ଅଷ୍ଟାଦଶ ପୁରାଣ ମାଳିକା
'ଦୀନବନ୍ଧୁ ଦଇତାରୀ' ବୃତ୍ତେ
କବି: ଗାୟକ ବିଦ୍ୟାଭୂଷଣ ରମାକାନ୍ତ ମିଶ୍ରଶର୍ମ୍ମା
ମାର୍କଣ୍ଡ ତାରଣ ହରି,
କର ହେ ବାରେ କାରଣ ।
ମତ୍ସ୍ୟରୂପେ ବେଦ ପୋଥି ,
କରିଥିଲ ଉଦ୍ଧାରଣ ।।୦।।
ଭୂତଗର୍ଭ ଭାଗବତ,
ପୁରୁଷ ଭବିଷ୍ୟ ଜ୍ଞାତ ।
ବ୍ରହ୍ମ! ବ୍ରହ୍ମାଣ୍ଡ ଶରଣ ,
ବ୍ରହ୍ମବୈବର୍ତ୍ତ କାରଣ ।।୧।।
ବିଷ୍ଣୁ ତୁମେ ପରା ବାୟୁ ,
ରୂପେ ସର୍ବ ପରମାୟୁ ।
ବାମ- ନରକୁ ନିଷ୍କୃତି ,
ବରାହବେ କର ଦାନ ।।୨।।
ଅଗ୍ନିରୂପେ ହୁତାଶନ ,
ନାରଦ ସିନା ଆପଣ ।
କୂର୍ମ ରୂପରେ ମନ୍ଦର ,
ପୃଷ୍ଠରେ କଲ ଧାରଣ ।।୩।।
ସ୍କନ୍ଦତାତ ପଦ୍ମଜାତ ,
ଆଦିଙ୍କୁ ଲିଙ୍ଗ ଅଜ୍ଞାତ ।
ଗରୁଡ଼ରେ ରମାକାନ୍ତ ,
ପଶୁଛି ତୁମ୍ଭ ଶରଣ ।।୪।।
ସଂକ୍ଷିପ୍ତ ଟିପ୍ପଣୀ
ଅଷ୍ଟାଦଶ ପୁରାଣ ନାମ:
୧- ମାର୍କଣ୍ଡେୟ, ୨- ମତ୍ସ୍ୟ, ୩- ଭାଗବତ, ୪- ଭବିଷ୍ୟ, ୫- ବ୍ରହ୍ମ, ୬- ବ୍ରହ୍ମାଣ୍ଡ, ୭- ବ୍ରହ୍ମବୈବର୍ତ୍ତ, ୮- ବିଷ୍ଣୁ, ୯- ବାୟୁ, ୧୦- ବାମନ, ୧୧- ବରାହ, ୧୨- ଅଗ୍ନି, ୧୩- ନାରଦ, ୧୪- କୂର୍ମ, ୧୫- ସ୍କନ୍ଦ, ୧୬- ପଦ୍ମ, ୧୭- ଲିଙ୍ଗ, ୧୮- ଗରୁଡ
ଭୂତଗର୍ଭ=ଅତୀତ ବା ପଞ୍ଚଭୂତ
ଯା'ର ଗର୍ଭଗତ ।।
ଭାଗବତ ପୁରୁଷ=ଭଗବତ ସମ୍ବନ୍ଧୀ, ଷଟ୍ ବା ଅଷ୍ଟ ଐଶ୍ୱର୍ଯ୍ୟସମ୍ବନ୍ଧିତପୁରୁଷ ବା ପବିତ୍ର ଗ୍ରନ୍ଥ ଭାଗବତର ମୂଳ ପୁରୁଷ, ଭାବ- ଜ୍ଞାନ- ବ୍ରହ୍ମ- ତତ୍ତ୍ୱରୂପୀ ପୁରୁଷ ।।
ଭବିଷ୍ୟ ଜ୍ଞାତ=ଭବିଷ୍ୟତ କେବଳ ଆପଣଙ୍କୁ ଜଣା ।।
ବ୍ରହ୍ମ!=ହେ ବ୍ରହ୍ମ!
ବ୍ରହ୍ମାଣ୍ଡ ଶରଣ=ବ୍ରହ୍ମାଣ୍ଡର ରକ୍ଷାକର୍ତ୍ତା
ବ୍ରହ୍ମବୈବର୍ତ୍ତ=ବ୍ରହ୍ମାଙ୍କ ଅପବର୍ତ୍ତନ ବା ବିବର୍ତ୍ତନର ।।
ବିଷ୍ଣୁ=ତୁମେ ବିଶ୍ବବ୍ୟାପକ ।।
ବାୟୁ ରୂପରେ ସମସ୍ତଙ୍କର ପରମାୟୁ ହୋଇ ତୁମେ ରହିଅଛ ।।