ଗାୟକଶ୍ରୀ ଦାମୋଦର ଦାଶ
ପାଲା ଜଗତକୁ ଯେଉଁ କେତେଜଣ ଉଚ୍ଚ ଶିକ୍ଷିତ ଗାୟକ ଆସି ନିଜର ପ୍ରତିଭା ପ୍ରଦର୍ଶନ କରିଛନ୍ତି ସେମାନଙ୍କ ମଧ୍ୟରେ ଅନ୍ୟତମ ଗାୟକଶ୍ରୀ ଦାମୋଦର ଦାଶ । ୧୯୫୩ ମସିହା ଡିସେମ୍ବର ୧୧ ତାରିଖରେ ଭଦ୍ରକ ଜିଲ୍ଲାର ଧାମନଗର ନିକଟ ପଳିକିରୀ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ଦାମୋଦର । ବାପା କାର୍ତିକ ଚନ୍ଦ୍ର ଦାଶ ଓ ମାଆ ରୁକ୍ମିଣୀ ଦେବୀଙ୍କ ଜ୍ୟେଷ୍ଠ ପୁତ୍ର । ଜେଜେବାପା ବାସୁଦେବ ଦାଶ ଥିଲେ ଜଣେ ଜଣାଶୁଣା ପୁରାଣ ପଣ୍ଡା । ବାପା କାର୍ତିକ ଦାଶ ମଧ୍ୟ ଜଣେ ପ୍ରତିଷ୍ଠିତ କର୍ମକାଣ୍ଡୀ ବ୍ରାହ୍ମଣ ଥିଲେ । ଘରେ ବିଭିନ୍ନ ପୁରାଣ ଆଲୋଚନା ଏବଂ ସଂସ୍କୃତ ତର୍କ ପ୍ରତିଦିନ ହେଉଥିଲା, ଯାହାର ପ୍ରଭାବ ଶୈଶବରୁ ପଡିଥିଲା ଦାମୋଦରଙ୍କ ଉପରେ ।
ଦାମୋଦରଙ୍କ ସାନ ବାପା ଗଣେଶ ପ୍ରସାଦ ଦାଶ ଥିଲେ ରାଜ୍ୟର ଜଣେ ଖ୍ୟାତନାମା ଯାତ୍ରା କଳାକାର, ଲେଖକ ଏବଂ ନିର୍ଦ୍ଦେଶକ । ଏସବୁ ପ୍ରଭାବ ପଡିଥିଲା ଦାମୋଦରଙ୍କ ଉପରେ, ତେଣୁ ଭବିଷ୍ୟତରେ ଜଣେ କଳାକାର ହେବାକୁୁ ସେ ପିଲାଟି ଦିନରୁ ସ୍ୱପ୍ନ ଦେଖୁଥିଲେ । ପରିବାରର ଆର୍ଥିକ ଦୂରବସ୍ଥା ମଧ୍ୟରେ ସେ ୧୯୭୦ ମସିହାରେ ସରସଦା ଉଚ୍ଚ ବିଦ୍ୟାପୀଠରୁ ମାଟ୍ରିକ ପାସ୍ କଲେ । ୧୯୮୨ ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଓଡିଆରେ ସ୍ନାତକତୋର ଡିଗ୍ରୀ ହାସଲ କଲେ, ପରେ ସଂସ୍କୃତ ଏବଂ ହିନ୍ଦୀରେ ମଧ୍ୟ ସ୍ନାତକତୋର ପାସ୍ କଲେ ।
ଦାମୋଦରଙ୍କ ଗାଁ ପଳିକିରୀରେ ଥିବା ଶତାଧିକ ବର୍ଷର ପୁରୁଣା ପାଲା ଅନୁଷ୍ଠାନରେ ପ୍ରତିବର୍ଷ ବରିଷ୍ଠ ଗାୟକମାନେ ପାଲା ପରିବେଷଣ କରନ୍ତି । ବିଶେଷ କରି ଗାୟକ ରତ୍ନ ହରି ନାଥ, ଗାୟକ ଶିରୋମଣି ନିରଞ୍ଜନ କର, ଗାୟକ ଭୂଷଣ ଘନଶ୍ୟାମ ନାୟକ, ଗାୟକ ସମ୍ରାଟ୍ ବୈଷ୍ଣବ ଚରଣ ପ୍ରଧାନ ପ୍ରମୁଖ ପାଲା ପରିବେଷଣ କରୁଥାନ୍ତି । ଏମାନଙ୍କର ପାଲା ଦେଖିବା ପରେ ନିଜେ ଜଣେ ଗାୟକ ହେବା ପାଇଁ ଇଛା ପ୍ରକାଶ କରିବା ସହ ମାନସିକ ପ୍ରସ୍ତୁତି କରିଥିଲେ ଶ୍ରୀଯୁକ୍ତ ଦାଶ ।
ପ୍ରାରମ୍ଭିକ ପର୍ଯ୍ୟାୟରେ ନିଜର ମାଉସୀ ପୁଅ ଭାଇ ସୁରସାଗର ଆର୍ତବଲ୍ଲଭ ଦାଶ ତାଙ୍କୁ ପାଲା ଶିଖିବାରେ ସହାୟତା କରିଥିଲେ । ସେ ଦାମୋଦରଙ୍କୁ ବିଳ୍ୱମଙ୍ଗଳ ପାଲା କାବ୍ୟ ଶିଖାଇଥିଲେ । ପରେ ସ୍ୱନାମଧନ୍ୟ ପାଲାକାର ଗାୟକ ଭୂଷଣ ଘନଶ୍ୟାମ ନାୟକଙ୍କୁ ସେ ଗୁରୁଭାବେ ଗ୍ରହଣ କଲେ ଏବଂ ତାଙ୍କଠାରୁ ଚାମର ଗ୍ରହଣ କଲେ । ଗୋଟିଏ ପଟେ ପାଠପଢା ଜାରି ରହିଥିବା ବେଳେ ଅନ୍ୟପଟେ ୧୯୭୩ ମସିହାରୁ ଶ୍ରୀଯୁକ୍ତ ଦାଶ ପାଲା ଗାଇବା ଆରମ୍ଭ କଲେ । ସେ ଜଣେ ଆଶୁକବି, ଚମତ୍କାର ଭାବେ ପୁରାତନ ଛାନ୍ଦ, ଚଉପଦୀ ଗାୟନ ଶହ ନିର୍ଭୁଲ ସଂସ୍କୃତ ଗାଇବାରେ ସିଦ୍ଧହସ୍ତ । ଭଦ୍ରକ ଜିଲ୍ଲାର ପ୍ରତିଷ୍ଠିତ ଗାୟନାଚାର୍ଯ୍ୟ ଗାୟକ ମଞ୍ଜୁଳ ଅନିରୁଦ୍ଧ ପାଣିଗ୍ରାହୀ ଏବଂ ଗାୟକ ଭୂଷଣ କରୁଣାସିନ୍ଧୁ ନାୟକଙ୍କ ସହ ଅନେକ ସ୍ଥାନରେ ବାଦୀପାଲାରେ ସମ୍ମୁଖୀନ ହୋଇ ସେ ନିଜର ପାରଦର୍ଶୀତା ପ୍ରତିପାଦନ କରିଥିଲେ । ଦୁଇ ବରିଷ୍ଠ ଗାୟକଙ୍କୁ ନିଜର ମାନସଗୁରୁ ରୂପେ ସ୍ୱୀକାର କରି ସେମାନଙ୍କଠାରୁ କାବ୍ୟଶାସ୍ତ୍ର, ଗାୟନ ଓ ସମାଲୋଚନା ଶୈଳୀ ଅନୁକରଣ କରୁଥିଲେ ।
ଶ୍ରୀଯୁକ୍ତ ଦାଶ ପାଲାକୁ ନିଶା କରିବା ସହ ପେଷା ଭାବେ ଗ୍ରହଣ କରିଥିଲେ ଶିକ୍ଷକତା । ଜଣେ ପ୍ରତିଷ୍ଠିତ ପାଲା ଗାୟକ ସହ ସେ ଜଣେ ସଫଳ ଶିକ୍ଷକ ହୋଇପାରିଥିଲେ । ଦୀର୍ଘ ୩୫ ବର୍ଷର ଶିକ୍ଷକତା ପରେ ସେ ୨୦୧୨ ମସିହାରେ ଅବସର ନେଇଛନ୍ତି । ପାଲାରେ ଓଡିଆ ସାହିତ୍ୟ ସହ ସଂସ୍କୃତ ଓ ହିନ୍ଦୀ ସାହିତ୍ୟର ତୁଳନାତ୍ମକ ବିଶ୍ଲେଷଣ ଶ୍ରୀଯୁକ୍ତ ଦାଶଙ୍କ ପାଲାର ଅନ୍ୟତମ ବୈଶିଷ୍ଟ୍ୟ । ପାଲା ଗାୟନ ସହ ଗାଳ୍ପିକ, କବି, ପ୍ରାବନ୍ଧିକ ଭାବେ ମଧ୍ୟ ସେ ପରିଚିତ । ତ୍ରୈମାସିକ ପତ୍ରିକା ‘ହିରଣ୍ୟଦା’ର ସେ ମୁଖ୍ୟ ସମ୍ପାଦକ । ଶ୍ରୀ ନୀଳାଚଳ ନିଖିଳୋତ୍କଳ ପାଲା ଗାୟକ ପରିଷଦ, ଭଦ୍ରକ-ବାଲେଶ୍ୱର ଶାଖାର ସେ ସାଂସ୍କୃତିକ ସମ୍ପାଦକ ଦାୟିତ୍ୱ ତୁଲାଉଛନ୍ତି । ପାଲା ଜଗତକୁ ଉଲ୍ଲେଖନୀୟ ଅବଦାନ ପାଇଁ ସେ ଅନେକ ସମ୍ମାନ ଓ ଉପାଧିରେ ଭୂଷିତ । ବାରିପଦାର ଜଗଧାତ୍ରୀ ପାଲାମଂଚ ତରଫରୁ ଗାୟକଶ୍ରୀ ଉପାଧି ସହ ଗାୟକ ରତ୍ନ କାହ୍ନୁଚରଣ ପତ୍ରି ସମ୍ମାନ, ହରେକୃଷ୍ଣ ନାଥ ସ୍ମୃତି ସମ୍ମାନ ଆଦି ସମ୍ମାନରେ ଶ୍ରୀଯୁକ୍ତ ଦାଶ ପୁରସ୍କୃତ ।