଦୂରେଇ ଯାଉଥିବା ପାଇଁ ସେ ପାଲା ଗାୟକମାନଙ୍କୁ ହିଁ ଦାୟି କରନ୍ତି । ତାଙ୍କ କହିବା କଥା, ଗାୟକମାନେ ପାଲାର ମୌଳିକତାଠାରୁ ଦୂରକୁ ଚାଲିଯାଉଛନ୍ତି । ପ୍ରାଚୀନ ସାହିତ୍ୟ, ସଂସ୍କୃତ, କାବ୍ୟ ଜଗତର ଐତିହ୍ୟଠାରୁ ଦୂରେଇ ଯିବାରୁ ପାଲାକୁ ଲୋକେ ଗ୍ରହଣ କରିପାରିଲେ ନାହିଁ । ସେହିପରେ ଏବେର ଗାୟକମାନେ ଆଉ ଆଗଭଳି ଶିଖୁନାହାଁନ୍ତି, ରାତାରାତି ବିନା ପରିଶ୍ରମରେ ବଡ ଗାୟକ ହୋଇଯିବାର ସ୍ୱପ୍ନ ଦେଖୁଛନ୍ତି । ଓଡିଶାର ଆଧୁନିକ କବିମାନଙ୍କର ସାହିତ୍ୟକୁ ମଧ୍ୟ ପାଲାରେ ପ୍ରବେଶ କରାଇବା ଦରକାର ବୋଲି ନାରାୟଣ ଲେଙ୍କା ମତ ଦିଅନ୍ତି ।
ଦୀର୍ଘ ୫୮ ବର୍ଷ ଧରି ରାଜ୍ୟର କୋଣଅନୁକୋଣରେ ପାଲା ଗାୟନ କରି ଅନେକ ପୁରସ୍କାର, ମାନପତ୍ର, ସମ୍ବର୍ଦ୍ଧନା ଓ ଉପାଧିର ଅଧିକାରୀ ନାରାୟଣ ଲେଙ୍କା । ପାଲା ଜଗତରେ ସେ ଯେପରି ଜଣେ ନିର୍ବିବାଦୀୟ ବ୍ୟକ୍ତିତ୍ୱର ଅଧିକାରୀ ସେହିପରି ସାଧାରଣ ଜୀବନରେ ମଧ୍ୟ ଜଣେ ଉତ୍ତମ ମଣିଷ । ଜୀବନ ଜଞ୍ଜାଳରେ ପତ୍ନୀ ରେବତୀବାଳା ଲେଙ୍କା ତାଙ୍କୁ ଭରପୂର ସହାୟତା ଦେଇଆସିଛନ୍ତି । ସାନ ଭାଇ ଭଉଣୀମାନଙ୍କୁ ମଣିଷ କରିବା ସହ ନିଜର ତିନି ପୁଅ ଓ ଗୋଟିଏ ଝିଅଙ୍କୁ ଯୋଗ୍ୟ କରି ସେ ଜନମାନସରେ ପ୍ରଶଂସାର ଅଧିକାରୀ ହୋଇଛନ୍ତି ।
ଶରୀର ଅସୁସ୍ଥ ରହୁଥିବାରୁ ଯଦିଓ ଆଉ ପୂର୍ବଭଳି ସେ ଅଧିକ ପାଲା ଗାଇବାକୁ ଯାଇପାରୁନାହାଁନ୍ତି, ହେଲେ ପାଲାକୁ ଛାଡିନାହାଁନ୍ତି । ଏବେ ବି ସେ ରାଜ୍ୟର ବିଭିନ୍ନ ସ୍ଥାନକୁ ଯାଇ ଛାତ୍ରମାନଙ୍କୁ ସେହି ପୁରାତନ ଶୈଳୀର ପାଲା ପ୍ରଶିକ୍ଷଣ ଦେଉଛନ୍ତି ।