ଗାୟକ ବାଣୀକଣ୍ଠ ବନମାଳି ପତି
ନିଆରା ଶୈଳୀରେ ପାଲା ଗାୟନ କରି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଗାୟକ ବନମାଳୀ ପତି । ପାଲା ଜଗତରେ ଯେଉଁ କେତେଜଣ ଗାୟକ ସୁମଧୁର କଣ୍ଠରେ ପାଲା ଗାୟନ କରି ଶ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରିଥାନ୍ତି ସେମାନଙ୍କ ମଧ୍ୟରେ ବନମାଳି ପତି ଅନ୍ୟତମ ।
୧୯୫୧ ମସିହା ଅକ୍ଟୋବର ୨୪ ତାରିଖରେ ଜଗତସିଂହପୁର ଜିଲ୍ଲା ଝିଙ୍କରଡିହ ଗ୍ରାମରେ ବନମାଳି ପତି ଜନ୍ମଗ୍ରହଣ କରିଥିଲେ । ବାପା ପ୍ରହଲ୍ଲାଦ ପତି ଏବଂ ମାଆ ଫକିରି ଦେବୀ । ୫ ଭାଇ ଓ ଜଣେ ଭଉଣୀଙ୍କ ମଧ୍ୟ ତୃତୀୟ ହେଉଛନ୍ତି ବନମାଳି । ପିଲା ଦିନରୁ ସଙ୍ଗୀତ ଓ ସାହିତ୍ୟ ପ୍ରତି ରହିଥିଲା ରୁଚି । ନିଜ ଗ୍ରାମରେ ପ୍ରାଥମିକ ଶିକ୍ଷା ସମାପ୍ତ ପରେ ଜଗତସିଂହପୁର ସ୍ଥିତ ଶ୍ରୀକୃଷ୍ଣ ଏକାଡେମୀରେ ହାଇସ୍କୁଲ ଶିକ୍ଷା ଗ୍ରହଣ କଲେ । ଏଠାରେ ପଢୁଥିବା ସମୟରେ ସେ ନିଜେ ପାଲା ଗାଇବାକୁ ସ୍ଥିର କଲେ । ଏଥିରେ ତାଙ୍କୁ ପ୍ରେରଣା ଦେଇଥିଲେ ବିଦ୍ୟାଳୟର ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ପ୍ରଧାନଶିକ୍ଷକ ସୁରପ୍ରସାଦ ମହାପାତ୍ର । ଶ୍ରୀକୃଷ୍ଣ ଏକାଡେମୀରେ ଅଷ୍ଟମ ଶ୍ରେଣୀ ଯାଏଁ ପଢିବା ପରେ ସେ ଜଗତସିଂହପୁୁର ସଂସ୍କୃତ ଟୋଲରେ ତିନି ବର୍ଷ ପ୍ରଥମା ପଢିଥିଲେ । ଏହାପରେ କନ୍ତାର ସ୍ଥିତ ଅନନ୍ତ ସଂସ୍କୃତ ବିଦ୍ୟାପୀଠରେ ଶାସ୍ତ୍ରୀ ପଢିବାକୁ ଗଲେ । ସେଠାରେ ପାଠ ପଢା ସମୟରେ ସେ ବିଧିବଦ୍ଧ ଭାବେ ପାଲା ଗାଇବାକୁ ସ୍ଥିର କଲେ ।
ଶ୍ରୀକୃଷ୍ଣ ଏକାଡେମୀର ପ୍ରଧାନଶିକ୍ଷକ ତଥା ସୁସାହିତ୍ୟିକ ସୁରପ୍ରସାଦ ମହାପାତ୍ର ହେଲେ ବନମାଳି ପତିଙ୍କର ପ୍ରଥମ ଗୁରୁ । ସେ ନିଜେ ଜଣେ ଗାୟକ ହୋଇନଥିଲେ ମଧ୍ୟ ପାଲା କ୍ଷେତ୍ରରେ ତାଙ୍କର ବହୁ ଅଭିଜ୍ଞତା ରହିଥିଲା । ମାତ୍ର ୧୬ ବର୍ଷ ବୟସରେ ସୁରପ୍ରସାଦଙ୍କଠାରୁ ଚାମର ଗ୍ରହଣ କରିବା ସହ ପାଲା ଗାଇବା ଆରମ୍ଭ କଲେ ବନମାଳି ପତି । ପରବର୍ତ୍ତୀ ସମୟରେ ବିଶିଷ୍ଟ ଗାୟକ ନିଶାକର ଷଡଙ୍ଗୀ ଏବଂ ବୈଷ୍ଣବ ପ୍ରଧାନଙ୍କୁ ମଧ୍ୟ ସେ ଗୁରୁରୂପେ ଗ୍ରହଣ କରିଥିଲେ ।
ପ୍ରଥମେ ଗ୍ରାମଦେବତୀଙ୍କ ପୀଠରେ ବନମାଳି ପତି ପାଲା ପରିବେଷଣ କରିଥିଲେ । ସେହିବର୍ଷ ସେ ବାଦୀପାଲାରେ ମଧ୍ୟ ଅବତୀର୍ଣ୍ଣ ହୋଇଥିଲେ । ନାଉଗାଁ ବ୍ଲକ ଅନ୍ତର୍ଗତ ମୁଣ୍ଡାଳ ଖଇରାଗଡରେ ଗାୟକ ବଳରାମ ଚଇନିଙ୍କ ସହ ହୋଇଥିଲା ପ୍ରଥମ ବାଦୀପାଲା । ଏହାପରଠାରୁ ଆଉ ସେ ପଛକୁ ଫେରିନାହାଁନ୍ତି । ଉଭୟ ଓଡିଆ ଏବଂ ସଂସ୍କୃତ ସାହିତ୍ୟରେ ଦକ୍ଷ ବନମାଳି ପତି । ସୁମଧୁର ସ୍ୱର ହେଉଛି ତାଙ୍କର ସବୁଠାରୁ ବଡ ସମ୍ବଳ । ବୋଧହୁଏ ପାଲା ରାଜ୍ୟରେ ତାଙ୍କଭଳି ସୁମଧୁର କଣ୍ଠସ୍ୱର ବହୁତ କମ୍ ଗାୟକଙ୍କଠାରେ ରହିଛି । ପୁରାତନ ରାଗ, ରାଗିଣୀ, ଚାନ୍ଦ, ଚଉପଦୀ ଗାଇ ସେ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଦିଅନ୍ତି ।
ପାଲା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବନମାଳି ପତି ରାଜ୍ୟର କୋଣଅନୁକୋଣର ବହୁ ଅନୁଷ୍ଠାନ ଦ୍ୱାରା ସମ୍ବର୍ଦ୍ଧିତ ଓ ସମ୍ମାନିତ ହୋଇଛନ୍ତି । ବିଶିଷ୍ଟ ବାଗ୍ମୀ ଗୌରୀକୁମାର ବ୍ରହ୍ମାଙ୍କ ଉପସ୍ଥିତିରେ ପୁରୀ ଦୋଳବେଦୀ ପାଲା ମଞ୍ଚରେ ତାଙ୍କୁ ଗାୟକ ରତ୍ନାକର ଉପାଧି ପ୍ରଧାନ କରାଯାଇଥିଲା ।