Issue Date
1 Oct, 2020
Genres
'ଆରେ ବାପଧନ,
ତୋତେ କିଏ ଶିଖାଇଲା ବ୍ରହ୍ମଜ୍ଞାନ' ବୃତ୍ତେ
କବି: ଗାୟକ ବିଦ୍ୟାଭୂଷଣ ରମାକାନ୍ତ ମିଶ୍ରଶର୍ମ୍ମା
ଆରେ ବୁଢ଼ାହନୁ,
ମାଡ଼ଖିଆ ବୁଦ୍ଧି ଛାଡ଼ ମନୁ ।।୦।।
ତୋହଠାରୁ ଯିଏ ହେଲେ ଜାତ,
ଷଡ ସେ କରିବେ ତୋତେ ହତ ।
ଦଶ ସେନାପତି ଧରିପାଳୁ କ୍ଷିତି
ଖାଉଛନ୍ତି ତୋତେ ଦିନୁ ଦିନୁ ।।୧।।
ପଞ୍ଚବିଂଶ ନାତି ଧରି କୋଳେ,
ଖେଳ ଲଗାଇଛୁ ସ୍ନେହଭୋଳେ।
ନୁହଁଇ ସେଖେଳ ସେମାନେ ତୋକାଳ
ପାଳ ପରି ହେବୁ ହୁତାଶନୁଁ ।।୨।।
ଦେଲା ତୋତେ ଯିଏ ଅଧିକାର,
ଦିନେ ନବୁଝିଲୁ କଥାତାର ।
ପରମ ରଜାରେ ଭେଟ ଯା ମଜ୍ଜାରେ
ଖୋଜିଲେ ସେ ନ ମିଳିବ ଅନୁ ।।୩।।
ଲେଡିଗୁଡ଼ ଥାଉଁ ଲେଡିପରେ,
ଜିଭ ତୁ ଲଗାଇଦିଅ ବାରେ ।
ରମାକାନ୍ତ କହେ କହୁଣୀକୁ ଗଲେ
ଦୂର ହୋଇଯିବ ତୋ ଆନନୁ ।।୪।।
ଷଡ=ଛଅଶତ୍ରୁ (କାମ,କ୍ରୋଧ,ଲୋଭ, ମୋହ,ମଦ,ମାତ୍ସର୍ଯ୍ୟ ) ।।
ଦଶ ସେନାପତି=ଦଶ ଇନ୍ଦ୍ରିୟ ସେନାପତି।। ପଞ୍ଚବିଂଶ ନାତି=ପଚିଶ ପ୍ରକୃତି ନାତି ।।