1K Ananta Moharana

Locality (City/Village)
Ratagada
District
State
Country
India
Member Type
Pala Gayak

ଗାୟକ ସରୋଜ
ଅନନ୍ତ ଚରଣ ମହାପାତ୍ର

ପାଲା ଆକାଶର ଉଜ୍ଜ୍ବଳ ନକ୍ଷତ୍ର ଗାୟକ ସରୋଜ ଶ୍ରୀଯୁକ୍ତ ଅନନ୍ତ ଚରଣ ମହାପାତ୍ର । ମାଆ ସାରଳାଙ୍କ ବରପୁତ୍ର ଶ୍ରୀଯୁକ୍ତ ମହାପାତ୍ର ରାଜ୍ୟର ପୁରପଲ୍ଲୀରେ ପ୍ରତିଷ୍ଠା ଅର୍ଜନ କରିବା ସହ ଭାରତର ମହାମହୀମ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣନ, ପ୍ରଧାନମନ୍ତ୍ରୀ ପଣ୍ଡିତ ନେହରୁ, ଲାଲବାହାଦୂର ଶାସ୍ତ୍ରୀ, ଇନ୍ଦିରା ଗାନ୍ଧୀଙ୍କ ଆଗରେ ପାଲା ପରିବେଷଣ କରି ସେମାନଙ୍କର ଶ୍ରଦ୍ଧାଭାଜନ ହୋଇପାରିଥିଲେ । ଅତି ଚମତ୍କାର ଭାବେ ମନ୍ଦିରା ବାଦନ କରିବାରେ ସେଥିଲେ ଅଦ୍ବିତୀୟ ।  

Ananta Mohapatra

କଟକ ଜିଲ୍ଲା ବାଙ୍କୀ ସବଡିଭିଜନ ଅନ୍ତର୍ଗତ ରତାଗଡ ଗ୍ରାମରେ ଅନନ୍ତ ଚରଣ ମହାପାତ୍ର ଜନ୍ମଗ୍ରହଣ କରିଥିଲେ । ୧୯୨୩ ମସିହାରେ ବାପା ରଥ ରଣା ଓ ମାଆ ମହାଦେଇ ରଣାଙ୍କ କୋଳମଣ୍ଡନ କରିଥିଲେ ଅନନ୍ତ । ଗାଁ ଚାହାଳୀରେ ପ୍ରାଥମିକ ଶିକ୍ଷା ଶେଷ ପରେ ଅନନ୍ତ ଚାହୁଁଥିଲେ ଅଧିକ ପଢିବା ପାଇଁ, କିନ୍ତୁ ସେତେବେଳେ ପରିବାରର ଆର୍ଥିକ ସ୍ଥିତି ସେଥିରେ ବାଧାସୃଷ୍ଟି କରିଥିଲା । 
ପିଲାଟି ଦିନରୁ ଓଡିଆ ସାହିତ୍ୟ ଏବଂ ପୌରାଣିକ ଉପାଖ୍ୟାନ ପ୍ରତି ଅନନ୍ତଙ୍କର ଦୁର୍ବଳତା ରହିଥିଲା । ଏହାସହ ଛାନ୍ଦ, ଚମ୍ପୂ ଓ ସଙ୍ଗୀତ ପ୍ରତି ତାଙ୍କର ଗଭୀର ଅନୁରାଗ ଥିଲା । ଯେତେବେଳେ ଅନନ୍ତଙ୍କୁ ୧୫ ବର୍ଷ ବୟସ ହୋଇଥିଲା ସେ ନିକଟସ୍ଥ ଗ୍ରାମକୁ ବାଦୀପାଲା ଦେଖିବାକୁ ଯାଇଥିଲେ, ସେଠାରେ ଉଭୟ ଗାୟକଙ୍କ ପାଲା ତାଙ୍କୁ ଏଭଳି ଆକୃଷ୍ଟ କରିଥିଲା ଯେ, ସେ ନିଜେ ଜଣେ ଗାୟକ ହେବାକୁ ସ୍ଥିର କଲେ । ଏହାପରଠାରୁ ସେ ଅମରକୋଷ, ଧ୍ୱନିମଞ୍ଜରୀ, ଏକାକ୍ଷର କୋଷ, ଗୀତା, ଅଭିଧାନ ଆଦି ପଢିବାକୁ ଲାଗିଲେ ।  ୧୯୩୮ ମସିହାରେ ସେ ବିଖ୍ୟାତ ପାଲା ଗାୟକ ତାରେଶ୍ୱର ମହାପାତ୍ରଙ୍କୁ ଗୁରୁ କରି ତାଙ୍କଠାରୁ ଚାମର ଗ୍ରହଣ କଲେ । ଏଥିସହ ନିକଟସ୍ଥ ଗ୍ରାମର କୁଞ୍ଜବିହାରୀ ମହାପାତ୍ରଙ୍କଠାରୁ କେତେକ ଛାନ୍ଦ, ଚଉପଦୀ ସଂଗ୍ରହ କଲେ । ଡମପଡାର ବିଶିଷ୍ଟ କବି ନଟବର ଧଳଙ୍କଠାରୁ ମଧ୍ୟ ଅନେକ କାବ୍ୟ, କବିତା ଆଣି କଣ୍ଠସ୍ଥ କଲେ । 
ମାଆ ସାରଳାଙ୍କ ଆଶୀର୍ବାଦ ଲାଭ କରିବାକୁୁ ସେ ନିଜ ଗ୍ରାମରୁ ଚାଲିଚାଲି ଝଙ୍କଡ଼ ଯାଇଥିଲେ । ସେଠାରେ ଅଧିଆ ପଡି ମାଆଙ୍କ କୃପାଲାଭ କଲେ । ଶ୍ରୀଯୁକ୍ତ ମହାରଣା ପ୍ରଥମେ ବାଙ୍କୀରେ ଆୟୋଜିତ ଜୁବୁଲି ଉତ୍ସବରେ ପାଲା ପରିବେଷଣ କରିଥିଲେ । ବାଙ୍କୀର ତତ୍କାଳୀନ ଡେପୁଟୀ ମାଜିଷ୍ଟ୍ରେଟ୍ ସଚ୍ଚିଦାନନ୍ଦ ମିଶ୍ର ଏହି ଉତ୍ସବର ଆୟୋଜନ କରିଥିଲେ । ଏହି ଉତ୍ସବରେ ଅନ୍ୟ କୃତି କଳାକାରଙ୍କ ସହ ଅନନ୍ତ ମହାପାତ୍ରଙ୍କୁ ମଧ୍ୟ ସମ୍ମାନୀତ କରାଯାଇଥିଲା । ପ୍ରଥମ ପାଲାରୁ ନିଜ ପ୍ରତିଭାର ପରିଚୟ ଦେଇଥିଲେ ଶ୍ରୀଯୁକ୍ତ ମହାପାତ୍ର । 

Ananta Mohapatra


୧୯୫୦ ମସିହାରେ ଅନନ୍ତ ମହାପାତ୍ର କଟକ ରେଭେନ୍ସା କଲେଜରେ ବିଖ୍ୟାତ ପାଲା ଗାୟକ ବିଶ୍ୱନାଥ ପଟ୍ଟଯୋଶୀଙ୍କ ସହ ୫ଦିନ ପାଲା ପରିବେଷଣ କରି କୁଳପତିଙ୍କଠାରୁ ପ୍ରଶଂସାପତ୍ର ଲାଭ କରିଥିଲେ । ୧୯୫୧ ମସିହାରେ କଟକ ପୁରୁଣା ସେକ୍ରେଟାରୀଏଟରେ ପାଲା ପରିବେଷଣ କରି ସ୍ୱର୍ଣ୍ଣପଦକ ହାସଲ କରିଥିଲେ । ତତ୍କାଳୀନ ରାଜ୍ୟପାଳଙ୍କ ସହ ହରେକୃଷ୍ଣ ମହତାବ, ଆର୍ତ୍ତବଲ୍ଲଭ ମହାନ୍ତି, ବିଚ୍ଛନ୍ଦଚରଣ ପଟ୍ଟନାୟକ, କଳୀଚରଣ ପଟ୍ଟନାୟକ, ସଦାଶିବ ତ୍ରିପାଠୀ, ଲିଙ୍ଗରାଜ ମିଶ୍ର, ପବିତ୍ର ମୋହନ ପ୍ରଧାନ, ପ୍ରାଣନାଥ ମହାନ୍ତି ପ୍ରମୁଖ ବିଶିଷ୍ଟ ରାଜନେତା, ସାହିତ୍ୟିକ ଓ ପ୍ରଶାସନିକ ଅଧିକାରୀଙ୍କ ସହିତ ଶହଶହ ଦର୍ଶକ ପାଲାକୁ ଉପଭୋଗ କରିଥିଲେ । ପାଲାର ବିଷୟବସ୍ତୁକୁ ଇଂରାଜୀରେ ଅନୁବାଦ କରି ବୁଝାଇଥିଲେ ପ୍ରାଣନାଥ ମହାନ୍ତି । ଶିକ୍ଷା ବିଭାଗର ଦୁଇ ମନ୍ତ୍ରୀ ଉଭୟ ପାଲା ଗାୟକଙ୍କୁ ପୁରସ୍କୃତ କରିଥିଲେ ।
ଚୀନ ଓ ପାକିସ୍ତାନ ସହ ଯୁଦ୍ଧ ସମୟରେ ଲୋକଙ୍କ ହୃଦୟରେ ଜାତୀୟତା ଭାଗ ଜାଗ୍ରତ କରିବା ପାଇଁ ଭାରତ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଦେଶାତ୍ମବୋଧକ ପାଲା ପରିବେଷଣ କରିଥିଲେ ଶ୍ରୀଯୁକ୍ତ ଅନନ୍ତ ମହାପାତ୍ର ।
ହୀରାକୁଦ ନଦୀବନ୍ଧ ପ୍ରତିଷ୍ଠା ଦିବସ ଉପଲ୍ଲକ୍ଷେ ଆୟୋଜିତ ପାଲା ସମ୍ମିଳନୀରେ ତତ୍କାଳୀନ ସମୟର ୫ ଜଣ ବିଶିଷ୍ଟ ଗାୟକଙ୍କ ମଧ୍ୟରେ ସେ ପାଲା ପରିବେଷଣ କରିଥିଲେ । ୧୯୬୨ ମସିହା ସ୍ୱାଧୀନତା ଦିବସ ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଲ୍ଲୀ ଯାଇ ପାଲା ପରିବେଷଣ କରିଥିଲେ ଶ୍ରୀଯୁକ୍ତ ଅନନ୍ତ ମହାପାତ୍ର ।
୧୯୬୪ ମସିହାରେ ଭୁବନେଶ୍ୱରରେ ଆୟୋଜିତ କଂଗ୍ରେସ ଅଧିବେଶନରେ ସେ ୭ ଦିନ ଧରି ପାଲା ଗାୟନ କରିଥିଲେ । ୧୯୭୬ରେ ଭାରତ ସରକାରଙ୍କ କ୍ଷେତ୍ର ପ୍ରଚାର ସଂସ୍ଥା ତରଫରୁ ଆହ୍ଲାବାଦରେ ଆୟୋଜିତ କୁମ୍ଭମେଳାରେ ସେ ଦୀର୍ଘ ୨୫ ଦିନ ଧରି ଭାରତୀୟ ସଂସ୍କୃତିର ମହିମା ଗାନ କରିଥିଲେ । ୧୯୮୯ ମସିହାରେ ମଧ୍ୟ ପୁଣିଥରେ ଆକାଶବାଣୀ ତରଫରୁ ସେ କୁମ୍ଭମେଳାକୁ ଯାଇଥିଲେ ।
ଉଭୟ ଆକାଶବାଣୀ ଓ ଦୂରଦର୍ଶନର ସେ ଜଣେ ସ୍ୱୀକୃତିପ୍ରାପ୍ତ ବିଶିଷ୍ଟ କଳାକାର ଥିଲେ । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ସେ ୧୯୫୫ ମସିହାରୁ ତତ୍କାଳୀନ ୧୩ଟି ଜିଲ୍ଲାରେ ପାଲା ମାଧ୍ୟମରେ ସରକାରୀ ଯୋଜନାର ପ୍ରଚାର ପ୍ରସାର କରିଥିଲେ । 

Ananta Rana


ମନ୍ଦିରା ବାଦନରେ ଓଡିଶାରେ ଅଦ୍ୱିତୀୟ ଥିଲେ ଶ୍ରୀଯୁକ୍ତ ଅନନ୍ତ ମହାପାତ୍ର । ଏହି ମନ୍ଦିରା ମାଧ୍ୟମରେ ଅନେକ ରାଗରାଗିଣୀ ଗାନ ଦ୍ୱାରା ସେ ଜନମାନସକୁ ମନ୍ତ୍ରମୁଗ୍ଧ କରିବାରେ ଥିଲେ ସିଦ୍ଧହସ୍ତ । ଭଞ୍ଜ ସାହିତ୍ୟ, ଛାନ୍ଦ, ଚଉପଦୀ ଆଦି ପରିବେଷଣ କରିବାରେ ସେ ଥିଲେ ପ୍ରବୀଣ । ତାଙ୍କର କାରୁଣ୍ୟ ରସ ପରିବେଷଣ ଶୈଳୀ ଏତେ ହୃଦୟସ୍ପର୍ଶୀ ହେଉଥିଲା ଯେ, ଲୋକଙ୍କ ଆଖିଲୁ ଲୁହ ଝରିଯାଉଥିଲା । 
ରାଜ୍ୟର ପୁରପଲ୍ଲୀରୁ ଅନନ୍ତ ମହାପାତ୍ର ଅନେକ ପୁୁରସ୍କାର, ଉପାଧି ଲାଭ କରିଥିଲେ । ହିନ୍ଦୋଳର ରାଜା ସାହେବ ତାଙ୍କୁ ଗାୟକ ରତ୍ନ ଉପାଧି ପ୍ରଦାନ କରିଥିବା ବେଳେ ସୁବର୍ଣ୍ଣପୁର ପାଲା ସମ୍ମିଳନୀରେ ତାଙ୍କୁ ଗାୟକ ସରୋଜ ଉପାଧିରେ ସମ୍ମାନୀତ କରାଯାଇଥିଲା । ପୂର୍ବତନ ରାଷ୍ଟ୍ରପତି ରାଧାକ୍ରିଷ୍ଣନ, ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ, ଲାଲବାହାଦୂର ଶାସ୍ତ୍ରୀଙ୍କଠାରୁ ଇନ୍ଦିରା ଗାନ୍ଧୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପର୍ଯ୍ୟନ୍ତ ବହୁ ଜ୍ଞାନୀ, ଗୁଣିମାନଙ୍କର ମନ ଜିଣିବାରେ ସଫଳ ହୋଇଥିଲେ ଶ୍ରୀଯୁକ୍ତ ମହାପାତ୍ର । 
ଉତ୍କଳ ଜନନୀରେ ଏହି ସୁଯୋଗ୍ୟ ସନ୍ତାନ ୨୦୦୭ ମସିହା ଫେବ୍ରୁଆରି ୧୮ ତାରିଖରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।