ଆଦ୍ୟ ଅକ୍ଷର "ସ"ପ୍ରାନ୍ତ ଅକ୍ଷର"ହାରି" ନିୟମରେ
'ଆରେ ବୁଢ଼ା ନାଉରୀ,
ମୋତେ କରିଦେ ପାରି' ବୃତ୍ତେ
କବି: ଗାୟକ ପୁରାଣଭୂଷଣ ଶ୍ରୀ ଶରତ ଚନ୍ଦ୍ର ଦାଶ
ରଇଁଶୋଲ,ପିପିଲି,ପୁରୀ,୭୫୨୧୦୪
ଯୋଗାଯୋଗ:- ୯୮୬୧୪୭୦୫୦୫
୮୭୬୩୩୩୧୦୩୭
ସ୍ୱର୍ଣାଚଳବିହାରୀ ,
ସ୍ମରଦରପହାରୀ ।
ସ୍ମରି ସେ ଅଭୟପାଦେ,
କରେଗୁହାରି ।।୦।।
ସର୍ବସଂସାରହାରୀ ,
ସଂହାରରେସଂହାରୀ ।
ସୃଷ୍ଟିକୁ ରଖ ବିପଦେ,
ବିଷ ଆହାରୀ ।।୧।।
ସୂର୍ଯ୍ୟ ତେଜେ ବାହାରି ,
ଶୂନ୍ୟଜ୍ଞତମହାରୀ ।
ସଂସାରଗୁରୁ ପଦରେ ,
ସୁପ୍ରତିହାରୀ ।।୨।।
ସଜ୍ଜିତ ଜବାହାରି ,
ସମ୍ପଦେ ଲଗାହାରି ।
ଶେଷରେ ରଖ ଶରତେ,
ଜୀବନେ ହାରି ।।୩।
ଟିପ୍ପଣୀ
"୦"ଘୋଷାପଦ= (ସ୍ୱର୍ଣାଚଳ=ସ୍ୱର୍ଣାଦ୍ରୀ ବା ସ୍ଵର୍ଣ୍ଣଗିରି, ଏକାମ୍ରକ୍ଷେତ୍ରରେ ଯେଉଁ ସ୍ଥାନରେ ପ୍ରଭୁ ଲିଙ୍ଗରାଜ ଅଛନ୍ତି ସେ ସ୍ଥାନ ହିଁ ସ୍ଵର୍ଣାଦ୍ରୀ ରୂପେ ପରିଚିତ ।।)
ଅର୍ଥ: ହେ ସ୍ଵର୍ଣାଦ୍ରୀବିହାରି,ସ୍ମରଦରପହାରି ! ଆପଣଙ୍କ ସେହି ଅଭୟପାଦକୁ ସ୍ମରଣ କରି ଗୁହାରି କରୁଅଛି ।।୦।।
୧ ମ ପଦ: ସଂସାରହାରୀ=ସଂସାରବାହକ ।। ସଂହାରରେସଂହାରୀ=ସଂହାର କାଳରେ ଆପଣ ସ୍ଵୟଂ ସଂହାରକର୍ତ୍ତା ।।
ଅର୍ଥ: ସମସ୍ତ ସଂସାରର ବାହକ, ସଂହାର କାଳରେ ଆପଣ ସ୍ଵୟଂସଂହାରକର୍ତ୍ତା, ପୁନଃ ହେ ବିଷଆହାରୀ ବିପଦ ସମୟରେ ସୃଷ୍ଟିକୁ ରକ୍ଷାକର ବା ସଂସାରକୁ ବିଷ ଗ୍ରାସ କଲାବେଳେ ତୁମେ ସେ ବିଷକୁ ସ୍ଵୟଂ ଆହାର କରି ଏ ସୃଷ୍ଟିକୁ ରକ୍ଷାକରିଥିଲ ।।୧।।
୨ୟପଦ: ଶୂନ୍ୟଜ୍ଞ=ଜାଣିବା ଶକ୍ତି ଯାହାର ଶୂନ୍ୟ ଅର୍ଥାତ୍ ଅଜ୍ଞାନ ।। ତମହାରି=ଅନ୍ଧାରଦୂରକରି ।। ସଂସାରଗୁରୁ=ଜଗତଗୁରୁ ।। ସୁପ୍ରତିହାରୀ=ଉତ୍ତମ ରକ୍ଷକ ।।
ବାହାରି=ପ୍ରକାଶି ।।
ଅର୍ଥ: ସୂର୍ଯ୍ୟରୂପରେ ପ୍ରକାଶିତ ହୋଇ ବିଶ୍ଵର ଅଜ୍ଞାନ ଅନ୍ଧାରକୁ ଦୂରେଇ ଦେଇ ଜଗତଗୁରୁପଦରେ ଅଧିଷ୍ଠିତ ହୋଇ ଜ୍ଞାନ "ବା" ବିଦ୍ୟା ରକ୍ଷକ ନାମରେ ପ୍ରତିଷ୍ଠିତ । ଅର୍ଥାତ୍ ଆପଣ ସାରା ସୃଷ୍ଟିରୁ ଯେତେବେଳେ ଜ୍ଞାନ ବା ବିଦ୍ୟାର ଲୋପ ହୋଇଛି ସେତେବେଳେ ଡମ୍ବରୁରୁ ଚଉଦସୂତ୍ର ବାହାର କରି ପାଣିନିରୂପେ ବ୍ୟାକରଣ ଗୁରୁ ରୂପେ ପ୍ରକାଶିତ ହୋଇ, ପୁନଃ ବ୍ୟାକରଣ ଓ ଯୋଗଗୁରୁ ପତଞ୍ଜଳିରୂପେ ପ୍ରକାଶିତ ହୋଇ, ଧର୍ମାଚାର ଓ ବେଦଶାସ୍ତ୍ର- ମାର୍ଗର ଲୋପ ଦେଖି ଜଗତଗୁରୁ ଶଙ୍କରାଚାର୍ଯ୍ୟରୂପେ ଅବତରି ବିଦ୍ୟା ଓ ବେଦ ଧର୍ମାଦିର ପ୍ରଚାରକ ଓ ରକ୍ଷକ ହୋଇଥିଲେ ।।୨।।
୩ୟପଦ: ଜବାହାରି=ରତ୍ନାଦି ଅଳଙ୍କାର ।। ଲଗାହାରି=ପର ଧନସମ୍ପଦରେ ଅଧିକାରୀ ହେବା ।। (ଯେହେତୁ ଏ ସଂସାରଅର୍ଜିତସମସ୍ତସମ୍ପଦ ଅଳିକ ହୋଇଥିବାରୁ ତାହା ପରସମ୍ପଦ ଭାବେ ଗଣିତ, ଏ ସଂସାରରେ ନିଜର କିଛି ନୁହେଁ ଏଣୁ ଏହା ପର ସମ୍ପଦ ତାହାର ଅଧିକାରୀ) ।। ଜୀବନେହାରି=ଜୀବନଯୁଦ୍ଧରେ ହାରି
"ବା"ଜୀବନ ଯୁଦ୍ଧରେ ପରାସ୍ତ ହୋଇ ।।
ଅର୍ଥ: ରତ୍ନାଦି ଅଳଙ୍କାରରେ ସଜ୍ଜିତ ହୋଇ, ପରସମ୍ପଦରେ ଅଧିକାରୀ ହୋଇ, ଶେଷରେ ଜୀବନ ଯୁଦ୍ଧରେ ହାରି ଅଭୟପାଦେ ଗୁହାରିଥିବା ଶରତକୁ ଆପଣ ରଖନ୍ତୁ ।।୩।।